ରାଜ୍ୟରେ ୧୦୦ ଟପିଲା କୋଭିଡ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର : ନୂଆ ନୂଆ ପ୍ରଜାତିଙ୍କୁ ନେଇ ଧୀରେ ଧୀରେ କାୟା ମେଲାଉଛି କରୋନା I ଗତ ଏକ ବର୍ଷ ଭିତରେ ଏହାର ପ୍ରାଦୁର୍ଭାବ କମି ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଲୋପ ପାଇ ନଥିଲା I ତେଣୁ ଦେଶରେ ପୁଣିଥରେ ଚିନ୍ତା ବଢାଇଛି ସଂକ୍ରମଣ I ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହାପରେ ଆଜି ଓ ଆସନ୍ତାକାଲି ସବୁ ଜିଲ୍ଲା ପ୍ରଶାସନ […]

Samaya Live Picture
Published On

ଭୁବନେଶ୍ୱର : ନୂଆ ନୂଆ ପ୍ରଜାତିଙ୍କୁ ନେଇ ଧୀରେ ଧୀରେ କାୟା ମେଲାଉଛି କରୋନା I ଗତ ଏକ ବର୍ଷ ଭିତରେ ଏହାର ପ୍ରାଦୁର୍ଭାବ କମି ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଲୋପ ପାଇ ନଥିଲା I ତେଣୁ ଦେଶରେ ପୁଣିଥରେ ଚିନ୍ତା ବଢାଇଛି ସଂକ୍ରମଣ I

ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହାପରେ ଆଜି ଓ ଆସନ୍ତାକାଲି ସବୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ମୁକାବିଲା ଓ ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ରାଜ୍ୟଗୁଡିକର କୋଭିଡ ପରିଚାଳନା ପାଇଁ ସାର୍ବଜନିକ ସ୍ୱାସ୍ଥ୍ୟ ପ୍ରସ୍ତୁତି ଏବଂ କରୋନା ଟୀକାକରଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇନାହିଁ । ତେଣୁ ମହାମାରୀ ଏବେ ନିୟନ୍ତ୍ରଣରେ ରହିଥିବା ସେ ପରୋକ୍ଷରେ ପ୍ରକାଶ କରିଛନ୍ତି । ଏହାପରେ ୧୦ ଓ ୧୧ ତାରିଖରେ ହସ୍ପିଟାଲ ଗୁଡ଼ିକର ଭିତ୍ତିଭୂମି ପ୍ରସ୍ତୁତି ନେଇ ମକ୍‌ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।

ଏହାରି ମଧ୍ୟରେ ଗତକାଲିଠାରୁ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୩% ବୃଦ୍ଧି ପାଇ ୬,୦୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।ଏବେ ଦେଶରେ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ରାଜ୍ୟରେ ୧୦୩ ପଜିଟିଭ ବାହାରିଥିଲେ । କିନ୍ତୁ ଏସବୁ ଭିତରେ ଆଶ୍ୱସ୍ତିର କଥା ହେଉଛି, ଏବେ ସୁସ୍ଥତା ହାର ୯୯% ରହିଛି । ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୫୦ ଟ୍ରେଣ୍ଡ ଥିବା ବେଳେ ଏବେ ଏହା ୧୦୦ ପାର ହୋଇଛି ।

ସେହିପରି ଗତ ୨୪ ‌ଘଣ୍ଟାରେ ୧୪ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୯୪୩କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୩.୩୯% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୩.୦୨% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୮୫,୮୫୮। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୫% ରହିଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୩୦୩କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୬%।

Tags: