ସଙ୍ଗୀତ ପାଲଟିଛି ମହୌଷଧି

ସଙ୍ଗୀତ ପାଲଟିଛି ମହୌଷଧି
Ipsita Picture
By: Ipsita
Published On

 

ଆଜିର ସମୟରେ ଡିମେନ୍ସିଆ ବା ସ୍ମୃତିହ୍ରାସ, ଆଲଜାଇମର ଏବଂ ଏକାକୀପଣ ବୃଦ୍ଧବୃଦ୍ଧାମାନଙ୍କ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ପାଲଟିଛି, ଯାହାର ଚିକିତ୍ସା ମଧ୍ୟ ସହଜ ନୁହେଁ । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ହାଭାର୍ଡ ମେଡିକାଲ ସ୍କୁଲ ଏବଂ ୟୁନିଭର୍ସିଟି କଲେଜ ଲଣ୍ଡନ ଭଳି ପ୍ରତିଷ୍ଠିତ ସଂସ୍ଥାନଗୁଡ଼ିକର ଗବେଷଣାରୁ ଜଣାପଡ଼ିଛି ଯେ ଏହି ରୋଗଗୁଡ଼ିକର ଚିକିତ୍ସାରେ ସଙ୍ଗୀତ ଏକ ପ୍ରଭାବଶାଳୀ ନନ୍-ଡ୍ରଗ୍ ଥେରାପିବା ବିନା ଔଷଧର ଚିକିତ୍ସା ଭାବେ କାମ କରୁଛି । ବୈଜ୍ଞାନିକମାନଙ୍କ ମତରେ, ପ୍ରତିଦିନ ମାତ୍ର ୨୦ ମିନିଟ୍ ଗୀତ ଶୁଣିବା ମସ୍ତିଷ୍କ ପାଇଁ ଜିମ୍ରେ ବ୍ୟାୟାମ କରିବା ସଦୃଶ, କାରଣ ଏହା କେବଳ ଶ୍ରବଣ ଶକ୍ତିକୁ ନୁହେଁ, ବରଂ ମସ୍ତିଷ୍କର ସ୍ମୃତି କେନ୍ଦ୍ର ହିପୋକ୍ୟାମ୍ପସ’, ଭାବନା କେନ୍ଦ୍ର ଆମିଗଡାଲାଏବଂ ଚିନ୍ତା ଓ ନିର୍ଣ୍ଣୟ ନେବାର କେନ୍ଦ୍ର ପ୍ରିଫ୍ରଣ୍ଟାଲ କର୍ଟେକ୍ସକୁ ସକ୍ରିୟ କରିଥାଏ । ବୃଦ୍ଧାବସ୍ଥାରେ ଏହି ସଙ୍ଗୀତର ବିଜ୍ଞାନ ବେଶ୍ ଲାଭଦାୟକ ସାବ୍ୟସ୍ତ ହେଉଥିବା ବେଳେ ଏହାର ସଠିକ୍ ସମୟ ଓ ମାତ୍ରା ନିର୍ଦ୍ଧାରଣ କରାଯାଇଛି । ଯେପରିକି ସକାଳେ ଯୋଗ ସହିତ ୨୦ରୁ ୩୦ ମିନିଟର ସଙ୍ଗୀତ ଦିନସାରା ସ୍ଫୂର୍ତ୍ତି ଦେଇଥାଏ, ଖାଇବା ସମୟରେ ୧୦ ମିନିଟର ମୃଦୁ ସଙ୍ଗୀତ ମାନସିକ ଚାପ ସୃଷ୍ଟି କରୁଥିବା କର୍ଟିସୋଲହରମୋନକୁ ହ୍ରାସ କରିଥାଏ ଏବଂ ରାତିରେ ୧୫ରୁ ୨୦ ମିନିଟର ପସନ୍ଦର ଗୀତ ଭଲ ନିଦ୍ରା ଆଣିବାରେ ସାହାଯ୍ୟ କରିଥାଏ । କେବଳ ସେତିକି ନୁହେଁ, ଗୀତ ଶୁଣିବା ସହ ଗୁଣୁଗୁଣେଇବା, ତାଳେ ତାଳେ ଗୋଡ଼ ହଲାଇବା ବା ତାଳି ବଜାଇବା ଦ୍ୱାରା ଶରୀରର ଭାରସାମ୍ୟ ରକ୍ଷା ହେବା ସହ ପଡ଼ିଯିବାର ଆଶଙ୍କା କମିଥାଏ । ପୁରୁଣା ଗୀତ ଶୁଣିବା ଦ୍ୱାରା ମସ୍ତିଷ୍କର ସ୍ମୃତି ସାଇତି ରଖୁଥିବା ଅଂଶ ସକ୍ରିୟ ହୋଇ ଅଲଜାଇମର ରୋଗୀଙ୍କ ସ୍ମରଣ ଶକ୍ତି ଫେରାଇବାରେ ସହାୟକ ହୋଇଥାଏ। ସର୍ବୋପରି, ଦଳଗତ ଭାବେ ଗୀତ ଗାଇବା କିମ୍ବା ପ୍ରିୟ ସଙ୍ଗୀତ ଶୁଣିବା ଦ୍ୱାରା ଶରୀରରେ ଆନନ୍ଦ ପ୍ରଦାନକାରୀ ହରମୋନ ଡୋପାମାଇନବୃଦ୍ଧି ପାଇଥାଏ । ଯାହା ବୃଦ୍ଧବୃଦ୍ଧାମାନଙ୍କ ମଧ୍ୟରୁ ଅବସାଦ ଓ ଏକାକୀପଣର ଭାବନାକୁ ସମ୍ପୂର୍ଣ୍ଣ ରୂପେ ଦୂର କରି ଏକ ଶକ୍ତିଶାଳୀ ମହୌଷଧି ଭାବେ କାର୍ଯ୍ୟ କରୁଛି ।

Tags: