ରେଟ ସିଣ୍ଡ୍ରୋମ

ରେଟ ସିଣ୍ଡ୍ରୋମ ଏକ ପ୍ରକାର ଆନୁବଂଶିକ ବିକାର ଅଟେ । ଝିଅମାନଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ । ପିଲାଦିନରୁ ରେଟ ସିଣ୍ଡ୍ରୋମ ସମସ୍ୟା ବିକଶିତ ହୋଇଥାଏ । ଯଦି କୁନି ପିଲାଙ୍କୁ ରେଟ ସିଣ୍ଡ୍ରୋମ ହୋଇଥାଏ ତେବେ ଏହା ସେମାନଙ୍କ କଥା କହିବା, ଚାଲିବା, ଖାଇବା ଓ ନିଃଶ୍ୱାସ ପ୍ରଶ୍ୱାସ ନେବା ଉପରେ ପ୍ରଭାବ ପକାଇଥାଏ । ଚାରି ବର୍ଷ ବୟସରୁ ଏହି ସମସ୍ୟା ଆରମ୍ଭ ହୁଏ । ଯେତେବେଳେ ପିଲା ବଡ଼ହୁଏ […]

Samaya Live Picture
Published On

ରେଟ ସିଣ୍ଡ୍ରୋମ ଏକ ପ୍ରକାର ଆନୁବଂଶିକ ବିକାର ଅଟେ । ଝିଅମାନଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ । ପିଲାଦିନରୁ ରେଟ ସିଣ୍ଡ୍ରୋମ ସମସ୍ୟା ବିକଶିତ ହୋଇଥାଏ । ଯଦି କୁନି ପିଲାଙ୍କୁ ରେଟ ସିଣ୍ଡ୍ରୋମ ହୋଇଥାଏ ତେବେ ଏହା ସେମାନଙ୍କ କଥା କହିବା, ଚାଲିବା, ଖାଇବା ଓ ନିଃଶ୍ୱାସ ପ୍ରଶ୍ୱାସ ନେବା ଉପରେ ପ୍ରଭାବ ପକାଇଥାଏ ।

ଚାରି ବର୍ଷ ବୟସରୁ ଏହି ସମସ୍ୟା ଆରମ୍ଭ ହୁଏ । ଯେତେବେଳେ ପିଲା ବଡ଼ହୁଏ ସେମାନେ ଚିଡ଼ଚିଡ଼ା ହୋଇଯାଆନ୍ତି । ଏହାସହ କେତେକ ଅସ୍ୱାଭାବିକ ଶାରୀରିକ ଲକ୍ଷଣ ଓ ଆଚରଣ ମଧ୍ୟ ପିଲାଠାରେ ଦେଖିବାକୁ ମିଳିଥାଏ । କେତେକ କ୍ଷେତ୍ରରେ ପିଲାମାନେ ଅଣନିଃଶ୍ୱାସୀ ହୋଇପଡ଼ିବା ସହ ଭିଡ଼, ପାହାଚ ଚଢ଼ିବା ବା ଖାଦ୍ୟପେୟର ଅନିୟମିତ ହେଲେ ସେମାନଙ୍କୁ ଅସହଜ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ, କାରଣ ଓ ଚିକିତ୍ସା ବିଷୟରେ ।
ରେଟ ସିଣ୍ଡ୍ରୋମ ରୋଗର ପ୍ରମୁଖ ଲକ୍ଷଣ ଗୁଡ଼ିକ ହେଉଛି କଥା କହିବାରେ ସମସ୍ୟା ହେବା, ହାତରେ ଅଜବ ଗତି ଅନୁଭବ କରିବା, ମାନସିକ ବିକାଶରେ ବାଧା ସୃଷ୍ଟି ହେବା, ବାତ ମାରିବା, ଠିକ୍‌ ଭାବେ ନିଦ ନ ହେବା, ଶ୍ୱାସକ୍ରିୟାରେ ସମସ୍ୟା, ମେରୁଦଣ୍ଡ ହାଡ଼ ଯନ୍ତ୍ରଣା ହେବା ।

ଅନେକଙ୍କ ଭିତରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏହି ରେଟ ସିଣ୍ଡ୍ରୋମର ଉତ୍ପତ୍ତି ବା କାରଣ ଗୁଡ଼ିକ ସବୁ କ’ଣ? ରେଟ ସିଣ୍ଡ୍ରୋମ ଏମଇସିପି-୨ ନାମକ ଏକ ଜିନ୍‌ର ପରିବର୍ତ୍ତନ ଦ୍ୱାରା ହୋଇଥାଏ । ଏହି ଜିନରେ ୯୦୦ରୁ ଅଧିକ ପ୍ରକାରର କ୍ରୋମୋଜୋମ ମିଳିଥାଏ । ଏହି ସମସ୍ୟା ପୁଅମାନଙ୍କ ଠାରେ ଅଧିକ ଦେଖାଯାଏ ନାହିଁ । ଏହାର ଲକ୍ଷଣ ସାଧାରଣ ଠାରୁ ଗମ୍ଭୀର ହୋଇପାରେ । ଶିଶୁର ଶରୀରରେ ଥିବା ପୁଷ୍ଟିକର ଖାଦ୍ୟ, ତାଙ୍କ ଜୀବନଶୈଳୀ ଇତ୍ୟାଦି ଉପରେ ନିର୍ଭର କରି ଲକ୍ଷଣ ଦେଖାଦିଏ ।

ଏହାର ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଛୋଟିଆ ଆଲୋଚନାଟି ରଖୁଛୁ । ରେଟ ସିଣ୍ଡ୍ରୋମର କୌଣସି ଉପଶମ ନାହିଁ ସତ କିନ୍ତୁ ଲାଇଫଷ୍ଟାଇଲରେ ପରିବର୍ତ୍ତନ ଆଣି ଏହି ସମସ୍ୟାର ଲକ୍ଷଣକୁ ନିୟନ୍ତ୍ରଣ କରାଯାଇପାରିବ । ଫିଜିକାଲ ଥେରାପି ସାହାଯ୍ୟରେ ମଧ୍ୟ ରେଟ ସିଣ୍ଡ୍ରୋମ ଲକ୍ଷଣକୁ ନିୟନ୍ତ୍ରଣ କରାଯାଇପାରିବ । ବାତ ମାରିବା ସମସ୍ୟାକୁ ଦୂର କରିବାକୁ ହେଲେ କିଛି ଔଷଧ ସେବନ କରିପାରିବେ । ସଠିକ ଏବଂ ପୁଷ୍ଟିକର ଖାଦ୍ୟ ସାହାଯ୍ୟରେ ରେଟ ସିଣ୍ଡ୍ରୋମର ଲକ୍ଷଣକୁ ନିୟନ୍ତ୍ରଣ କରାଯାଇପାରିବ । ସର୍ବପ୍ରଥମେ ଆପଣ ପିଲାଟି ଠାରେ ଛୋଟ ସମୟରୁ ଏହାର ଲକ୍ଷଣ ଦେଖିଲେ ସରକାରୀ ବ୍ୟବସ୍ଥିତ ଡାକ୍ତରୀ ସେବାର ସୁଯୋଗ ନିଅନ୍ତୁ । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହାର ସମସ୍ତ ପରୀକ୍ଷା ନିରୀକ୍ଷା ଓ ଔଷଧର ମାଗଣା ବ୍ୟବସ୍ଥା ରଖିଛନ୍ତି । ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶରେ ଚିକିତ୍ସାକୁ ତ୍ୱରାନ୍ୱିତ କରନ୍ତୁ । କେତେକ କ୍ଷେତ୍ରରେ ରେଟ ସିଣ୍ଡ୍ରୋମର ଗୁରୁତର ଲକ୍ଷଣ କୁହାଯାଉଥିବା ବାତ ମାରିବା ସମସ୍ୟାକୁ ନେଇ ଅଭିଭାବକମାନେ ଭୟଭୀତ ହୋଇପଡ଼ିଥାନ୍ତି । ତେବେ ଏ ନେଇ ଭୟଭୀତ ନ ହୋଇ ବରଂ ପିଲାଟିର ସ୍ୱାସ୍ଥ୍ୟଗତ ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ । ପିଲାକୁ ବାହାର ଖାଦ୍ୟ ଆଦୌ ଦିଅନ୍ତୁ ନାହିଁ ।

ସୁଷମ ଖାଦ୍ୟ ସବୁଠାରୁ ଭଲ । ଫଳ ଓ ତଟକା ପନିପରିବା ଉତ୍ତମ ଖାଦ୍ୟ ତାଲିକା ଭିତରେ ଯିବ । କେତେକ ଅଭିଭାବକ ପିଲାମାନଙ୍କୁ ଗୁଣିଗାରେଡି ବା ଝଡ଼ାଫୁଙ୍କା ଚିକିତ୍ସା ପାଇଁ ମନସ୍ତ କରିଥାନ୍ତି । ଏହା ପିଲାଟିର ସ୍ୱାସ୍ଥ୍ୟଗତ ଦିଗକୁ ଗୁୁରୁତର କରିବାର ସମ୍ଭାବନା ରହିଛି । ପିଲାଟିର ଫିଜିଓଥେରାପି ଚିକିତ୍ସା କରୁଥିଲେ ଥେରାପିଷ୍ଟଙ୍କ ପରାମର୍ଶରେ ଘରୋଇ ଭାବରେ ଏକ ସ୍ୱାସ୍ଥ୍ୟଗତ ସତର୍କତାକୁ ଗ୍ରହଣ କରନ୍ତୁ । ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶରେ ଆପଣ ପିଲାଟିର ଚିକିତ୍ସା ଜାରି ରଖନ୍ତୁ ।

Tags: