ୟୁଟେରାଇନ୍ ଫାଇବ୍ରଏଡ୍ସ
ୟୁଟେରାଇନ୍ ଫାଇବ୍ରଏଡ୍ସ ବା ଗର୍ଭାଶୟରେ ଫାଇବ୍ରଏଡସ ହେଉଛି ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା। ଏହା କୌଣସି କ୍ୟାନ୍ସର ନୁହେଁ, କିନ୍ତୁ ଏହା ଶରୀରରେ କିଛି ସମୟରେ ଅନେକ ଜଟିଳତା ସୃଷ୍ଟି କରିଥାଏ। ଫାଇବ୍ରଏଡ୍ସ ଗର୍ଭାଶୟର କେଉଁ ସ୍ଥାନରେ ହେଉଛି, ସେହି ଅନୁସାରେ ଏହାକୁ ବିଭକ୍ତ କରାଯାଇଛି ।ଇଣ୍ଟ୍ରାମ୍ୟୁରାଲ୍ ଫାଇବ୍ରଏଡ୍ସ ଯାହା ଗର୍ଭାଶୟର ମାଂସପେଶୀର ୱାଲରେ ବଢ଼ିଥାଏ। ଏହା ସବୁଠାରୁ ସାଧାରଣ ପ୍ରକାର। ସବସେରୋସାଲ୍ ଫାଇବ୍ରଏଡ୍ସ ଯାହା ଗର୍ଭାଶୟର ବାହାର ପଟେ ଏବଂ ସବମ୍ୟୁକୋସାଲ୍ ଫାଇବ୍ରଏଡ୍ସ ଯାହା ଗର୍ଭାଶୟର ଭିତର ପଟେ ବଢ଼ିଥାଏ। ସମସ୍ତଙ୍କର ଭିନ୍ନଭିନ୍ନ ପ୍ରକାରର ଲକ୍ଷଣ ରହିଥାଏ ।
ଲକ୍ଷଣ
ଅତ୍ୟଧିକ ରକ୍ତସ୍ରାବ : ମାସିକ ଋତୁସ୍ରାବ ସମୟରେ ପ୍ରବଳ ରକ୍ତସ୍ରାବ ହେବା ଏବଂ ଏହା ଦୀର୍ଘ ଦିନ (୭ ଦିନରୁ ଅଧିକ) ଧରି ଚାଲିବା।
ପେଟ ଯନ୍ତ୍ରଣା : ପେଟର ତଳ ଭାଗରେ କ୍ରମାଗତ ଯନ୍ତ୍ରଣା ହେବା।
ବାରମ୍ବାର ପରିସ୍ରା ଲାଗିବା : ଫାଇବ୍ରଏଡ୍ସ ବଡ଼ ହେଲେ ଏହା ମୂତ୍ରାଶୟ ଉପରେ ଚାପ ପକାଏ, ଯାହା ଫଳରେ ବାରମ୍ବାର ପରିସ୍ରା ଲାଗିଥାଏ।
କୋଷ୍ଠକାଠିନ୍ୟ : ଯଦି ଫାଇବ୍ରଏଡ୍ସ ମଳାଶୟ ଉପରେ ଚାପ ପକାଏ, ତେବେ ମଳତ୍ୟାଗ କରିବାରେ କଷ୍ଟ ହୋଇଥାଏ।
ପେଟ ଫୁଲିବା: ବଡ଼ ଫାଇବ୍ରଏଡ୍ସ ଯୋଗୁଁ ପେଟର ଆକାର ଗର୍ଭବତୀ ମହିଳାଙ୍କ ପରି ବଢ଼ିଯାଇପାରେ।
ସତର୍କତା
ୟୁଟେରାଇନ୍ ଫାଇବ୍ରଏଡ୍ସକୁ ସମ୍ପୂର୍ଣ୍ଣ ରୋକିବା ସମ୍ଭବ ନୁହେଁ, କିନ୍ତୁ କିଛି ପଦକ୍ଷେପ ନେଇ ଏହାର ଆଶଙ୍କା କମାଯାଇପାରେ । ଶରୀରର ଓଜନ ନିୟନ୍ତ୍ରଣରେ ରଖିଲେ ହରମୋନ ସନ୍ତୁଳନ ରହେ। ସେହିଭଳି ଖାଦ୍ୟରେ ସବୁଜ ପନିପରିବା ଓ ଫଳ ସାମିଲ କରନ୍ତୁ। ଅତ୍ୟଧିକ ମାଂସ କିମ୍ବା ଚର୍ବିଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଦୈନିକ ଯୋଗ ବା ବ୍ୟାୟାମ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ରହେ। ଏହାସହ ସମୟ ସମୟରେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପେଟର ଅଲଟ୍ରାସାଉଣ୍ଡ କରାଇନେବା ଉଚିତ୍। ଏହାସହିତ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।



