ଉଚ୍ଚତା ବଢିବାର ପ୍ରାକୃତିକ ଉପାୟ
ପିଲାମାନଙ୍କର ଉଚ୍ଚତା ମୁଖ୍ୟତଃ ଜେନେଟିକ୍ସ ଉପରେ ନିର୍ଭର କରୁଥିଲେ ମଧ୍ୟ, ସଠିକ୍ ଜୀବନଶୈଳୀ ଏବଂ ପୁଷ୍ଟିକର ଖାଦ୍ୟ ଦ୍ବାରା ଏଥିରେ ଉନ୍ନତି ଅଣାଯାଇପାରିବ । ଆସନ୍ତୁ ଏଭଳି କିଛି ଟ୍ରିକ ସମ୍ପର୍କରେ ଜାଣିବା ।
୧. ସନ୍ତୁଳିତ ଆହାର
ପିଲାଙ୍କ ଶରୀରର ବୃଦ୍ଧି ପାଇଁ ସଠିକ୍ ପରିମାଣର ପୁଷ୍ଟିସାର , ଭିଟାମିନ୍ ଏବଂ ଖଣିଜ ଲବଣର ଆବଶ୍ୟକତା ଥାଏ । ଖାଦ୍ୟରେ କ୍ୟାଲସିୟମ୍ ଯୁକ୍ତ କ୍ଷୀର, ପନିର, ଦହି ଏବଂ ଅଣ୍ଡା ସାମିଲ କରନ୍ତୁ ଯାହା ହାଡ଼କୁ ଶକ୍ତ କରିଥାଏ । ଏହା ସହିତ ସବୁଜ ପନିପରିବା, ଡାଲି ଆଦି ସାମିଲ କରନ୍ତୁ ଯାହା ପୋଷଣ ପ୍ରଦାନ କରିବ ।
୨. ପର୍ଯ୍ୟାପ୍ତ ନିଦ୍ରା
ଶୋଇବା ସମୟରେ ଶରୀରରେ ‘ହ୍ୟୁମାନ୍ ଗ୍ରୋଥ୍ ହରମୋନ୍’ ନିର୍ଗତ ହୋଇଥାଏ, ଯାହା ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରେ। ବଢୁଥିବା ପିଲାମାନଙ୍କ ପାଇଁ ଦୈନିକ ୮ ରୁ ୧୦ ଘଣ୍ଟା ଗଭୀର ନିଦ୍ରା ଅତ୍ୟନ୍ତ ଜରୁରୀ। ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହିବା ଦ୍ବାରା ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ, ତେଣୁ ପିଲାଙ୍କ ଶୋଇବା ସମୟ ଧାର୍ଯ୍ୟ କରନ୍ତୁ।
୩. ନିୟମିତ ବ୍ୟାୟାମ
ପିଲାମାନଙ୍କୁ ଘର ବାହାରେ ଖେଳିବା ପାଇଁ ପ୍ରୋତ୍ସାହିତ କରନ୍ତୁ । ଦୌଡ଼ିବା, ସନ୍ତରଣ, ଫୁଟବଲ୍ କିମ୍ବା ବାସ୍କେଟବଲ୍ ଖେଳିବା ଦ୍ବାରା ଶରୀରର ମାଂସପେଶୀ ସକ୍ରିୟ ହୁଏ । ଏହା ଦ୍ବାରା ହାଡ଼ର ଲମ୍ବ ବୃଦ୍ଧି ପାଇଥାଏ ଏବଂ ଶରୀର ଗଠନ ସଠିକ୍ ରହେ ।
୪. ଯୋଗ
ଯୋଗ କେବଳ ମାନସିକ ଶାନ୍ତି ଦିଏ ନାହିଁ, ବରଂ ଶରୀରର ନମନୀୟତା ବୃଦ୍ଧି କରେ। ‘ତାଡ଼ାସନ’ , ‘ସୂର୍ଯ୍ୟ ନମସ୍କାର’ ଏବଂ ‘ଚକ୍ରାସନ’ ଭଳି ଆସନ ପିଲାଙ୍କ ପାଇଁ ଖୁବ୍ ଲାଭଦାୟକ। ଏହି ଆସନଗୁଡ଼ିକ ଶରୀରର ପ୍ରତିଟି ଅଙ୍ଗକୁ ଷ୍ଟ୍ରେଚ୍ କରିବା ସହିତ ଉଚ୍ଚତା ବଢିବାରେ ସହାୟକ ହୋଇଥାଆନ୍ତି ।
୫. ସୂର୍ଯ୍ୟକିରଣରୁ ଭିଟାମିନ୍-ଡି
ହାଡ଼ର ସୁସ୍ଥତା ଏବଂ ବିକାଶ ପାଇଁ ଭିଟାମିନ୍-ଡି ଅପରିହାର୍ଯ୍ୟ । ସକାଳର କୋମଳ ସୂର୍ଯ୍ୟକିରଣ ଭିଟାମିନ୍-ଡି ର ଏକ ମୁଖ୍ୟ ପ୍ରାକୃତିକ ଉତ୍ସ । ପିଲାଙ୍କୁ ଦୈନିକ ଅନ୍ତତଃ ୨୦ ରୁ ୩୦ ମିନିଟ୍ ଖରାରେ ରହିବାକୁ ଦିଅନ୍ତୁ, ଯାହା ଦ୍ବାରା ଶରୀର କ୍ୟାଲସିୟମ୍କୁ ସଠିକ୍ ଭାବେ ଗ୍ରହଣ କରିପାରିବ ଏବଂ ହାଡ଼ ଲମ୍ବା ହେବାରେ ସୁବିଧା ହେବ ।



