ଗର୍ଭଧାରଣ ଓ ମାନସିକ ସମସ୍ୟା
ଗର୍ଭଧାରଣ କରିଥିବା ସ୍ତ୍ରୀଲୋକଟିର ମାନସିକ ସମସ୍ୟା ଜାଣିବାକୁ ହେଲେ ପ୍ରଥମେ ତା’ର ମନକୁ ଜାଣିବାକୁ ହେବ । ସେ ଗର୍ଭଧାରଣ କରିବାକୁ ପ୍ରସ୍ତୁତ ଥିଲା ନା ନାହିଁ, ପିଲାଟି ତା’ର ଆବଶ୍ୟକ ନା ନାହିଁ ପଚାରି ବୁଝିବାକୁ ପଡ଼ିବ । ତା’ର ବୟସ କେତେ, ସେ ମାଆ ହେବାକୁ କେତେ ପ୍ରସ୍ତୁତ, ଏବଂ ପିଲାଟିର ପିତାଙ୍କ ସହିତ ସଂପର୍କ, ଏସବୁ ସ୍ତ୍ରୀ ଲୋକଟିର ମନକୁ ପ୍ରଭାବିତ କରିଥାଏ । କେତେ ଜଣ ମାତୃତ୍ୱକୁ ସୌଭାଗ୍ୟ ମନେ କରୁଥିବାବେଳେ, […]
ଗର୍ଭଧାରଣ କରିଥିବା ସ୍ତ୍ରୀଲୋକଟିର ମାନସିକ ସମସ୍ୟା ଜାଣିବାକୁ ହେଲେ ପ୍ରଥମେ ତା’ର ମନକୁ ଜାଣିବାକୁ ହେବ । ସେ ଗର୍ଭଧାରଣ କରିବାକୁ ପ୍ରସ୍ତୁତ ଥିଲା ନା ନାହିଁ, ପିଲାଟି ତା’ର ଆବଶ୍ୟକ ନା ନାହିଁ ପଚାରି ବୁଝିବାକୁ ପଡ଼ିବ । ତା’ର ବୟସ କେତେ, ସେ ମାଆ ହେବାକୁ କେତେ ପ୍ରସ୍ତୁତ, ଏବଂ ପିଲାଟିର ପିତାଙ୍କ ସହିତ ସଂପର୍କ, ଏସବୁ ସ୍ତ୍ରୀ ଲୋକଟିର ମନକୁ ପ୍ରଭାବିତ କରିଥାଏ । କେତେ ଜଣ ମାତୃତ୍ୱକୁ ସୌଭାଗ୍ୟ ମନେ କରୁଥିବାବେଳେ, ଆଉ କେତେଜଣ ଏହାକୁ ଏକ ଗୁରୁଦାୟିତ୍ୱ ବୋଲି ଭାବନ୍ତି । ସ୍ତ୍ରୀଲୋକଟିର ମାନସିକ ସମସ୍ୟା ଜାଣିବାକୁ ହେଲେ, ତା’ର ନିଜର ପିଲାବେଳର ଇତିହାସ ଜାଣିବା ଦରକାର । ଶିଶୁ ଥିବା ସମୟରେ ତା’ ପ୍ରତି ତା ମାଆ ତଥା ପରିବାରର ବ୍ୟବହାର ମାତୃତ୍ୱ ଉପରେ ପ୍ରଭାବ ପକାଇଥାଏ । ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ପଡ଼ିଥିଲେ, ସେ ଜଣେ ଭଲ ମାଆ ହେବାର ବିଶ୍ୱାସକୁ କମ କରିଦେଇଥାଏ । ତାକୁ ସବୁବେଳେ ଅଜଣା ଭୟ ଲାଗିଥାଏ ।

ଗର୍ଭାବସ୍ଥାର ଆରମ୍ଭରୁ ହିଁ ମାଆଟିର ପିଲାଟି ପ୍ରତି ଆସକ୍ତି ଆସିଥାଏ । ପିଲାଟିକୁ ନ ଦେଖିପାରିଲେ ମଧ୍ୟ, କେତେଜଣ ନିଜର ମନରେ ପିଲାଟିର ଏକ ଚିତ୍ର ଭାବିନେଇଥାନ୍ତି । ଆଉ କେତେଜଣ ମନେ ମନେ ପିଲାଟି ସହ କଥାବାର୍ତ୍ତା କରନ୍ତି । ଏହା ମାଆ ଓ ଶିଶୁର ବନ୍ଧନକୁ ସୁଦୃଢ଼ ଓ ସୁସ୍ଥ ଗର୍ଭଧାରଣରେ ସାହାଯ୍ୟ କରିଥାଏ । ମାତ୍ର