ଶିଶୁଙ୍କୁ ରଖନ୍ତୁ ଅଂଶୁଘାତରୁ ଦୂରରେ

ଶିଶୁଙ୍କୁ ରଖନ୍ତୁ ଅଂଶୁଘାତରୁ ଦୂରରେ
Ipsita Picture
By: Ipsita
Published On

 

ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦେଶର ବିଭିନ୍ନ ସହରରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର୍ କରିଥିବା ବେଳେ ଶିଶୁମାନଙ୍କ କ୍ଷେତ୍ରରେ ଅଂଶୁଘାତର ବିପଦ ସବୁଠାରୁ ଅଧିକ ଦେଖାଦେଇଥାଏ । କାରଣ ସେମାନଙ୍କର ଶରୀରର ମେଟାବୋଲିକ ହାର ଅଧିକ ଥାଏ, ଝାଳ ଗ୍ରନ୍ଥି ସମ୍ପୂର୍ଣ୍ଣ ବିକଶିତ ହୋଇନଥିବାରୁ କମ୍ ଝାଳ ବାହାରେ ଏବଂ ଶରୀରର ତାପମାତ୍ରା ନିୟନ୍ତ୍ରଣ ବ୍ୟବସ୍ଥା ଦୁର୍ବଳ ଥାଏ । ବିଶେଷଜ୍ଞଙ୍କ ଅନୁସାରେ, ଶିଶୁମାନଙ୍କ କ୍ଷେତ୍ରରେ ଏହି ସମୟରେ ମୁଣ୍ଡବିନ୍ଧା, ବାନ୍ତି କିମ୍ବା ଶରୀର ଗରମ ହେବା ଭଳି ପ୍ରାଥମିକ ଲକ୍ଷଣ ଦେଖାଇପାରେ । କିନ୍ତୁ ଯଦି ତାକୁ ବାତ, ଅତ୍ୟଧିକ ଜ୍ୱର,  ଅଚେତ ଅବସ୍ଥା, ଶୀଘ୍ର ଶୀଘ୍ର ନିଶ୍ୱାସ ନେବା କିମ୍ବା ତ୍ୱଚା ଶୁଖିଲା ଓ ଗରମ ଲାଗିଥାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।  ଶିଶୁକୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କେବଳ ବାରମ୍ବାର ଗାଧୋଇଦେବା ଯଥେଷ୍ଟ ନୁହେଁ, ବରଂ ତାକୁ ସର୍ବଦା ହାଇଡ୍ରେଟେଡ୍ ରଖିବା, ଅପରାହ୍ନରେ ଖରାରୁ ଦୂରେଇ ରଖିବା ଏବଂ ଥଣ୍ଡା ପରିବେଶ ଯୋଗାଇଦେବା ଜରୁରୀ । ଏଥିସହ ଘରେ ଏସି କିମ୍ବା କୁଲର ବ୍ୟବହାର କଲାବେଳେ ତାପମାତ୍ରାର ସଠିକ୍ ସନ୍ତୁଳନ ରଖିବା ଉଚିତ ଯେପରି ହଠାତ୍ ଗରମରୁ ଥଣ୍ଡା ବା ଥଣ୍ଡାରୁ ଗରମ ପରିବେଶକୁ ଶିଶୁ ନଯାଏ । ସେହିଭଳି ନବଜାତ ଶିଶୁ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଖରାଦିନେ ପିଲାମାନଙ୍କୁ ଆଇସକ୍ରିମ୍ ବା କୋଲ୍ଡଡ୍ରିଙ୍କସ ବଦଳରେ ସହଜରେ ହଜମ ହେଉଥିବା ଖାଦ୍ୟ ଏବଂ ସୁସ୍ଥକର ପାନୀୟ ଯେପରିକି ନଡ଼ିଆ ପାଣି, ଲେମ୍ବୁ ପାଣି, ଆମ୍ବ ପଣା, ଦହି ଲସି, ତରଭୁଜ ରସ କିମ୍ବା ବେଲ ଶରବତ ଦେବା ଉଚିତ । ସେହିଭଳି ଯଦି କୌଣସି ଶିଶୁ ଅଂଶୁଘାତର ଶିକାର ହୁଏ, ତେବେ ତାକୁ ତୁରନ୍ତ ଏକ ଥଣ୍ଡା ସ୍ଥାନକୁ ଆଣି, ପୋଷାକ ଢିଲା କରି, ବେକ ଓ କାଖ ସମେତ ସାରା ଶରୀରକୁ ଓଦା କପଡ଼ାରେ ପୋଛିବାର ଆବଶ୍ୟକ ରହିଛି । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ମଧ୍ୟ ଦରକାର ଅଛି ।

Tags: