ବର୍ଷା ଦିନିଆ ସଂକ୍ରମଣ
ବର୍ଷା ଋତୁରେ ସୂର୍ଯ୍ୟକିରଣର ଅଭାବ ଏବଂ ବାୟୁମଣ୍ଡଳରେ ଅତ୍ୟଧିକ ଆର୍ଦ୍ରତା କାରଣରୁ କପଡ଼ା ସହଜରେ ଶୁଖିନଥାଏ । ଯାହାଫଳରେ ଲୁଗାପଟାରୁ ଏକ ଅଜବ ଦୁର୍ଗନ୍ଧ ଆସିବା ସହ ଆଲମାରୀରେ ରଖାଯାଇଥିବା ଶୁଖିଲା କପଡ଼ାରୁ ମଧ୍ୟ ଓଦାଳିଆ ବାସ୍ନା ବାହାରିଥାଏ । ତେବେ ବର୍ଷା ଦିନେ କପଡ଼ା ୬ ରୁ ୮ ଘଣ୍ଟା କିମ୍ବା ତା’ଠାରୁ ଅଧିକ ସମୟ ଓଦା ରହିଲେ ସେଥିରେ ବ୍ୟାକ୍ଟେରିଆ ଓ ଫଙ୍ଗସ୍ ବଂଶବୃଦ୍ଧି କରନ୍ତି, ଯାହା ଦୁର୍ଗନ୍ଧର ମୁଖ୍ୟ କାରଣ ସାଜିଥାଏ । ଏହାଛଡ଼ା ଲୁଗା ଧୋଇବା ପରେ ସେଥିରେ ସାବୁନ୍ କିମ୍ବା ଡିଟରଜେଣ୍ଟ୍ର ଅଂଶ ରହିଯିବା ଏବଂ ଓଦା ଲୁଗାକୁ ଦୀର୍ଘ ସମୟ ବାଲ୍ଟି କିମ୍ବା ୱାଶିଂ ମେସିନ୍ରେ ଛାଡ଼ିଦେବା ଦ୍ୱାରା ମଧ୍ୟ ମାଇକ୍ରୋବ୍ସ ବଢ଼ି ଦୁର୍ଗନ୍ଧକୁ ତୀବ୍ର କରିଥାନ୍ତି । ବିଶେଷ କରି ସୁତା ଏବଂ ଉଲ୍ କପଡ଼ା ଅଧିକ ଆଦ୍ରତା ଧରିରଖୁଥିବାରୁ ଏଥିରୁ ଅଧିକ ଦୁର୍ଗନ୍ଧ ଆସୁଥିବା ବେଳେ ସିନ୍ଥେଟିକ୍ କପଡ଼ା ଶରୀରର ଝାଳ ଶୋଷି ବ୍ୟାକ୍ଟେରିଆ ବଢ଼ାଇଥାଏ । ଏଭଳି ଦୁର୍ଗନ୍ଧଯୁକ୍ତ କିମ୍ବା ଓଦାଳିଆ କପଡ଼ା କ୍ରମାଗତ ପିନ୍ଧିବା ଦ୍ୱାରା ତ୍ୱଚାର ସୁରକ୍ଷା ସ୍ତର ଦୁର୍ବଳ ହୋଇଯାଏ । ଯାହାଫଳରେ କାଛୁ, କୁଣ୍ଡିଆ ଭଳି ଗମ୍ଭୀର ଫଙ୍ଗାଲ୍ ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ, ତେଣୁ ଏହି ଦିନଗୁଡ଼ିକରେ କପଡ଼ାକୁ ସମ୍ପୂର୍ଣ୍ଣ ଶୁଖାଇବା ସହ ସଠିକ୍ ଭାବେ ଧୋଇ ବ୍ୟବହାର କରିବା ଉଚିତ୍ ।




