ଓଭର ଥିଙ୍କିଙ୍ଗ
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ 'ଓଭର ଥିଙ୍କିଙ୍ଗ' ବା ଅତ୍ୟଧିକ ଚିନ୍ତା କରିବା ଏକ ସାଧାରଣ ସମସ୍ୟା ପାଲଟିଛି। ଯେତେବେଳେ ଜଣେ ବ୍ୟକ୍ତି କୌଣସି ଏକ ଘଟଣା ବା ବିଷୟକୁ ନେଇ ବାରମ୍ବାର ବିଶ୍ଳେଷଣ କରେ ଏବଂ ସେହି ଚକ୍ରବ୍ୟୂହରୁ ବାହାରିପାରେ ନାହିଁ, ତାହାକୁ ଅତ୍ୟଧିକ ଚିନ୍ତା କୁହାଯାଏ। ଏହା କେବଳ ମନକୁ କ୍ଲାନ୍ତ କରେ ନାହିଁ, ବରଂ ଜୀବନର ସ୍ବାଭାବିକ ଗତିକୁ ମଧ୍ୟ ବାଧାପ୍ରାପ୍ତ କରେ। ଆଜିକାଲି ଲୋକଙ୍କର ଏହା ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିବାରେ ଲାଗିଛି, ଯାହା ଖୁବ କ୍ଷତିକାରକ ।
ପ୍ରଭାବ
_ ନିଷ୍ପତ୍ତି ନେବାରେ ଅସୁବିଧା ହୋଇଥାଏ । ଛୋଟ ଛୋଟ କଥାରେ ଅଧିକ ଭାବିବା ଦ୍ୱାରା ମଣିଷ ଠିକ୍ ସମୟରେ ନିଷ୍ପତ୍ତି ନେଇପାରେ ନାହିଁ।
_ ଏହାଦ୍ବାରା ମାନସିକ ଚାପ ସୃଷ୍ଟି ହୋଇଥାଏ । ଏଭର ଥିଙ୍କିଙ୍ଗ ଫଳରେ ମସ୍ତିଷ୍କ ସବୁବେଳେ କ୍ଲାନ୍ତ ରହେ, ଯାହାଫଳରେ ବ୍ୟକ୍ତି ସବୁବେଳେ ଚିଡ଼ିଚିଡ଼ା ଅନୁଭବ କରେ।
_ ଅତ୍ୟଧିକ ଚିନ୍ତା ଯୋଗୁଁ କୌଣସି କାମରେ ମନ ଏକାଗ୍ର ହୋଇପାରେ ନାହିଁ, ଯାହାଫଳରେ କାମର ଗୁଣବତ୍ତା ଖରାପ ହୁଏ। କାର୍ଯ୍ୟଦକ୍ଷତା ହ୍ରାସ ପାଇଥାଏ ।
_ ନକାରାତ୍ମକତା ବଢିଥାଏ । ବ୍ୟକ୍ତି ସବୁବେଳେ ଖରାପ ପରିଣାମ ବିଷୟରେ ଭାବି ଭାବି ଭୟଭୀତ ରହେ।
ଲକ୍ଷଣ
_ ଅତୀତର ଘଟଣାକୁ ମନେ ପକାଇ ବାରମ୍ବାର ଦୁଃଖ କରିବା।
_ଭବିଷ୍ୟତ ବିଷୟରେ ଅନାବଶ୍ୟକ ଭୟ ଏବଂ ଚିନ୍ତା।
_ଶୋଇବା ସମୟରେ ମନକୁ ଅନେକ ପ୍ରକାରର ଚିନ୍ତା ଆସିବା ଏବଂ ନିଦ ନ ହେବା।
_କୌଣସି ଛୋଟ କଥାକୁ ବହୁତ ବଡ଼ କରି ଭାବିବା।
_ କିଏ କ'ଣ କହିଲା ବା ଭାବିଲା, ସେହି ବିଷୟରେ ବାରମ୍ବାର ମନେ ପକାଇବା।
ଟିପ୍ସ
_ ଯେତେବେଳେ ଆପଣ ଅଧିକ ଭାବିବା ଆରମ୍ଭ କରୁଛନ୍ତି, ନିଜକୁ ଅଟକାନ୍ତୁ। ମନକୁ ବୁଝାନ୍ତୁ ଯେ ଏହି ଚିନ୍ତା ଆପଣଙ୍କୁ କୌଣସି ସମାଧାନ ଦେବ ନାହିଁ।
_ ଅତୀତ ବା ଭବିଷ୍ୟତରେ ନ ରହି ବର୍ତ୍ତମାନର ମୁହୂର୍ତ୍ତକୁ ଉପଭୋଗ କରନ୍ତୁ। ଯୋଗ ଏବଂ ଧ୍ୟାନ ଏଥିପାଇଁ ବହୁତ ସହାୟକ ହୋଇଥାଏ।
_ ଯେତେବେଳେ ମନ ଖାଲି ରହେ, ସେତେବେଳେ ଅଧିକ ଚିନ୍ତା ଆସେ। ତେଣୁ ନିଜ ପସନ୍ଦର କାମ ଯଥା ବହି ପଢ଼ିବା, ଗୀତ ଶୁଣିବା ବା ବାହାରକୁ ବୁଲିବାକୁ ଯାଆନ୍ତୁ।
_ କୌଣସି ସମସ୍ୟା ଉପରେ ବିଚାର କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ। ଦିନସାରା ସେହି କଥା ଭାବନ୍ତୁ ନାହିଁ।
_ ମଣିଷ ମାତ୍ରେ ଭୁଲ। ଅତୀତର ଭୁଲକୁ ମନେ ପକାଇ ଦୁଃଖ ନ କରି ସେଥିରୁ ଶିକ୍ଷା ଲାଭ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ।
_ ଯଦି ଅଧିକ ସମସ୍ୟା ରହୁଛି ତେବେ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ ।



