ଆରାମ ଦାୟକ ୱାର୍କଆଉଟ

ଆରାମ ଦାୟକ ୱାର୍କଆଉଟ
Ipsita Picture
By: Ipsita
Published On

 

ଖରାଦିନେ ୱାର୍କଆଉଟ୍ ପାଇଁ ପୋଷାକ ଚୟନ ସମୟରେ ଅନେକ ଦ୍ବନ୍ଦ୍ବ ଦେଖିବାକୁ ମିଳିଥାଏ । ତେଣୁ ଖରାଦିନେ କିଭଳି ୱାର୍କଆଉଟ୍କୁ ଆରାମଦାୟକ କରିହେବ ସେଥିପାଇଁ କିଛି ଟିପ୍ସ ସମ୍ପର୍କରେ ସ୍ବତନ୍ତ୍ର ଉପସ୍ଥାପନା ।

 

ସଠିକ୍ ପୋଷାକ

 ଖରାଦିନେ ଶରୀରକୁ ଥଣ୍ଡା ରଖିବା ପାଇଁ ହାଲୁକା ଏବଂ ଝାଳ ଶୁଖାଉଥିବା ସିନ୍ଥେଟିକ୍ ବ୍ଲେଣ୍ଡସ୍ ଯେପରିକି ପଲିଷ୍ଟର କିମ୍ବା ନାଇଲନ୍ କପଡ଼ାର ପୋଷାକ ବାଛନ୍ତୁ । ମୋଟା ସୂତା କପଡ଼ା ପିନ୍ଧିବାଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଶରୀରର ଝାଳକୁ ଶୁଖାଇ ନଥାଏ । ଏହାଦ୍ୱାରା ଚର୍ମ କୁଣ୍ଡେଇ ହେବା ବା ଛେଲି ହେବା ଭଳି ସମସ୍ୟା ଦେଖାଦିଏ । ଏଥିସହିତ ମେସ୍ ପ୍ୟାନେଲ୍ ବା ସ୍ୱତନ୍ତ୍ର ସ୍ୱେଟ୍-ୱିକିଙ୍ଗ୍ ଟେକ୍ନୋଲୋଜି ଥିବା ପୋଷାକ ପିନ୍ଧନ୍ତୁ । ଆଜିକାଲି ଅନେକ ବ୍ରାଣ୍ଡ ଏଭଳି ସ୍ବତନ୍ତ୍ର ପୋଷାକ ପ୍ରସ୍ତୁତ କରୁଛନ୍ତି ।

 

 ରଙ୍ଗର ସନ୍ତୁଳନ

 ସୂର୍ଯ୍ୟକିରଣକୁ ରିଫ୍ଲେକ୍ଟ କରୁଥିବା ହାଲୁକା ରଙ୍ଗର ପୋଷାକ ପିନ୍ଧିବାକୁ ପ୍ରାଧାନ୍ୟ ଦିଅନ୍ତୁ। ଶରୀରରେ ବାୟୁ ଚଳାଚଳ ସ୍ୱାଭାବିକ ରଖିବା ପାଇଁ ମିନିମାଲିଷ୍ଟ ଷ୍ଟାଇଲ୍ ଯେପରିକି ଟ୍ୟାଙ୍କ୍ ଟପ୍ସ, କ୍ରପ୍ ଟପ୍ସ ଏବଂ ଛୋଟ ତଥା ଆରାମଦାୟକ ସର୍ଟସ ବ୍ୟବହାର କରନ୍ତୁ । ଏହାଫଳରେ ୱାର୍କଆଉଟ ସମୟରେ ଆପଣଙ୍କୁ ଥଣ୍ଡା ଲାଗିବ ।

 ଆରାମଦାୟକ ଜୋତା

ଖରାଦିନେ ବ୍ୟାୟାମ ସମୟରେ ପାଦ ଫୁଲିଯିବା ଏବଂ ଅତ୍ୟଧିକ ଗରମ ହେବାର ଆଶଙ୍କା ଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଝାଳ ଶୁଖାଇପାରୁଥିବା ମୋଜା ଏବଂ ମେସ୍ ଅପର୍ସ ଟ୍ରେନିଂ ଜୋତା ବ୍ୟବହାର କରନ୍ତୁ। ସେହିଭଳି ସବୁବେଳେ ଆରାମ ଦାୟକ ଜୋତା ଜିମ ପାଇଁ ଚୟନ କରନ୍ତୁ ।

ସନ୍ସ୍କ୍ରିନ୍ ବ୍ୟବହାର କରନ୍ତୁ

ଯଦି ଆପଣଙ୍କ ଜିମ୍ରେ ବଡ଼ କାଚର ଝରକା ରହିଛି କିମ୍ବା ଆପଣ ଜିମ୍ ଭିତରୁ ବାହାରକୁ ଆସି ବ୍ୟାୟାମ କରୁଛନ୍ତି, ତେବେ ଖରାରୁ ରକ୍ଷା ପାଇବା ପାଇଁ ଶରୀରର ଖୋଲା ଅଂଶରେ  ସନ୍ସ୍କ୍ରିନ୍ ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ଅନେକ ଚର୍ମ ସମସ୍ୟାରୁ ସୁରକ୍ଷା ମିଳିଥାଏ ।

 

Tags: