କାହିଁକି ବଢ଼ୁଛି ନିଦ୍ରା ସଙ୍କଟ

କାହିଁକି ବଢ଼ୁଛି ନିଦ୍ରା ସଙ୍କଟ
Ipsita Picture
By: Ipsita
Published On

ସୁସ୍ଥ ଶରୀର ପାଇଁ ପର୍ଯ୍ୟାପ୍ତ ନିଦ୍ରା ଏକ ଅପରିହାର୍ଯ୍ୟ ଜୈବିକ ପ୍ରକ୍ରିୟା। ଏହା କେବଳ ମସ୍ତିଷ୍କକୁ ସକ୍ରିୟ ରଖେ ନାହିଁ, ବରଂ ହୃଦରୋଗ, ମେଦବହୁଳତା ଏବଂ ମାନସିକ ଅବସାଦ ଭଳି ସମସ୍ୟାକୁ ମଧ୍ୟ ଦୂରେଇ ରଖେ। ମାତ୍ର ସର୍ଭେ ଅନୁଯାୟୀ, ଭାରତୀୟ ସହରଗୁଡ଼ିକରେ ଶୋଇବା ଶୈଳୀରେ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ସ୍କ୍ରିନ୍ ଟାଇମ୍‌  ଏବଂ ଅଫିସ ଚାପ ଯୋଗୁଁ ଭାରତର ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ନିଦ୍ରା ସଙ୍କଟବଢିବାରେ ଲାଗିଛି । ମାତ୍ର କିଛି ଦିନର ଅଧୁରା ନିଦ ଏକାଗ୍ରତା ହ୍ରାସ କରିବା ସହ  ନିଷ୍ପତ୍ତି ନେବା କ୍ଷମତାକୁ ପ୍ରଭାବିତ କରିଥାଏ । ଅନେକ ସମୟରେ ନିଦ୍ରା ହିନତା କାରଣରୁ ଅନ୍ୟ ଭିନ୍ନ ରୋଗ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ସମସ୍ୟାଟି ଅନ୍ୟ ରୋଗକୁ ପ୍ରଭାବିତ କରିଥାଏ । ଅନେକ ସମୟରେ ନିଦ୍ରା ହିନତାର ଲକ୍ଷଣକୁ ସମସ୍ତେ ଅଣଦେଖା କରିଥାଆନ୍ତି । ହେଲେ ଏହି ସମସ୍ୟାଟି ଆମକୁ ବେଳେବେଳେ ଖୁବ ଜଟିଳ ସ୍ବାସ୍ଥ୍ୟ ସମସ୍ୟାରେ ପକାଇଥାଏ, ତେଣୁ ଯଦି ନିଦ୍ରା ହିନତା ସମ୍ପର୍କିତ କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ସହର କେତେ ଶୋଉଛି । ସହରୀ ଭାରତର ଯେପରି ନିଦ ହଜିଯାଇଛି । ଆଧୁନିକ ସଭ୍ୟତାର ଚକଚକିଆ ଦୁନିଆରେ ଆମେ ସବୁ କିଛି ହାସଲ କରିବା ପାଇଁ ଦୌଡ଼ୁଛୁ, ମାତ୍ର ଏହି ଦୌଡ଼ରେ ଆମେ ଆମର ସବୁଠାରୁ ମୂଲ୍ୟବାନ ସମ୍ପଦ ନିଦକୁ ହଜାଇ ଦେଇଛୁ । ୱେକଫିଟର ରିପୋର୍ଟ ଅନୁଯାୟୀ, ଭାରତର ମେଟ୍ରୋ ସହରଗୁଡ଼ିକରେ ଲୋକେ ଗୁରୁତର ନିଦ୍ରାହୀନତାର ଶିକାର ହେଉଛନ୍ତି। ଏହି ସଙ୍କଟ କେବଳ ଗୋଟିଏ କାରଣ ପାଇଁ ନୁହେଁ, ବରଂ ଅନେକଗୁଡ଼ିଏ ଜଟିଳ ପରିସ୍ଥିତିର ସମାହାର । ସେହିଭଳି ଯଦି ଆମେ ଏହି ସମସ୍ୟାକୁ ଏବେଠାରୁ ଗୁରୁତ୍ୱର ସହ ଗ୍ରହଣ ନକରିବା, ତେବେ ଏହା କ୍ରୋନିକ୍ ରୋଗରେ ପରିଣତ ହୋଇପାରେ । ସୁସ୍ଥ ଜୀବନ ପାଇଁ ଫୋନ୍ ଠାରୁ ଦୂରେଇ ରହିବା, ଶୋଇବାର ଏକ ସଠିକ୍ ସମୟ ନିର୍ଦ୍ଧାରଣ କରିବା ଏବଂ ମାନସିକ ଶାନ୍ତି ଉପରେ ଗୁରୁତ୍ୱ ଦେବା ଜରୁରୀ ।

ଡିଜିଟାଲ୍ ଆଡିକ୍ସନ୍

ଆଜିର ସମୟରେ ମୋବାଇଲ୍ ଫୋନ୍ ନିଦର ସବୁଠାରୁ ବଡ଼ ଶତ୍ରୁ ଭାବେ ଉଭା ହୋଇଛି । ଦିନସାରା ଅଫିସ୍ ବା କାମରେ ବ୍ୟସ୍ତ ରହୁଥିବା ଲୋକେ ନିଜ ପାଇଁ ସମୟ ପାଆନ୍ତି ନାହିଁ । ତେଣୁ ନିଜର ମନୋରଞ୍ଜନ ପାଇଁ ସେମାନେ ରାତିରେ ଶୋଇବା ସମୟକୁ କାଟି ସୋସିଆଲ୍ ମିଡିଆ ବା ଓଟିଟି ପ୍ଲାଟଫର୍ମରେ ସମୟ ବିତାଇଥାନ୍ତି । ଏହାକୁ ମନୋବିଜ୍ଞାନ ଭାଷାରେ ରିଭେଞ୍ଜ୍ ବେଡ୍ଟାଇମ୍ ପ୍ରୋକ୍ରାଷ୍ଟିନେସନ୍କୁହାଯାଏ । ଫୋନ୍ରୁ ବାହାରୁଥିବା ନୀଳ ଆଲୋକଆମ ଶରୀରରେ ନିଦ ପାଇଁ ଦାୟୀ ମେଲାଟୋନିନ୍ ହରମୋନ୍କୁ କମାଇଦିଏ। ଯାହା ଫଳରେ ନିଦ ଆସିନଥାଏ ଏବଂ ଆମେ ଡେରିରେ ଶୋଇଥାଉ ।

କାର୍ଯ୍ୟକ୍ଷେତ୍ରର ଚାପ

ଆଜିକାଲି କମ୍ ଶୋଇବା ଏବଂ ଅଧିକ କାମ କରିବାକୁ ସଫଳତାର ଏକ ମାପକାଠି ଭାବେ ଗ୍ରହଣ କରାଯାଉଛି । କର୍ପୋରେଟ୍ ଜଗତରେ ଟାର୍ଗେଟ୍ପୂରଣ କରିବା ଏବଂ ପ୍ରତିଯୋଗିତାରେ ଆଗରେ ରହିବା ପାଇଁ ଲୋକେ ବିଳମ୍ବିତ ରାତି ଯାଏଁ କାମ କରୁଛନ୍ତି । ବାରମ୍ବାର ଇମେଲ୍ ଏବଂ ଅଫିସ୍ ମେସେଜ୍ ଆସିବା ଯୋଗୁଁ ମଣିଷର ମସ୍ତିଷ୍କ କେବେ ବି ସମ୍ପୂର୍ଣ୍ଣ ରୂପେ ଶାନ୍ତ ହୋଇପାରୁ ନାହିଁ । ଏହି ମାନସିକ ଚାପ ସିଧାସଳଖ ଶୋଇବା ଶୈଳୀକୁ ପ୍ରଭାବିତ କରୁଛି ।

w234

 ପରିବହନ ସମସ୍ୟା

ମୁମ୍ବାଇ ଏବଂ ବେଙ୍ଗାଲୁରୁ ଭଳି ସହରରେ ଜଣେ ବ୍ୟକ୍ତି ନିଜ ଘରୁ ଅଫିସ୍ ଯିବା ଆସିବା ପାଇଁ ଦିନକୁ ହାରାହାରି ୩ ରୁ ୪ ଘଣ୍ଟା ସମୟ ରାସ୍ତାରେ ବିତାଇଥାଏ । ଏହି ଲମ୍ବା ସମୟ ଯୋଗୁଁ ଲୋକେ ଘରକୁ ଫେରିବା ବେଳକୁ ରାତି ପ୍ରାୟ ୯ କିମ୍ବା ୧୦ ହୋଇଯାଏ। ଏହାପରେ ଖାଇବା ଏବଂ ଅନ୍ୟାନ୍ୟ କାମ ଶେଷ କରୁ କରୁ ମଧ୍ୟରାତ୍ରି ହୋଇଯାଉଛି, ଯାହା ଶରୀରକୁ ସଠିକ୍ ପରିମାଣର ବିଶ୍ରାମ ନେବାରୁ ବଞ୍ଚିତ କରୁଛି । ସେହିଭଳି ଶୋଇବାର ସମୟକୁ ମଧ୍ୟ ଏହା ପ୍ରଭାବିତ କରୁଛି, ସବୁଦିନ ଭିନ୍ନଭିନ୍ନ ସମୟରେ ଶୋଇବା କାରଣରୁ ମଧ୍ୟ ନିଦ ପ୍ରଭାବିତ ହେଉଛି ।

 ଅନିୟମିତ ଜୀବନଶୈଳୀ

ସହରୀ ଜୀବନରେ ରାତି ୧୦ଟା ପରେ ଡିନର୍ ବା ଖାଦ୍ୟ ଖାଇବା ଏକ ସାଧାରଣ କଥା ହୋଇଗଲାଣି । ଶୋଇବା ପୂର୍ବରୁ ଗରିଷ୍ଠ ଖାଦ୍ୟ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦିଏ, ଯାହା ନିଦରେ ବ୍ୟାଘାତ ସୃଷ୍ଟି କରେ । ସେହିପରି ରାତିରେ କଫି କିମ୍ବା ଚାର ଅତ୍ୟଧିକ ସେବନ ଶରୀରକୁ ଅଧିକ ସମୟ ପର୍ଯ୍ୟନ୍ତ ସତେଜ ରଖିଥାଏ, ଫଳରେ ସଠିକ୍ ସମୟରେ ଶୋଇବା ସମ୍ଭବ ହୁଏନାହିଁ ।

ପରିବେଶ ଜନିତ କାରଣ

ସହରୀ ପରିବେଶରେ ରାତିରେ ମଧ୍ୟ ଗାଡ଼ି ମଟରର ଶବ୍ଦ ଏବଂ ରାସ୍ତାରେ ଥିବା ଉଜ୍ଜ୍ୱଳ ଆଲୋକ ଶାନ୍ତ ନିଦରେ ବାଧା ସୃଷ୍ଟି କରେ । ଆମର ଜୈବିକ ଘଣ୍ଟା  ପ୍ରାକୃତିକ ଅନ୍ଧାର ଏବଂ ଆଲୋକ ଅନୁଯାୟୀ କାମ କରେ । ମାତ୍ର କୃତ୍ରିମ ଆଲୋକର ବ୍ୟବହାର ଯୋଗୁଁ ଶରୀର ଦିନ ଏବଂ ରାତି ମଧ୍ୟରେ ଥିବା ପାର୍ଥକ୍ୟ ବୁଝିପାରେ ନାହିଁ, ଯାହା ଫଳରେ ଅନିଦ୍ରା ସମସ୍ୟା ବଢିଥାଏ ।

 ମାନସିକ ସ୍ୱାସ୍ଥ୍ୟ

ଭବିଷ୍ୟତକୁ ନେଇ ଚିନ୍ତା, ଆର୍ଥିକ ସମସ୍ୟା ଏବଂ ସାମାଜିକ ଚାପ ଯୋଗୁଁ ଲୋକେ ରାତିରେ ଶୋଇବା ବେଳେ ଏକାଧିକ ବିଷୟ ଚିନ୍ତା କରିଥାନ୍ତି । ଏହି ଉଦ୍ବେଗ ମସ୍ତିଷ୍କକୁ ସକ୍ରିୟ ରଖେ ଏବଂ ଇନସୋମନିଆବା ଅନିଦ୍ରା ସମସ୍ୟାକୁ ଜନ୍ମ ଦିଏ । ଏହି କାରଣରୁ ଆଙ୍ଗଜାଇଟି ବଢିଥାଏ ତେଣୁ ନିଦ କମ ହୋଇଥାଏ ।

Tags: