ହେଉଛି କି ବଦହଜମି
ଅନେକ ସମୟରେ ଗ୍ରୀଷ୍ମ ଋତୁରେ ବଦହଜମୀ ଓ ଏସିଡିଟିର ସମସ୍ୟା ବଢୁଥିବାର ଦେଖିବାକୁ ମିଳିଥାଏ । ତେବେ ଏକ ଗବେଷଣା ଅନୁଯାୟୀ, ଅତ୍ୟଧିକ ଗରମ ଓ ଡିହାଇଡ୍ରେସନ ଯୋଗୁଁ ଶରୀରର ରକ୍ତପ୍ରବାହ ଚର୍ମ ଆଡ଼କୁ ବଢ଼ିଯାଏ, ଯାହାଦ୍ୱାରା ପାଚନ ପ୍ରକ୍ରିୟା ମନ୍ଥର ହୋଇ ଏସିଡ୍ ରିଫ୍ଲକ୍ସ ବା ଏସିଡିଟି ସମସ୍ୟା ଦେଖାଦେଇଥାଏ । ପେଟରେ ଅତ୍ୟଧିକ ଏସିଡ୍ ପ୍ରସ୍ତୁତ ହୋଇ ଖାଦ୍ୟନଳୀକୁ ଆସିବା ଫଳରେ ସିନେ ଓ ଗଳା ଜଳାପୋଡ଼ା କରିବା, ଖଟା ହେକୁଟି ଆସିବା ଏବଂ ପେଟ ଭାରି ଲାଗିବା ଭଳି ଲକ୍ଷଣ ପ୍ରକାଶ ପାଏ । ଯାହାକୁ ଅଧିକାଂଶ ଲୋକ ସାଧାରଣ ମନେକରି ଅଣଦେଖା କରନ୍ତି । ମାତ୍ର ଏହା ଦୀର୍ଘଦିନ ଧରି ରହିଲେ ଗ୍ୟାଷ୍ଟ୍ରୋଇସୋଫେଜାଲ୍ ରିଫ୍ଲକ୍ସ ଡିଜିଜ୍ , ଅଲସର ଓ ଗ୍ୟାଷ୍ଟ୍ରାଇଟିସ୍ ଭଳି ଗମ୍ଭୀର ରୋଗର ସଙ୍କେତ ହୋଇପାରେ । ତେବେ ଅନିୟମିତ ଜୀବନଶୈଳୀ, ବିଳମ୍ବରେ ରାତି ଭୋଜନ, ଅତ୍ୟଧିକ ଚା'-କଫି ବା ଜଙ୍କ୍ ଫୁଡ୍ ଗ୍ରହଣ କରୁଥିବା ଏବଂ ମେଦବହୁଳ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ରହିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଥଣ୍ଡା କ୍ଷୀର, ପାନମହୁରୀ, ଦହିଛାଚ, ନଡ଼ିଆ ପାଣି, ପାଚିଲା କଦଳୀ, ଅଦା ଓ ଜୁଆଣି ଭଳି ଘରୋଇ ଉପଚାର ବେଶ୍ ଲାଭଦାୟକ ପ୍ରମାଣିତ ହୋଇଥାଏ । ଏହା ବ୍ୟତୀତ ସକାଳେ ଉଷୁମ ପାଣି ପିଇବା, ଖାଦ୍ୟ ଭଲଭାବେ ଚୋବାଇ ଖାଇବା, ଶୋଇବାର ୨-୩ ଘଣ୍ଟା ପୂର୍ବରୁ ରାତି ଭୋଜନ ଶେଷ କରିବା, ବାମ କଡ଼ ମାଡ଼ି ଶୋଇବା ଏବଂ ନିୟମିତ ବ୍ୟାୟାମ କରି ଜୀବନଶୈଳୀରେ ସୁଧାର ଆଣିଲେ ଏହି ସମସ୍ୟା କିଛିମାତ୍ରାରେ କମିଥାଏ । ହେଲେ ଯଦି ଏସିଡିଟି ପ୍ରତିଦିନ ହୁଏ, ଔଷଧରେ ଭଲ ନହୁଏ, କିମ୍ବା ବାନ୍ତି ଓ ଓଜନ ହ୍ରାସ ଭଳି ସମସ୍ୟା ଦେଖାଯାଏ, ତେବେ ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ରହିଛି ।



