ପ୍ରତିକାର

ପ୍ରତିକାର
Ipsita Picture
By: Ipsita
Published On

 

ବର୍ତ୍ତମାନର ବଦଳୁଥିବା ଜୀବନଶୈଳୀରେ ନିଦ୍ରାହୀନତାବା ସ୍ଲିପ୍ ଡିପ୍ରାଇଭେସନ୍’  ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ପର୍ଯ୍ୟାପ୍ତ ନିଦ୍ରାର ଅଭାବ କେବଳ ଶାରୀରିକ କ୍ଲାନ୍ତି ଆଣେ ନାହିଁ, ବରଂ ଏହା ମାନସିକ ଅବସାଦ, ହୃଦରୋଗ ଏବଂ ମଧୁମେହ ଭଳି ରୋଗର କାରଣ ସାଜିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଜରୁରୀ ପଦକ୍ଷେପ ନେବା ଆବଶ୍ୟକ ।

 

ନିୟମିତ ଶୋଇବା ସମୟ ନିର୍ଦ୍ଧାରଣ

ଶରୀରର ଏକ ଆଭ୍ୟନ୍ତରୀଣ ଘଣ୍ଟା ବା ସର୍କାଡିଆନ୍ ରିଦିମ୍ରହିଥାଏ । ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଏବଂ ସକାଳେ ଏକ ନିର୍ଦ୍ଦିଷ୍ଟ ସମୟରେ ଉଠିବା ଦ୍ୱାରା ମସ୍ତିଷ୍କ ଏହି ଅଭ୍ୟାସରେ ଅଭ୍ୟସ୍ତ ହୋଇଯାଏ । ଛୁଟିଦିନରେ ମଧ୍ୟ ଏହି ସମୟ ସାରଣୀରେ ପରିବର୍ତ୍ତନ ନକରିବା ଭଲ, ଯାହାଦ୍ୱାରା ଗଭୀର ନିଦ୍ରା ହୋଇଥାଏ ।

 ଡିଜିଟାଲ୍ ଉପକରଣଠୁ ଦୁରତା

ମୋବାଇଲ୍, ଲାପଟପ୍ ଏବଂ ଟିଭିରୁ ନିର୍ଗତ ହେଉଥିବା ନୀଳ ଆଲୋକଆମ ଶରୀରରେ ମେଲାଟୋନିନ୍ ହରମୋନ୍ର ପ୍ରଭାବକୁ କମାଇଦିଏ, ଯାହା ନିଦ୍ରା ପାଇଁ ଦାୟୀ । ଶୋଇବାର ଅତି କମରେ ଏକ ଘଣ୍ଟା ପୂର୍ବରୁ ଏହି ଡିଜିଟାଲ୍ ଉପକରଣଗୁଡ଼ିକ ବ୍ୟବହାର ବନ୍ଦ କରିବା ଉଚିତ୍। ଏହା ବଦଳରେ ବହି ପଢ଼ିବା କିମ୍ବା ହାଲୁକା ସଙ୍ଗୀତ ଶୁଣିବା ଲାଭଦାୟକ । ଏହାଫଳରେ ଭଲ ଓ ଶୀଘ୍ର ନିଦ ଆସିଥାଏ ଏବଂ ରାତିରେ ନିଦ ଅଧିକଥର ଭାଙ୍ଗେ ନାହିଁ ମଧ୍ୟ ।

 ଖାଦ୍ୟପେୟ

ଶୋଇବା ପୂର୍ବରୁ ଅଧିକ ମସଲାଯୁକ୍ତ ବା ଭାରି ଖାଦ୍ୟ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହୁଏ, ଯାହା ନିଦ୍ରାରେ ବାଧା ଦିଏ । ସେହିପରି ସନ୍ଧ୍ୟା ସମୟ ପରେ ଚା’, କଫି କିମ୍ବା କୋଲ୍ଡ ଡ୍ରିଙ୍କସ୍ ଭଳି କ୍ୟାଫିନ୍ ଯୁକ୍ତ ପାନୀୟରୁ ଦୂରେଇ ରହିବା ଆବଶ୍ୟକ, କାରଣ ଏହା ମସ୍ତିଷ୍କକୁ ସତର୍କ ରଖି ଶୋଇବାକୁ ଦିଏ ନାହିଁ ।

2124

ଶୋଇବା ଘରର ପରିବେଶ

ଏକ ଶାନ୍ତ, ଅନ୍ଧାରିଆ ଏବଂ ଥଣ୍ଡା ପରିବେଶରେ ନିଦ ଭଲ ହୁଏ । ଶୋଇବା ଘରକୁ ପରିଷ୍କାର ରଖିବା ସହ ଶୋଇବା ପାଇଁ ବ୍ୟବହୃତ ଗଦି ଓ ତକିଆ ଯେପରି ଆରାମଦାୟକ ହୋଇଥିବ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ବାହାର ଶବ୍ଦକୁ ରୋକିବା ପାଇଁ କବାଟ-ଝରକା ବନ୍ଦ ରଖନ୍ତୁ। ଏହି ଘରକୁ ପର୍ଯ୍ୟାପ୍ତ ପରିମାଣରେ ଭେଣ୍ଟିଲେସନ ଯୋଗାନ୍ତୁ ।

 ବ୍ୟାୟାମ

ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଶରୀର କ୍ଲାନ୍ତ ହୁଏ ଏବଂ ରାତିରେ ଜଲଦି ନିଦ ହୁଏ। କିନ୍ତୁ ଶୋଇବାର ତୁରନ୍ତ ପୂର୍ବରୁ କଠିନ ବ୍ୟାୟାମ କରିବା ଉଚିତ୍ ନୁହେଁ । ଯୋଗ ଓ ପ୍ରାଣାୟାମ ମଧ୍ୟ ମାନସିକ ଚାପ କମାଇ ନିଦ୍ରାହୀନତା ଦୂର କରିବାରେ ବହୁତ ସହାୟକ ହୋଇଥାଏ ।

ଦିନବେଳା ନିଦକୁ ନିୟନ୍ତ୍ରଣ

ଦିନବେଳେ ଦୀର୍ଘ ସମୟ ଧରି ଶୋଇବା ଦ୍ୱାରା ରାତିରେ ନିଦ୍ରାହୀନତା ସମସ୍ୟା ଦେଖାଦିଏ । ଯଦି ଆପଣଙ୍କୁ ଦିନରେ ଶୋଇବାର ଆବଶ୍ୟକତା ଅଛି, ତେବେ ଏହାକୁ ୨୦ ରୁ ୩୦ ମିନିଟ୍ ମଧ୍ୟରେ ସୀମିତ ରଖନ୍ତୁ ଏବଂ ବିଳମ୍ବିତ ଅପରାହ୍ନରେ ଶୁଅନ୍ତୁ ନାହିଁ । ତେବେ ଏହି ସମସ୍ତ କଥା ଆପଣଙ୍କ ଡାକ୍ତରଙ୍କ ପରାମର୍ଶରେ ଆପଣାନ୍ତୁ ।

Tags: