ସ୍ବର ପରିବର୍ତ୍ତନ ଦେଇଥାଏ ରୋଗର ସଙ୍କେତ 

ସ୍ବର ପରିବର୍ତ୍ତନ ଦେଇଥାଏ ରୋଗର ସଙ୍କେତ 
Ipsita Picture
By: Ipsita
Published On

 

ଆମେ ସାଧାରଣତଃ ସ୍ୱରକୁ କେବଳ କଥାବାର୍ତ୍ତାର ଏକ ମାଧ୍ୟମ ବୋଲି ଭାବିଥାଉ, କିନ୍ତୁ ଏହା ଆମ ସ୍ୱାସ୍ଥ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସଂକେତ ମଧ୍ୟ ଅଟେ । ଥଣ୍ଡା - ଜ୍ୱର କିମ୍ବା କ୍ଲାନ୍ତି ଯୋଗୁଁ ସ୍ୱରରେ ସାମାନ୍ୟ ପରିବର୍ତ୍ତନ ହେବା ସ୍ୱାଭାବିକ, ହେଲେ ଅନେକ ସମୟରେ ଏହି ପରିବର୍ତ୍ତନ ମଧୁମେହ, ଥାଇରଏଡ୍, ହୃଦ୍ରୋଗ କିମ୍ବା ସ୍ନାୟୁଗତ ସମସ୍ୟାର ଇସାରା ହୋଇପାରେ । ସ୍ୱର ପ୍ରସ୍ତୁତ ହେବା ପଛରେ ଆମ ମସ୍ତିଷ୍କ, ଫୁସଫୁସ ଓ ଭୋକାଲ୍ କର୍ଡର ସମନ୍ୱୟ ରହିଥାଏ, ତେଣୁ ଏଥିମଧ୍ୟରୁ କୌଣସି ବି ଅଙ୍ଗରେ ତ୍ରୁଟି ଦେଖାଦେଲେ ତାହାର ସିଧାସଳଖ ପ୍ରଭାବ ସ୍ୱର ଉପରେ ପଡ଼ିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କାହାର ସ୍ୱର ୨ - ୩ ସପ୍ତାହରୁ ଅଧିକ ସମୟ ଧରି ବସି ରହେ, କଥାବାର୍ତ୍ତା କଲାବେଳେ ହଠାତ୍ ପାଟି ଲାଖିଯାଏ ବା ସ୍ୱର ଥରେ, କାଶିବା ସହ ରକ୍ତ ପଡ଼େ କିମ୍ବା ନିଶ୍ୱାସ ନେବାରେ କଷ୍ଟ ହୁଏ, ତେବେ ଏହାକୁ ନେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କାରଣ ଏହା କୌଣସି ମାରାତ୍ମକ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। କେବଳ ଶାରୀରିକ ନୁହେଁ, ବରଂ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଆମ ସ୍ୱର ଉପରେ ସିଧାସଳଖ ପ୍ରଭାବ ପଡ଼ିଥାଏ । ଯେଉଁଥିପାଇଁ ଅବସାଦ ସମୟରେ ମଣିଷର ସ୍ୱର ମନ୍ଥର ଓ ନିସ୍ତେଜ ହୋଇଯାଉଥିବା ବେଳେ ଅତ୍ୟଧିକ ଚିନ୍ତା ଯୋଗୁଁ ସ୍ୱର ତୀବ୍ର ଏବଂ କମ୍ପିତ ହେବା ଭଳି ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ତେଣୁ ସ୍ବରରେ ପରିବର୍ତ୍ତନକୁ ସାଧାରଣ ଭାବି ଅଣଦେଖା କରନ୍ତୁ ନାହିଁ ।

Tags: