ସବୁଠାରୁ ଛୋଟ ମସ୍ତିଷ୍କ ପ୍ରତ୍ୟାରୋପଣ

ସବୁଠାରୁ ଛୋଟ ମସ୍ତିଷ୍କ ପ୍ରତ୍ୟାରୋପଣ
Ipsita Picture
By: Ipsita
Published On

 

କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଗବେଷକମାନେ ଲୁଣ ଦାନାଠାରୁ ମଧ୍ୟ କ୍ଷୁଦ୍ର ଏକ ମାଇକ୍ରୋସ୍କୋପିକ୍ ବ୍ରେନ୍ ଇମ୍ପ୍ଲାଣ୍ଟ ବା ମସ୍ତିଷ୍କ ପ୍ରତ୍ୟାରୋପଣ ବିକଶିତ କରିଛନ୍ତି । ଯାହା ଏକ ଜୀବନ୍ତ ପ୍ରାଣୀର ମସ୍ତିଷ୍କର ସ୍ନାୟବିକ କାର୍ଯ୍ୟକଳାପକୁ ଏକ ବର୍ଷରୁ ଅଧିକ ସମୟ ଧରି ବିନା ତାରରେ ପ୍ରେରଣ କରିପାରିବ । 'ନେଚର ଇଲେକ୍ଟ୍ରୋନିକ୍ସ' ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, 'ମାଇକ୍ରୋସ୍କେଲ୍ ଅପ୍ଟୋଇଲେକ୍ଟ୍ରୋନିକ୍ ଟେଦରଲେସ୍ ଇଲେକ୍ଟ୍ରୋଡ୍' ବା 'ମୋଟ୍' ନାମକ ଏହି ଯନ୍ତ୍ରଟି ମାତ୍ର ୩୦୦ ମାଇକ୍ରନ୍ ଲମ୍ବା ଏବଂ ୭୦ ମାଇକ୍ରନ୍ ଚଉଡ଼ା । ଏହା ମସ୍ତିଷ୍କ ଟିସୁ ଦେଇ କ୍ଷତି ନ ପହଞ୍ଚାଇ ପ୍ରବାହିତ ହେଉଥିବା ଲାଲ୍ ଏବଂ ଇନଫ୍ରାରେଡ୍ ଲେଜର ରଶ୍ମିରୁ ଶକ୍ତି ଗ୍ରହଣ କରେ ଏବଂ ଇନଫ୍ରାରେଡ୍ ଆଲୋକ ତରଙ୍ଗ ମାଧ୍ୟମରେ ମସ୍ତିଷ୍କର ବୈଦ୍ୟୁତିକ ସଙ୍କେତଗୁଡ଼ିକୁ ପଠାଇଥାଏ । ବୌଜ୍ଞାନିକଙ୍କ ମତରେ ସାଟେଲାଇଟ୍ ଅପ୍ଟିକାଲ୍ ଯୋଗାଯୋଗରେ ବ୍ୟବହୃତ 'ପଲ୍ସ ପୋଜିସନ୍ ମଡ୍ୟୁଲେସନ୍' କୋଡ୍ ବ୍ୟବହାର କରି ଏହା ଅତ୍ୟନ୍ତ କମ୍ ଶକ୍ତିରେ ସଫଳତାର ସହ ତଥ୍ୟ ପ୍ରେରଣ କରିପାରୁଥିବା ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ନ୍ୟୁରାଲ୍ ଇମ୍ପ୍ଲାଣ୍ଟ ଅଟେ । ଗବେଷକମାନେ ଏହାକୁ ପ୍ରଥମେ ସେଲ୍ କଲଚର୍ ଏବଂ ପରେ ମୂଷାମାନଙ୍କ ମସ୍ତିଷ୍କର 'ବ୍ୟାରେଲ୍ କର୍ଟେକ୍ସ'ରେ ପ୍ରତିରୋପଣ କରି ପରୀକ୍ଷା କରିଥିଲେ । ଯେଉଁଠାରେ ମୂଷାମାନେ ସମ୍ପୂର୍ଣ୍ଣ ସୁସ୍ଥ ଓ ସକ୍ରିୟ ରହିବା ସହ ଏହା ଏକ ବର୍ଷ ଧରି ସଫଳତାର ସହ ନ୍ୟୁରନ୍ ଗତିବିଧି ରେକର୍ଡ କରିଥିଲା । ଏହାବ୍ୟତୀତ ଏହାର ସ୍ୱତନ୍ତ୍ର ଉପାଦାନ ଯୋଗୁଁ ଏମ୍ଆର ଆଇ  ସ୍କାନ୍ ସମୟରେ ମଧ୍ୟ ମସ୍ତିଷ୍କର ତଥ୍ୟ ସଂଗ୍ରହ ସମ୍ଭବ ହୋଇପାରିବ । ଭବିଷ୍ୟତରେ ଏହାକୁ ମେରୁଦଣ୍ଡ କିମ୍ବା କୃତ୍ରିମ ଖପୁରୀ ପ୍ଲେଟରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ଆଶା କରାଯାଉଛି ।

Tags: