ହିଟ୍ ଏଡେମା
ଗ୍ରୀଷ୍ମ ଋତୁରେ ଅନେକ ସମୟରେ ହାତ ଓ ଗୋଡ଼ ଫୁଲିଯାଉଥିବା ବେଳେ ଅଧିକାଂଶ ଲୋକ ଏହାକୁ ସାଧାରଣ ଭାବି ଅଣଦେଖା କରିଦିଅନ୍ତି, ହେଲେ ଏହା ‘ହିଟ୍ ଏଡେମା’ ର ସଙ୍କେତ ହୋଇପାରେ । ପ୍ରକୃତରେ ଅତ୍ୟଧିକ ଗରମ ଯୋଗୁଁ ଶରୀର ନିଜକୁ ଥଣ୍ଡା ରଖିବା ପାଇଁ ରକ୍ତବାହୀ ନଳୀଗୁଡ଼ିକୁ ପ୍ରସାରିତ କରିଥାଏ , ଯାହାକୁ ଭେସୋଡାଇଲେସନ୍ କୁହାଯାଏ । ଫଳରେ କ୍ୟାପିଲାରୀରୁ କିଛି ତରଳ ପଦାର୍ଥ ବାହାରି ଆଖପାଖର ଟିସୁରେ ଜମା ହୋଇଯାଏ ଏବଂ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଗୋଡ଼, ଗୋଡ଼ର ଗଣ୍ଠି କିମ୍ବା ହାତରେ ହାଲୁକା ଫୁଲା ଓ ଭାରୀପଣ ଦେଖାଦେଇଥାଏ । ସାଧାରଣତଃ ଏହି ସମସ୍ୟା ବିପଜ୍ଜନକ ନୁହେଁ ଏବଂ ଥଣ୍ଡା ଜାଗାରେ ବିଶ୍ରାମ ନେଲେ, ଗୋଡ଼କୁ ଉପରକୁ ଟେକି ରଖିଲେ କିମ୍ବା ଲୁଣ ଖାଇବା କମାଇଲେ ଏହା ଆପେ ଆପେ ଠିକ୍ ହୋଇଯାଏ । ମାତ୍ର ଯଦି ଏହି ସମସ୍ୟା ବାରମ୍ବାର ହୁଏ କିମ୍ବା ଗରମ ନଥାଇ ମଧ୍ୟ ଦେଖାଯାଏ, ତେବେ ଏହା ହୃଦ୍ରୋଗ, କିଡନୀ ଜନିତ ସମସ୍ୟା, ଲିଭର୍ ରୋଗ କିମ୍ବା ହରମୋନାଲ୍ ଅସନ୍ତୁଳନ ଭଳି କୌଣସି ଗମ୍ଭୀର ଆଭ୍ୟନ୍ତରୀଣ ରୋଗର ସଙ୍କେତ ହୋଇପାରେ। ବିଶେଷ କରି ଗରମ ଓ ଆଦ୍ର ପରିବେଶରେ ରହୁଥିବା ଲୋକ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଏବଂ ଅଧିକ ସମୟ ଛିଡ଼ା ହୋଇ କାମ କରୁଥିବା ଲୋକଙ୍କ କ୍ଷେତ୍ରରେ ଏହାର ବିପଦ ଅଧିକ ଥାଏ । ତେଣୁ ଯଦି ଫୁଲା ସହିତ ପ୍ରବଳ ଯନ୍ତ୍ରଣା ହୁଏ, ଚର୍ମ ନାଲି ପଡ଼ିଯାଏ, ନିଶ୍ୱାସ ନେବାରେ କଷ୍ଟ ହୁଏ କିମ୍ବା ପରିସ୍ରା କମ୍ ହୁଏ, ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।
ଲକ୍ଷଣ
_ ପାଦ, ଗୋଡ଼ର ଗଣ୍ଠି , ଗୋଡ଼ର ତଳ ଅଂଶ, ହାତ ଏବଂ ଆଙ୍ଗୁଠିଗୁଡ଼ିକ ଫୁଲିଯାଇଥିବା ଭଳି ଦେଖାଯାଏ ।
_ ପ୍ରଭାବିତ ହାତ ଓ ଗୋଡ଼ ଓଜନିଆ ଲାଗେ ଏବଂ ଚାଲିବା ବା ଚଳପ୍ରଚଳ କରିବାରେ ସାମାନ୍ୟ କଷ୍ଟ ହୁଏ ।
_ ଫୁଲିଥିବା ସ୍ଥାନର ଚର୍ମ ଅଧିକ ଟାଣି ହେଲା ଭଳି ଲାଗେ ଏବଂ ସେହି ସ୍ଥାନଟି ଚମକିଲା ଭଳି ଦେଖାଯାଏ ।
_ ଯଦି ଆପଣ ଫୁଲିଥିବା ସ୍ଥାନକୁ ଆଙ୍ଗୁଠିରେ କିଛି ସେକେଣ୍ଡ ପାଇଁ ଜୋରରେ ଚାପିବେ, ତେବେ ସେଠାରେ ଏକ ଗାତ ବା ଚିହ୍ନ ବସିଯାଏ ଏବଂ ତାହା ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରେ ।
_ ହଠାତ୍ ଜୋତା, ମୋଜା, ହାତର ମୁଦି କିମ୍ବା ଘଣ୍ଟା ଅଧିକ ଟାଇଟ ହେଲା ଭଳି ଲାଗେ ଏବଂ ଚର୍ମରେ ଗଭୀର ଦାଗ ବସିଯାଏ ।
ଟିପ୍ସ
_ ଗୋଟିଏ ଜାଗାରେ ସ୍ଥିର ହୋଇ ରହିବା ଦ୍ୱାରା ମାଧ୍ୟାକର୍ଷଣ ଯୋଗୁଁ ତରଳ ପଦାର୍ଥ ଗୋଡ଼ରେ ଜମା ହୋଇଯାଏ । ତେଣୁ ଗୋଟିଏ ସ୍ଥାନରେ ଅଧିକ ସମୟ ପାଇଁ ବସନ୍ତୁ ନାହିଁ ।
_ ଯଦି ଆପଣଙ୍କର ବସିବା ବା ଛିଡ଼ା ହେବା ଚାକିରି, ତେବେ ପ୍ରତି ଘଣ୍ଟାରେ କିଛି ମିନିଟ୍ ଚାଲନ୍ତୁ ଏବଂ ପାଦର ଗଣ୍ଠିକୁ ଗୋଲ୍ ଗୋଲ୍ ବୁଲାଇ ବ୍ୟାୟାମ କରନ୍ତୁ, ଯାହା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ରହିବ ।
_ ଯେତେବେଳେ ବି ଆପଣ ବିଶ୍ରାମ ନେଉଛନ୍ତି କିମ୍ବା ଶୋଉଛନ୍ତି, ଗୋଡ଼ ତଳେ ୨-୩ଟି ତକିଆ ରଖି ପାଦକୁ ସାମାନ୍ୟ ଉପରକୁ ଟେକି ରଖନ୍ତୁ। ଏହା ଦ୍ୱାରା ଜମା ହୋଇଥିବା ତରଳ ପଦାର୍ଥ ସହଜରେ ତଳକୁ ଖସିଆସେ ।
_ ଶରୀରରେ ପର୍ଯ୍ୟାପ୍ତ ପାଣି ରହିଲେ ତାହା ଶରୀରରୁ ବାହାରେ ଥିବା ଅତିରିକ୍ତ ସୋଡିୟମ୍ ଏବଂ ଫ୍ଲୁଇଡ୍କୁ ଫ୍ଲସ୍ ଆଉଟ୍ କରିବାରେ ସାହାଯ୍ୟ କରେ। ତେଣୁ ପାଣି ଅଧିକ ପିଅନ୍ତୁ ଏବଂ ଖାଦ୍ୟରେ ମଧ୍ୟ ଧ୍ୟାନ ଦିଅନ୍ତୁ । ଘରୋଇ ଖାଦ୍ୟ ଖାଆନ୍ତୁ । ଲୁଣ କମ ଖାଆନ୍ତୁ ।
_ ପ୍ରବଳ ଖରା ବା ଗରମକୁ ଯାଆନ୍ତୁ ନାହିଁ । ଏସି କିମ୍ବା ଭଲ ପବନ ଆସୁଥିବା ଛାଇ ଜାଗାରେ ସମୟ ବିତାନ୍ତୁ। ଏହାସହ ଅଧିକ ଟାଇଟ୍ ପୋଷାକ, ଜିନ୍ସ କିମ୍ବା ଟାଇଟ ହେଉଥିବା ମୋଜା ପିନ୍ଧନ୍ତୁ ନାହିଁ। ଏହା ରକ୍ତ ସଞ୍ଚାଳନକୁ ବାଧା ପହଞ୍ଚାଏ ।




