ଦୁଗ୍ଧଜାତ ଦ୍ରବ୍ୟର ଭଲମନ୍ଦ

ଦୁଗ୍ଧଜାତ ଦ୍ରବ୍ୟର ଭଲମନ୍ଦ
Ipsita Picture
By: Ipsita
Published On

 

ଦୁଗ୍ଧଜାତ ଦ୍ରବ୍ୟ ଯଥା କ୍ଷୀର, ଦହି, ପନିର, ଘିଅ ଆମର ଦୈନନ୍ଦିନ ଆହାରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏଗୁଡ଼ିକ ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ୱର ଭଣ୍ଡାର ହୋଇଥିବାବେଳେ, ଅତ୍ୟଧିକ ବା ଅନୁପଯୁକ୍ତ ବ୍ୟବହାର କିଛି ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେଣୁ ଏଗୁଡିକ ବ୍ୟବହାର ପୂର୍ବରୁ ଏହା ଆପଣଙ୍କ ପାଇଁ ଭଲ କି ମନ୍ଦା ବୁଝି ନିଅନ୍ତୁ, ଏଥିପାଇଁ ଡାକ୍ତରଙ୍କ ସାହାଯ୍ୟ ନିଅନ୍ତୁ ।

 ଉପକାରିତା

ଅସ୍ଥି ଓ ଦାନ୍ତର ମଜଭୁତି : ଦୁଗ୍ଧଜାତ ଦ୍ରବ୍ୟ କ୍ୟାଲସିୟମ୍ ଏବଂ ଫସଫରସ୍ର ସବୁଠାରୁ ବଡ଼ ଉତ୍ସ। ଏହା ହାଡ଼କୁ ଶକ୍ତ କରିବା ସହ ଦାନ୍ତର ସ୍ୱାସ୍ଥ୍ୟ ରକ୍ଷା କରିଥାଏ ଏବଂ ବୟସ୍କ ବ୍ୟକ୍ତିଙ୍କଠାରେ ଅଷ୍ଟିଓପୋରୋସିସ୍ ଭଳି ରୋଗର ଆଶଙ୍କା କମାଏ।

ଉଚ୍ଚମାନର ପ୍ରୋଟିନ୍ : କ୍ଷୀର ଓ ପନିରରେ ଭରପୂର ମାତ୍ରାରେ ପ୍ରୋଟିନ୍ ଥାଏ, ଯାହା ମାଂସପେଶୀର ଗଠନ ଓ ରକ୍ଷଣାବେକ୍ଷଣ ପାଇଁ ଅତ୍ୟନ୍ତ ଆବଶ୍ୟକ। ଏହା ବଢ଼ୁଥିବା ପିଲା ଓ ଆଥଲେଟ୍ଙ୍କ ପାଇଁ ଲାଭଦାୟକ।

 

ଭିଟାମିନ୍ ବି-୧୨ ର ଉତ୍ସ : ଶାକାହାରୀ ଲୋକଙ୍କ ପାଇଁ ଦୁଗ୍ଧଜାତ ଦ୍ରବ୍ୟ ଭିଟାମିନ୍ ବି୧୨ ର ଏକ ପ୍ରମୁଖ ଉତ୍ସ, ଯାହା ସ୍ନାୟୁ ପ୍ରଣାଳୀର କାର୍ଯ୍ୟଦକ୍ଷତା ଏବଂ ରକ୍ତ କଣିକା ଗଠନରେ ସାହାଯ୍ୟ କରେ।

 

ହଜମ ପ୍ରକ୍ରିୟାରେ ସହାୟକ : ଦହି ଏବଂ ଘୋଳଦହିରେ ଉପକାରୀ ବ୍ୟାକ୍ଟେରିଆ ଥାଏ, ଯାହା ପେଟର ହଜମ ପ୍ରକ୍ରିୟାକୁ ସଜାଡ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

 

ରକ୍ତଚାପ ନିୟନ୍ତ୍ରଣ : ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭଳି ଖଣିଜ ଲବଣ ଥିବା ଯୋଗୁଁ କମ୍ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ସମସ୍ୟା

ଲାକ୍ଟୋଜ୍ ଇନଟଲରାନ୍ସ : ଅନେକ ଲୋକଙ୍କ ଶରୀର କ୍ଷୀରରେ ଥିବା ପ୍ରାକୃତିକ ଶର୍କରା 'ଲାକ୍ଟୋଜ୍'କୁ ହଜମ କରିପାରେ ନାହିଁ। ଏହାଦ୍ୱାରା ପେଟ ଫାମ୍ପିବା, ଗ୍ୟାସ୍ ଏବଂ ଝାଡ଼ା ଭଳି ସମସ୍ୟା ଦେଖାଦିଏ।

 କୋଲେଷ୍ଟ୍ରଲ: ଫୁଲଫ୍ୟାଟ କ୍ଷୀରରେ ସାଚୁରେଟେଡ୍ ଫ୍ୟାଟ୍ ଅଧିକ ଥାଏ। ଏହାର ଅତ୍ୟଧିକ ସେବନ ଦ୍ୱାରା ଓଜନ ବଢ଼ିବା ସହ ହୃଦ୍ରୋଗର ଆଶଙ୍କା ବଢ଼ିପାରେ।

ଚର୍ମ ସମସ୍ୟା : କିଛି ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅତ୍ୟଧିକ କ୍ଷୀର ସେବନ ଦ୍ୱାରା ହର୍ମୋନ୍ର ଅସନ୍ତୁଳନ ଘଟିଥାଏ, ଯାହା ଫଳରେ ବ୍ରଣ  ସମସ୍ୟା ଦେଖାଦିଏ।

ଆଲର୍ଜି: କିଛି ଶିଶୁ ଏବଂ ବଡ଼ ମାନଙ୍କର କ୍ଷୀରରେ ଥିବା ପ୍ରୋଟିନ୍  ପ୍ରତି ଆଲର୍ଜି ଥାଏ, ଯାହା ଶ୍ୱାସକ୍ରିୟା ବା ଚର୍ମରେ କୁଣ୍ଡେଇ ହେବା ଭଳି ଲକ୍ଷଣ ସୃଷ୍ଟି କରେ ।

Tags: