ପ୍ଲାଷ୍ଟିକ ଠାରୁ ବିପଦ କାଗଜ ଷ୍ଟ୍ର
ପ୍ଲାଷ୍ଟିକ୍ ଷ୍ଟ୍ର’ ର ଏକ ପରିବେଶ-ଅନୁକୂଳ ବିକଳ୍ପ ଭାବେ ଗ୍ରହଣ କରାଯାଉଥିବା କାଗଜ ଷ୍ଟ୍ର’ ବାସ୍ତବରେ ପରିବେଶ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିବା ଏକ ନିକଟତର କୋରିଆନ୍ ଗବେଷଣାରୁ ପ୍ରକାଶ ପାଇଛି । ଦକ୍ଷିଣ କୋରିଆର ଜଳବାୟୁ , ଶକ୍ତି ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଏବଂ ପିପୁଲ୍ସ ପାୱାର ପାର୍ଟିର ପ୍ରତିନିଧି କିମ୍ ୱି-ସାଙ୍ଗଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ସୂଚନାନୁଯାୟୀ, କାଗଜ ଷ୍ଟ୍ର’ର ଉତ୍ପାଦନ, ବ୍ୟବହାର ଓ ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରକ୍ରିୟା ମଧ୍ୟରେ ଏହା ସାଧାରଣ ପ୍ଲାଷ୍ଟିକ୍ ଷ୍ଟ୍ର’ ତୁଳନାରେ ୬.୩୩ ଘୁଣା ଅଧିକ କ୍ଷତିକାରକ । ଚାରୋଟି ଭିନ୍ନ ପ୍ରକାରର ଷ୍ଟ୍ର’ (ସାଧାରଣ ପ୍ଲାଷ୍ଟିକ୍, କାଗଜ, ବାୟୋଡିଗ୍ରେଡେବଲ୍ ପ୍ଲାଷ୍ଟିକ୍ ଓ ବାୟୋ-ପିଇ) ଉପରେ କରାଯାଇଥିବା ଏହି ଆକଳନରେ ବାୟୋ-ପିଇ ସବୁଠାରୁ ଖରାପ ଅର୍ଥାତ୍ ୧୬.୧୮ ଘୁଣା ଅଧିକ କ୍ଷତିକାରକ ପ୍ରଭାବ ପକାଇଥାଏ । ସେହିଭଳି ବାୟୋଡିଗ୍ରେଡେବଲ୍ ପ୍ଲାଷ୍ଟିକ୍ ୩.୩୪ ଗୁଣା ପ୍ରଭାବ ପକାଉଥିବା ଜଣାପଡ଼ିଛି । ପରିବେଶ ସହିତ ଆମ ଶରୀରରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ ବୋଲି ଏହି ଗବେଷଣାରୁ ଜଣା ପଡିଛି ।




