ସାଇଲେଣ୍ଟ ହାର୍ଟ ଆଟାକ

ସାଇଲେଣ୍ଟ ହାର୍ଟ ଆଟାକ
Ipsita Picture
By: Ipsita
Published On

ସାଧାରଣତଃ କାଶ, ଛିଙ୍କ, ଥକ୍କାପଣ ଏବଂ ଜ୍ୱରକୁ ଆମେ ଫ୍ଲୁ ବା ଥଣ୍ଡା-ଜ୍ୱରର ଲକ୍ଷଣ ବୋଲି ଭାବିଥାଉ । ହେଲେ ଅନେକ ସମୟରେ ଏହା ‘ସାଇଲେଣ୍ଟ ହାର୍ଟ ଆଟାକ୍’ ଭଳି ଗମ୍ଭୀର ସମସ୍ୟାର ସଙ୍କେତ ହୋଇପାରେ ବୋଲି ମ୍ୟାକଗିଲ୍ ବିଶ୍ୱବିଦ୍ୟାଳୟର ଏକ ସମ୍ପ୍ରତି ଅଧ୍ୟୟନରୁ ଜଣାପଡ଼ିଛି । ଏହି ରିପୋର୍ଟ ଅନୁସାରେ ବିଶେଷ କରି ୫୫ ବର୍ଷରୁ କମ୍ ବୟସର ପ୍ରାୟ ୨୦ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ହୃଦଘାତ ସମୟରେ ଛାତିରେ ଯନ୍ତ୍ରଣା ହୋଇନଥାଏ, ବରଂ ସେମାନେ କେବଳ ସାମାନ୍ୟ ଥକ୍କାପଣ କିମ୍ବା ବାନ୍ତି ଲାଗିବା ଭଳି ଲକ୍ଷଣ ଅନୁଭବ କରନ୍ତି । ଯାହାକୁ ଅନେକ ସମୟରେ ମାନସିକ ଚାପ ବା ଫ୍ଲୁ ଭାବି ଅଣଦେଖା କରାଯାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ସାଇଲେଣ୍ଟ ହାର୍ଟ ଆଟାକରେ ହୃଦୟକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେଉଥିଲେ ମଧ୍ୟ ଶରୀର କୌଣସି ‘ଆଲାର୍ମ’ ଦେଇନଥାଏ, ଯାହା ମହିଳାମାନଙ୍କ ପାଇଁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ । ମହିଳାଙ୍କ କ୍ଷେତ୍ରରେ କ୍ଷୁଦ୍ର ରକ୍ତବାହିକାରେ ସମସ୍ୟା, ମେନୋପଜ୍ ପରେ ଏଷ୍ଟ୍ରୋଜେନ୍ ହରମୋନର ହ୍ରାସ ଏବଂ ଦୀର୍ଘକାଳୀନ ମାନସିକ ଚାପ ବା ଅବସାଦ ଯୋଗୁଁ କର୍ଟିସୋଲ୍ ସ୍ତର ବୃଦ୍ଧି ପାଇ ହୃଦଘାତର ଆଶଙ୍କା ବଢ଼ାଇଥାଏ । ବିଶ୍ୱ ହୃଦୟ ସଂଘ ଅନୁସାରେ ପ୍ରତି ବର୍ଷ ପ୍ରାୟ ଏକ-ତୃତୀୟାଂଶ ମହିଳାଙ୍କ ମୃତ୍ୟୁର କାରଣ ହୃଦରୋଗ ହୋଇଥାଏ । ବିନା କାରଣରେ ଅତ୍ୟଧିକ ଥକ୍କାପଣ, ଶୋଇବା ସମୟରେ ଅଣନିଶ୍ୱାସୀ ଲାଗିବା କିମ୍ବା ପେଟର ଉପର ଭାଗରେ ଅସ୍ୱାଭାବିକ ଯନ୍ତ୍ରଣା ହେଲେ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ । ଯଦି ଏଭଳି କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags: