କାହିଁକି ହୋଇଥାଏ ହାକୁଟି
ପେଟରେ ଗ୍ୟାସ୍ ଜମା ହେବା କାରଣରୁ ପାଟି ଦେଇ ଗ୍ୟାସ ବାହାରିବା ପ୍ରକ୍ରିୟାକୁ ସାଧାରଣ ଭାଷାରେ ହାକୁଟି କୁହାଯାଏ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଅଧିକ ହେବା ଦ୍ୱାରା ଏହା ସମସ୍ୟା ହୋଇପାରେ।
ସାଧାରଣତଃ ଖାଇବା ବା କିଛି ପିଇବା ସମୟରେ ଯଦି ଆମେ ଅଧିକ ଗ୍ୟାସ ପେଟକୁ ନେଇଯାଉ, ତେବେ ତାହା ହାକୁଟି ଆକାରରେ ବାହାରିଥାଏ। ଶୀଘ୍ର ଖାଇବା ବା କଥା ହୋଇ ଖାଇବା ଦ୍ୱାରା ଏହା ହୋଇଥାଏ। ଏହା ଛଡା କାର୍ବୋନେଟେଡ୍ ପାନୀୟ , କଫି କିମ୍ବା ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ସୃଷ୍ଟି ହୁଏ। ଏହି ଗ୍ୟାସ ହାକୁଟି ହୋଇ ଶରୀରରୁ ବାହାରିଥାଏ । ଅନେକ ସମୟରେ ଦେଖିବାକୁମିଳେ ଯେଉଁମାନଙ୍କର, ବଦହଜମି, ଗ୍ୟାଷ୍ଟ୍ରିକ୍ ସମସ୍ୟା ବା ଏସିଡ୍ ରିଫ୍ଲକ୍ସ ଭଳି ସମସ୍ୟା ଥାଏ ସେମାନଙ୍କର ହାକୁଟି ସମସ୍ୟା ବେଶି ଦେଖିବାକୁ ମିଳେ ।
ପ୍ରଭାବ
- ହାକୁଟି ମାଧ୍ୟମରେ ପେଟରୁ ଅତିରିକ୍ତ ବାୟୁ ବାହାରିଯାଏ, ଯାହାଫଳରେ ପେଟ ହାଲୁକା ଲାଗେ।
- ଯଦି ବାୟୁ ବାହାରି ନପାରେ, ତେବେ ପେଟ ଫୁଲିଯାଏ ଏବଂ ଅସ୍ୱାଭାବିକ ଯନ୍ତ୍ରଣା ଅନୁଭବ ହୁଏ।
- ବେଳେବେଳେ ହାକୁଟି ସହିତ ପେଟର ଏସିଡ୍ ଉପରକୁ ଆସିଥାଏ, ଯାହା ଛାତି ଜଳାପୋଡା କରାଏ।
- ଖାଇବା ପରେ ଯଦି ଏକ ଛୋଟ ହାକୁଟି ଆସୁଛି ତେବେ କିଛି ସମସ୍ୟା ନାହିଁ । ହେଲେ ଯଦି ବାରମ୍ବାର ହାକୁଟି ଆସୁଛି ତେବେ ଏହା ବଦହଜମି କିମ୍ବା କୌଣସି ପାଚନ ସମସ୍ୟାର ସଙ୍କେତ ହୋଇଥାଏ ।
ସାବଧାନତା
- ଧୀରେ ଧୀରେ ଖାଇବା ଖାଆନ୍ତୁ । ଖାଦ୍ୟକୁ ଭଲ ଭାବରେ ଚୋବାଇ ଏବଂ ପାଟି ବନ୍ଦ କରି ଖାଆନ୍ତୁ । ଏହାଦ୍ୱାରା କମ୍ ଗ୍ୟାସ ପେଟକୁ ଯିବ।
- ସୋଡା କିମ୍ବା ଗ୍ୟାସ୍ ଯୁକ୍ତ ପାନୀୟ ପରିବର୍ତ୍ତେ ସାଧାରଣ ପାଣି ପିଅନ୍ତୁ। କୌଣସି ନିଶାଦ୍ରବ୍ୟ ଖାଉଥିଲେ ଦୂରେଇ ରୁହନ୍ତୁ ।
- ଖାଇବା ପରେ ତୁରନ୍ତ ଶୋଇ ନପଡି ଅଳ୍ପ ସମୟ ଚଲାବୁଲା କଲେ ହଜମ ପ୍ରକ୍ରିୟା ଠିକ୍ ରହେ। ଏହି କାରଣରୁ ହାକୁଟି ମଧ୍ୟ ଆସିନଥାଏ ।
- ଯଦି ଆପଣଙ୍କୁ ଦିନସାରା ଅତ୍ୟଧିକ ହାକୁଟି ଆସୁଛି ଏବଂ ପେଟରେ ଯନ୍ତ୍ରଣା ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।



