ଉଚ୍ଚ ରକ୍ତଚାପ
ଆଧୁନିକ ଜୀବନଶୈଳୀରେ ଉଚ୍ଚ ରକ୍ତଚାପ ବା ହାଇ ବିପି ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଥିବା ବେଳେ, କେବଳ ଔଷଧ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଆମେରିକୀୟ ହୃଦରୋଗ ବିଶେଷଜ୍ଞଙ୍କ ମତରେ, ବିପି ଔଷଧ କେବଳ ରିଡିଂ କମାଇଥାଏ, କିନ୍ତୁ ଆମକୁ ଶରୀର ମଧ୍ୟରେ ଲୁଚି ରହିଥିବା ରୋଗର ପ୍ରକୃତ କାରଣକୁ ଜାଣିବାର ଅଛି ଏବଂ ସେଗୁଡିକୁ ଠିକ କରିବାର ଅଛି । ଉଚ୍ଚ ରକ୍ତଚାପ ସାଧାରଣତଃ କ୍ରମାଗତ ମାନସିକ ଚାପ, ନିଦ୍ରାହୀନତା, ପେଟର ଚର୍ବି, ଇନସୁଲିନ୍ ରେଜିଷ୍ଟାନ୍ସ କିମ୍ବା ସ୍ନାୟୁଗତ ତ୍ରୁଟି ଆଦିର ସଙ୍କେତ ଦେଇଥାଏ । ହୃଦୟ ରକ୍ତ ପମ୍ପ କରିବା ସମୟରେ ରକ୍ତନଳୀର କାନ୍ଥ ଉପରେ ପଡ଼ୁଥିବା ଚାପକୁ ବ୍ଲଡ୍ ପ୍ରେସର କୁହାଯାଇଥାଏ । ଅତ୍ୟଧିକ ଲୁଣ ଓ ପ୍ରୋସେସଡ୍ ଖାଦ୍ୟ ସେବନ, ଶାରୀରିକ ପରିଶ୍ରମର ଅଭାବ ଏବଂ ଓଜନ ବୃଦ୍ଧି ଯୋଗୁଁ ରକ୍ତନଳୀଗୁଡ଼ିକ ଶକ୍ତ ହୋଇଯାଏ, ଯାହା ପରବର୍ତ୍ତୀ ସମୟରେ ହାର୍ଟ ଆଟାକ୍, ଷ୍ଟ୍ରୋକ୍ ଏବଂ କିଡନୀ ଫେଲିୟର ଭଳି ଭୟଙ୍କର ସ୍ଥିତି ସୃଷ୍ଟି କରିଥାଏ । ବିଶେଷ କରି ପେଟର ଚର୍ବି ଏବଂ କ୍ରୋନିକ୍ ଷ୍ଟ୍ରେସ୍ ଶରୀରରେ ହରମୋନ୍ ସନ୍ତୁଳନ ବିଗାଡ଼ିଥାଏ, ଯାହାଦ୍ୱାରା ରକ୍ତନଳୀଗୁଡ଼ିକ ସଙ୍କୁଚିତ ହୋଇ ରକ୍ତଚାପ ବୃଦ୍ଧି ପାଇଥାଏ । ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ଉପଯୁକ୍ତ ଖାଦ୍ୟପେୟ, ନିୟମିତ ବ୍ୟାୟାମ ଏବଂ ପର୍ଯ୍ୟାପ୍ତ ନିଦ୍ରା ସାହାଯ୍ୟରେ ବିନା ଔଷଧରେ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରିବ, କିନ୍ତୁ ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ନେବା ଅତ୍ୟନ୍ତ ଜରୁରୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଔଷଧ ଚାଲିଥିଲେ ମଧ୍ୟ ସୁସ୍ଥ ଜୀବନଶୈଳୀ ଆପଣାଇବା ଦ୍ୱାରା ରୋଗର ମୂଳ କାରଣକୁ ଦୂର କରାଯାଇପାରିବ । ଅନେକ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶକ୍ରମେ ପରବର୍ତ୍ତୀ ସମୟରେ ଔଷଧ ମଧ୍ୟ ବନ୍ଦ କରାଯାଇପାରିବ, ତେଣୁ କେବଳ ମେସିନ୍ ନମ୍ବରକୁ ନୁହେଁ ବରଂ ସାମଗ୍ରିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ଆବଶ୍ୟକ ।



