ଓଏମଏଡି ଡାଏଟ୍
ଆଜିକାଲି ଅନେକ ଡାଏଟ୍ ସମସ୍ତେ ଫଲୋ କରୁଛନ୍ତି, ସେଥିରୁ ଗୋଟିଏ ହେଲା ଓଏମଏଡି । ଯହାରର ଅର୍ଥ ହେଉଛି ଦିନକୁ ମାତ୍ର ଥରେ ଖାଇବା। ଏହା 'ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ୍' ର ଏକ କଠୋର ରୂପ, ଯାହା ଓଜନ କମାଇବା ପାଇଁ ବର୍ତ୍ତମାନ ସମଗ୍ର ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟ ହେବାରେ ଲାଗିଛି। ଏହି ଡାଏଟ୍ ପ୍ଲାନରେ ଜଣେ ବ୍ୟକ୍ତି ଦିନର ୨୪ ଘଣ୍ଟା ମଧ୍ୟରୁ ୨୩ ଘଣ୍ଟା ଉପବାସ ରହେ ଏବଂ ବାକି ୧ ଘଣ୍ଟା ମଧ୍ୟରେ ନିଜର ସମସ୍ତ କ୍ୟାଲୋରୀ ଗ୍ରହଣ କରିଥାଏ। ଯେତେବେଳେ ଆମେ ୨୩ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଉନାହୁଁ, ଶରୀରରେ ଇନସୁଲିନ୍ ସ୍ତର କମିଯାଏ। ଫଳରେ ଶରୀର ଶକ୍ତି ପାଇଁ ଜମା ହୋଇଥିବା ଚର୍ବିକୁ ବ୍ୟବହାର କରିବା ଆରମ୍ଭ କରେ, ଯାହାକୁ 'କେଟୋସିସ୍' ଅବସ୍ଥା କୁହାଯାଏ । ସେହିଭଳି ଦିନକୁ ଥରୁଟିଏ ଖାଇବା ଦ୍ୱାରା ଜଣେ ବ୍ୟକ୍ତି ସ୍ୱାଭାବିକ ଭାବେ କମ୍ କ୍ୟାଲୋରୀ ଗ୍ରହଣ କରିଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ।
ଡାଏଟ୍ର ମୁଖ୍ୟ ଉପାଦାନ
ଏହି ଡାଏଟ୍ରେ ଆପଣ କ’ଣ ଖାଇବେ ତାହା ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ସମୟର ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ (ଡାଲି, ଅଣ୍ଡା, ପନୀର), ସୁସ୍ଥ ଚର୍ବି (ଅଲିଭ୍ ଅଏଲ୍, ବାଦାମ), ଏବଂ କାର୍ବୋହାଇଡ୍ରେଟ୍ (ଶାଗ, ପନିପରିବା) ରହିବା ଆବଶ୍ୟକ। ଉପବାସ ସମୟରେ ଆପଣ କେବଳ ପାଣି, ବିନା ଚିନିର ବ୍ଲାକ୍ କଫି କିମ୍ବା ଗ୍ରୀନ୍ ଟି ପିଇପାରିବେ। ଏହି ସମୟରେ ଆପଣ ନିଜ ସୁବିଧା ଅନୁସାରେ ଦିନର ଯେକୌଣସି ଗୋଟିଏ ସମୟ (ଯେପରିକି କେବଳ ରାତି ଭୋଜନ) ସ୍ଥିର କରିପାରିବେ, କିନ୍ତୁ ପ୍ରତିଦିନ ସେହି ସମୟରେ ହିଁ ଖାଇବା ଉଚିତ।
ଉପକାରିତା
ଏହା ଶରୀରର ଚର୍ବିକୁ କମାଇବାରେ ସବୁଠାରୁ ପ୍ରଭାବଶାଳୀ ଉପାୟ। ଦୀର୍ଘ ସମୟ ଉପବାସ ରହିବା ଦ୍ୱାରା ଶରୀରର କୋଷଗୁଡ଼ିକ ନିଜକୁ ନିଜେ ସଫା କରିଥାନ୍ତି ଏବଂ ମୃତ କୋଷଗୁଡ଼ିକୁ ବାହାର କରି ଦିଅନ୍ତି, ଯାହାଦ୍ୱାରା ବାର୍ଦ୍ଧକ୍ୟ ପ୍ରକ୍ରିୟା ଧୀମା ହୋଇଥାଏ। ଅନେକ ଲୋକ ଅନୁଭବ କରନ୍ତି ଯେ ଉପବାସ ସମୟରେ ସେମାନଙ୍କର ମସ୍ତିଷ୍କ ଅଧିକ ସକ୍ରିୟ ରହେ ଏବଂ କାମରେ ଏକାଗ୍ରତା ବଢ଼ିଥାଏ। ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏବଂ ଟାଇପ୍-୨ ମଧୁମେହର ଆଶଙ୍କା କମାଇବାରେ ସାହାଯ୍ୟ କରେ।
ସମ୍ଭାବ୍ୟ କ୍ଷତିକାରକ ପ୍ରଭାବ
ଓମାଡ୍ ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ, ଏହାର କିଛି ଖରାପ ଦିଗ ମଧ୍ୟ ରହିଛି । ମାତ୍ର ଗୋଟିଏ ଥର ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ହେଉଥିବା ସମସ୍ତ ଭିଟାମିନ୍ ଓ ମିନେରାଲ୍ ମିଳିବା କଷ୍ଟକର ହୋଇଥାଏ। ଦୀର୍ଘ ସମୟ ନଖାଇ ରହିବା ଦ୍ୱାରା ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ଏବଂ ମନରେ ଅସ୍ଥିରତା ଦେଖାଦେଇପାରେ। ଥରକରେ ବହୁତ ଅଧିକ ଖାଦ୍ୟ ଖାଇବା ଦ୍ୱାରା ପେଟ ଫାମ୍ପିବା ଏବଂ ଗ୍ୟାସ୍ ସମସ୍ୟା ହୋଇପାରେ। ମହିଳାମାନଙ୍କ କ୍ଷେତ୍ରରେ ଏହି କଠୋର ଉପବାସ ଯୋଗୁଁ ମାସିକ ଋତୁଚକ୍ରରେ ଅନିୟମିତତା ଦେଖାଦେଇପାରେ। ତେଣୁ ଏହି ଡାଏଟ କରିବା ଆଗରୁ ଯେମିତି ବି ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଏହା ବାଧ୍ୟତାମୂଳକ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ ଖାଦ୍ୟ ଗ୍ରହଣ କରନ୍ତୁ ।
Related Posts



