ମାଂସପେଶୀ ଯନ୍ତ୍ରଣା
ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଉତ୍ତାପ ଯୋଗୁଁ ଶରୀରରେ ଦେଖାଯାଉଥିବା ଜଳୀୟ ଅଂଶର ଅଭାବ ବା ଡିହାଇଡ୍ରେସନ୍ ମାଂସପେଶୀ ଗୁଡ଼ିକ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ । ଏହି କାରଣରୁ ଶରୀରରେ ଅସହ୍ୟ ବିନ୍ଧା ହେବାସହ ଯନ୍ତ୍ରଣା ହୋଇଥାଏ । ତେବେ ଅଧିକାଂଶ ସମୟରେ ଲୋକମାନେ ଏହାକୁ ଏକ ସାଧାରଣ ଯନ୍ତ୍ରଣା ଭାବି ଅଣଦେଖା କରିଦେଇଥାଆନ୍ତି । ହେଲେ ପ୍ରକୃତରେ ଏହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନର ଏକ ବଡ଼ ସଙ୍କେତ ଅଟେ । ବିଶେଷଜ୍ଞଙ୍କ ଅନୁସାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅତ୍ୟଧିକ ଝାଳ ବାହାରିବା ଫଳରେ ଶରୀରରୁ ପାଣି ସମେତ ସୋଡିୟମ୍ ଓ ପୋଟାସିୟମ୍ ଭଳି ଆବଶ୍ୟକୀୟ ମିନେରାଲ୍ସ କମିଯାଏ। ଯାହାଦ୍ୱାରା ରକ୍ତ ମଧ୍ୟ ଘନ ହୋଇ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ । ମାଂସପେଶୀ ଗୁଡ଼ିକୁ ପର୍ଯ୍ୟାପ୍ତ ଅକ୍ସିଜେନ ଓ ପୋଷକ ତତ୍ତ୍ୱ ନମିଳିବା କାରଣରୁ ସେଗୁଡ଼ିକ ସକ୍ତ ଓ ସେନ୍ସିଟିଭ୍ ହୋଇଯିବା ସହ ଶରୀରରେ ଜକଡ଼ନ୍, ଦୁର୍ବଳତା, ପ୍ରବଳ ଯନ୍ତ୍ରଣା ଏବଂ କ୍ରାମ୍ପ୍ସ ବା ମାଂସପେଶୀ ଟାଣିହେବା ଭଳି ସମସ୍ୟା ବହୁମାତ୍ରାରେ ବଢ଼ିଯାଇଥାଏ । ବିଶେଷ କରି ଖରାରେ ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି, ବିନା ୱାର୍ମ-ଅପ୍ରେ ହଠାତ୍ ଭାରୀ ବ୍ୟାୟାମ କରୁଥିବା ଲୋକ, ପାଣି ପିଇବା ପାଇଁ ଶୋଷ ଲାଗିବାକୁ ଅପେକ୍ଷା କରୁଥିବା ବ୍ୟକ୍ତି, ଅତ୍ୟଧିକ କ୍ୟାଫିନ୍ ବା ଜଙ୍କ ଫୁଡ୍ ସେବନ କରୁଥିବା ଏବଂ ଦୀର୍ଘ ସମୟ ଧରି ଗୋଟିଏ ପୋଜିସନରେ ବସି ରହୁଥିବା ଲୋକମାନଙ୍କ କ୍ଷେତ୍ରରେ ଏହି ମାଂସପେଶୀ ଜନିତ ସମସ୍ୟାର ଆଶଙ୍କା ସବୁଠାରୁ ଅଧିକ ଥାଏ । ତେବେ ଏହି ସାଙ୍ଘାତିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ଓ ମାଂସପେଶୀର ସନ୍ତୁଳନ ରକ୍ଷା କରିବା ପାଇଁ ନିଜ ଜୀବନଶୈଳୀରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବା ଜରୁରୀ। ଯେଉଁଥିରେ ପ୍ରତିଦିନ ପ୍ରଚୁର ପରିମାଣରେ ପାଣି ଓ ତରଳ ପଦାର୍ଥ ପିଇ ଡିହାଇଡ୍ରେସନ୍ରୁ ବଞ୍ଚିବା, ପ୍ରବଳ ଖରା ସମୟରେ ବ୍ୟାୟାମ ନକରି କେବଳ ସକାଳେ କିମ୍ବା ସନ୍ଧ୍ୟାରେ ୱାର୍କଆଉଟ୍ କରିବା, ପ୍ରତିଦିନ ହାଲୁକା ଷ୍ଟ୍ରେଚିଂ କରି ମାଂସପେଶୀକୁ ନମନୀୟ ରଖିବା, ଢିଲା ଓ ହାଲୁକା ପୋଷାକ ପିନ୍ଧିବା ସହିତ ପର୍ଯ୍ୟାପ୍ତ ପରିମାଣରେ ଶୋଇ ଶରୀରକୁ ସମ୍ପୂର୍ଣ୍ଣ ଆରାମ ଦେବା ଅତ୍ୟନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।



