ଭିଟାମିନ ସି
ଆମ ଶରୀର ପାଇଁ ଭିଟାମିନ୍ ସି ଏକ ଅତ୍ୟନ୍ତ ଜରୁରୀ ପୋଷକ ତତ୍ତ୍ୱ । ଏହା ଜଳରେ ଦ୍ରବୀଭୂତ ହେଉଥିବା ଏକ ଭିଟାମିନ୍, ଯାହା ଶରୀର ନିଜେ ତିଆରି କରିପାରେ ନାହିଁ, ତେଣୁ ଆମକୁ ଖାଦ୍ୟ ମାଧ୍ୟମରେ ଏହାକୁ ଗ୍ରହଣ କରିବାକୁ ପଡ଼ିଥାଏ । ଏହାର ଆମ ଶରୀରରେ ଅନେକ କାମ ରହିଛି, ଏହା ଆମକୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥାଏ । ଆସନ୍ତୁ ସେହିଭଳି କିଛି ସାହାଯ୍ୟ ସମ୍ପର୍କରେ ଅଳ୍ପରେ ଜାଣିବା ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି
ଭିଟାମିନ୍ ସି ଶରୀରର ପ୍ରତିରକ୍ଷା ପ୍ରଣାଳୀ ବା ଇମ୍ୟୁନିଟିକୁ ବଢାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରେ। ଏହା ଶ୍ବେତରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରେ, ଯାହା ଶରୀରକୁ ବିଭିନ୍ନ ସଂକ୍ରମଣ ଏବଂ ରୋଗ ଜୀବାଣୁ ସହ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିଥାଏ ।
ଆଣ୍ଟି-ଅକ୍ସିଡାଣ୍ଟ ଗୁଣ
ଏହା ଆମ ଶରୀରରେ ଏକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାମ କରେ । ଏହା ଶରୀରର କୋଷଗୁଡ଼ିକୁ 'ଫ୍ରି-ରାଡିକାଲ୍ସ' ନାମକ କ୍ଷତିକାରକ ଅଣୁ କବଳରୁ ରକ୍ଷା କରେ । ଏହା ଦ୍ବାରା ଶରୀରରେ ଅକ୍ସିଡେଟିଭ୍ ଷ୍ଟ୍ରେସ୍ କମିଥାଏ ଏବଂ ବିଭିନ୍ନ ଗୁରୁତର ରୋଗର ଆଶଙ୍କା ହ୍ରାସ ପାଏ ।
ହୃତପିଣ୍ଡକୁ ସୁରକ୍ଷା ଦିଏ
ଭିଟାମିନ୍ ସି ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ଶରୀରରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତନଳୀଗୁଡ଼ିକୁ ନମନୀୟ ରଖେ, ଯାହା ଦ୍ୱାରା ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ସମସ୍ୟା ହେବାର ସମ୍ଭାବନା କମିଯାଏ ।
ଚର୍ମ ଏବଂ କେଶ ପାଇଁ ଲାଭଦାୟକ
ଏହା ଶରୀରରେ 'କୋଲାଜେନ୍' ନାମକ ପ୍ରୋଟିନ୍ ତିଆରି କରିଥାଏ। କୋଲାଜେନ୍ ଚର୍ମକୁ ଟାଣ ରଖେ, କୁଞ୍ଚନ ଦୂର କରେ ଏବଂ ଚର୍ମକୁ ଉଜ୍ଜ୍ୱଳ କରେ । ଏଥିସହ ଏହା କେଶ ଝଡ଼ିବା ରୋକିବାରେ ଏବଂ କ୍ଷତ ଶୀଘ୍ର ଶୁଖାଇବାରେ ସାହାଯ୍ୟ କରେ ।
ମାନସିକ ସ୍ୱାସ୍ଥ୍ୟ ଭଲ ରଖେ
ଭିଟାମିନ୍ ସି ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ । ବୟସ ବଢ଼ିବା ସହିତ ସ୍ମୃତିଶକ୍ତି ହ୍ରାସ ପାଇବା ବା ଆଲଜାଇମର ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହା ଅତ୍ୟନ୍ତ ଜରୁରୀ । ଏହା ମାନସିକ ଚାପ ଓ ଥକ୍କାପଣ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ ।