କେତେକ ସ୍ଥଳରେ ମାଆର ଶିଶୁ ପ୍ରତି ଅତ୍ୟଧିକ କୌତୂହଳ ମନୋଭାବ, ତା’ର ମାନସିକ ସମସ୍ୟାର କାରଣ ହୋଇଥାଏ । ପ୍ରଥମଥର ପାଇଁ ଗର୍ଭଧାରଣ କରୁଥିବା ସ୍ତ୍ରୀଲୋକ, ଶିଶୁଟି ଜନ୍ମହେବା ପରେ ନିଜର ସ୍ୱାଧୀନତା କମିଯିବାର ଆଶଙ୍କା କରିଥାଏ । ନିଜର ସ୍ୱାମୀ ସହ ଏକାନ୍ତ ସମୟ ବିତାଇ ନ ପାରିବାର ଭୟ, ଦମ୍ପତିଙ୍କ ମଧ୍ୟରେ ମନୋମାଳିନ କରିଥାଏ । ମାତ୍ର ଅଧିକାଂଶ ସ୍ଥଳରେ ଶିଶୁଟିଏ ଜନ୍ମହେଲେ, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବନ୍ଧନ ଅଧିକ ଦୃଢ଼ ହୋଇଥାଏ ।

କେତେକ ସ୍ଥଳରେ ଅତ୍ୟଧିକ ପାରିବାରିକ ଚାପ ସ୍ତ୍ରୀଲୋକଟିର ମାନସିକ ସମସ୍ୟାର କାରଣ ହୋଇଥାଏ । ମାଆଟିକୁ ନିଜର ବୃତ୍ତିରୁ ନିବୃତ୍ତ ହେବାକୁ ବାଧ୍ୟ କରାଯାଏ । କେତେକ ପରିବାରରେ ପୁଅଟିଏ ଜନ୍ମ କରିବାକୁ କୁହାଯାଏ, ଯାହା ଉପରେ ମା’ଟିର ନିୟନ୍ତ୍ରଣ ନ ଥାଏ । ଏହିପରି ବିଭିନ୍ନ ପ୍ରକାର ମାନସିକ, ପାରିବାରିକ ତଥା ସାମାଜିକ ଚାପ ଗର୍ଭାବସ୍ଥାରେ ମାନସିକ ଅବସାଦ ତଥା ଅହେତୁକ ଭୟର ମୁଖ୍ୟ କାରଣ ହୋଇଥିବା ବେଳେ, ପ୍ରସବ ପରେ ଶରୀରରେ ହରମୋନ୍ ବା ଜୀବରସର ବିଶୃଙ୍ଖଳା ଯୋଗୁଁ ମାନସିକ ସମସ୍ୟା ସୃଷ୍ଟି ହୋଇଥାଏ ।
ପ୍ରସବ ପରେ ମାନସିକ ଅବସାଦ

ପ୍ରସବର ୪ରୁ ୬ ସପ୍ତାହ ପରେ କେତେକ ସ୍ତ୍ରୀଲୋକମାନଙ୍କ ମନଦୁଃଖ ହୁଏ ଓ କାନ୍ଦିବାକୁ ଇଚ୍ଛା ହୁଏ । ଏମାନଙ୍କୁ ପ୍ରାୟ ଔଷଧ ଚିକିତ୍ସା ଦରକାର ହୁଏ ନାହିଁ, ମନସ୍ତତ୍ତ୍ୱ ଚିକିତ୍ସା ଦିଆଯାଏ । ରୋଗୀ ସହ କଥାବାର୍ତ୍ତା କରି ତା’ର ସମସ୍ୟା ବିଷୟରେ ପଚାରି ବୁଝିବା ଉଚିତ । ସେ କ’ଣ ପାଇଁ ଚିନ୍ତିତ ରହିଛି, ସେ ବିଷୟରେ ଜାଣିବା ଆବଶ୍ୟକ । ସେ କିପରି ପରିସ୍ଥିତି ସହ ଖାପ ଖୁଆଇ ଜୀବନର ବାସ୍ତବତା ପ୍ରତି ସଜାଗ ରହିବ ତାହା ମଧ୍ୟ ତାଙ୍କୁ ବୁଝାଇବା ଉଚିତ । ସେ ଆବଶ୍ୟକ କରୁଥିବା ସାହାଯ୍ୟ, ସହାନୁଭୂତି, ଉପଦେଶ ଓ ଉତ୍ସାହ ଦେଲେ ରୋଗ ଶୀଘ୍ର ଭଲ ହୋଇଯାଏ । ରୋଗୀର ଚିକିତ୍ସା ପାଇଁ ପରିବାରର ସଦସ୍ୟମାନଙ୍କର ଗୁରୁଦାୟିତ୍ୱ ରହିଛି । ସେମାନେ ରୋଗୀର ସମସ୍ୟା ବୁଝିବା ସଙ୍ଗେ ସଙ୍ଗେ ଏହାର ସମାଧାନ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।
ପ୍ରସବର ପ୍ରାୟ ୧୨ ସପ୍ତାହ ମଧ୍ୟରେ କେତେକ ସ୍ତ୍ରୀଲୋକମାନଙ୍କର ମାନସିକ ଅବସାଦ ଦେଖାଦିଏ । ସେମାନଙ୍କର ମନ ଅତ୍ୟଧିକ ଦୁଃଖ ରହେ, ଅହେତୁକ ଭୟ ଲାଗେ ଓ ନିଦ ହୁଏ ନାହିଁ । ଏମାନଙ୍କୁ ଔଷଧ ଚିକିତ୍ସା ସହିତ ମନସ୍ତାତ୍ତିବକ ଚିକିତ୍ସା ଦରକାର ହୁଏ ।
ପ୍ରସବ ପରେ ମାନସିକ ବିଶୃଙ୍ଖଳା

ପ୍ରାୟ ଏକ ହଜାର ଜଣଙ୍କ ମଧ୍ୟରୁ ଜଣେ ଦୁଇ ଜଣଙ୍କୁ ଏପରି ସମସ୍ୟା ଦେଖାଯାଇଥାଏ । ଯେଉଁମାନଙ୍କର ପୂର୍ବରୁ ମାନସିକ ସମସ୍ୟା ଥାଏ ବା ବଂଶରେ କାହାର ମାନସିକ ରୋଗ ହୋଇଥାଏ, ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଏହି ରୋଗର ବିଭିନ୍ନ ଲକ୍ଷଣ ପ୍ରସବର ପ୍ରାୟ ୨ରୁ ୩ ସପ୍ତାହ ମଧ୍ୟରେ ଦେଖାଯାଏ । ରୋଗୀକୁ ନିଦ ହୁଏ ନାହିଁ, ମନ ଓ ଶରୀର ଅସ୍ଥିର ଲାଗେ । କେତେଜଣଙ୍କ ମନରେ ସନ୍ଦେହ ଆସେ । ଶିଶୁଟିର ଅନିଷ୍ଟ କରିବାକୁ ଧାରଣା ମନ ଭିତରେ ବାରମ୍ବାର ଆସେ । ଆଉ କେତେଜଣଙ୍କୁ ପିଲାଟିର କ୍ଷତି କରିବାକୁ ଶୂନବାଣୀ ହୁଏ । ଏହି ମାନସିକ ସମସ୍ୟା ଉଭୟ ମାଆ ଓ ଶିଶୁଟି ପାଇଁ ବିପଦପୂର୍ଣ୍ଣ । ତେଣୁ ରୋଗୀଟିକୁ ଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନେବା ଆବଶ୍ୟକ । କେତେକ ସ୍ଥଳରେ ଚିକିତ୍ସା ପାଇଁ ବାଧ୍ୟ କରାଯାଏ । ଔଷଧର ପ୍ରଭାବ ଉଭୟ ମାଆ ଓ ଶିଶୁଟି ଉପରେ ପଡୁଥିବାରୁ ଅତ୍ୟଧିକ ଯତ୍ନଶୀଳ ହେବାକୁ ପଡ଼େ । ଯଦି ରୋଗୀ ଆତ୍ମହତ୍ୟା କରିବାକୁ ଇଚ୍ଛା ବା ଚେଷ୍ଟା କରୁଥାଏ ତାହାହେଲେ ତା’ପ୍ରତି ସଯତ୍ନ ରହି ସର୍ବଦା ଜଗି ରହିବା ଆବଶ୍ୟକ । ଯଦି ଏହା ସମ୍ଭବ ନ ହୁଏ, ତାହେଲେ ତାଙ୍କୁ ଡାକ୍ତରଖାନାରେ ରଖିବା ଆବଶ୍ୟକ ।
ଆମେ ଜାଣିବା ଉଚିତ ଯେ ଗର୍ଭଧାରଣ କିମ୍ବା ପ୍ରସବ ପରେ ହେଉଥିବା ବିଭିନ୍ନ ପ୍ରକାର ମାନସିକ ସମସ୍ୟା ଉପଯୁକ୍ତ ଔଷଧ ଓ ମନସ୍ତାତ୍ତ୍ୱିକ ଚିକିତ୍ସା ମାଧ୍ୟମରେ ସଂପୂର୍ଣ୍ଣ ଭାବେ ଭଲ ହୋଇପାରିବ ।




