ତକିଆ ଭଲ ତ ନିଦ ଭଲ

ତକିଆ ଭଲ ତ ନିଦ ଭଲ
Ipsita Picture
By: Ipsita
Published On

 

ଆମର ଦୈନନ୍ଦିନ କାର୍ଯ୍ୟଦକ୍ଷତା ରାତିର ନିଦ ଉପରେ ନିର୍ଭର କରିଥାଏ ଏବଂ ଏଥିରେ ତକିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞଙ୍କ ଅନୁସାରେ ଏକ ସଠିକ୍ ତକିଆ ଶରୀରର 'ନ୍ୟୁଟ୍ରାଲ୍ ସ୍ପାଇନ୍ ଆଲାଇନ୍ମେଣ୍ଟ' ବଜାୟ ରଖିବାରେ ସାହାଯ୍ୟ କରେ । ଯାହା ଫଳରେ ମେରୁଦଣ୍ଡ ଏହାର ପ୍ରାକୃତିକ ଏସ୍  ଆକୃତିରେ ରହିଥାଏ। ଭୁଲ୍ ତକିଆ ବ୍ୟବହାର କଲେ ବେକ ଯନ୍ତ୍ରଣା, କାନ୍ଧରେ ରକା, ସ୍ଲିପ୍ ଡିସ୍କ ଏବଂ ରକ୍ତ ସଞ୍ଚାଳନରେ ବାଧା ଭଳି ସମସ୍ୟା ଦେଖାଦେଇଥାଏ । ବିଶେଷଜ୍ଞଙ୍କ ମତରେ, ଯେଉଁମାନେ କଡ଼ ମାଡ଼ି କିମ୍ବା ଚିତ୍ ହୋଇ ଶୁଅନ୍ତି, ସେମାନଙ୍କ ପାଇଁ ତକିଆ ବ୍ୟବହାର କରିବା ଉଚିତ୍ । ହେଲେ ପେଟେଇ ଶୋଉଥିବା ଲୋକ ଏବଂ ଛୋଟ ପିଲାମାନେ ତକିଆ ବ୍ୟବହାର କରିବା ଅନୁଚିତ୍। ଏକ ସଠିକ୍ ତକିଆ ବାଛିବା ପାଇଁ ଏହାର ଉଚ୍ଚତା ଏବଂ ନରମତା ପ୍ରତି ଧ୍ୟାନ ଦେବା ଜରୁରୀ । ଅଧିକ ଉଚ୍ଚ ତକିଆ ବେକକୁ ଆଗକୁ ନୁଆଁଇ ଦେଇଥାଏ, ଯାହା ଶରୀର ପାଇଁ କ୍ଷତିକାରକ ପାଲଟିଥାଏ । ଏଥିସହ ପୁରୁଣା ଏବଂ ଅପରିଷ୍କାର ତକିଆରେ ବ୍ୟାକ୍ଟେରିଆ ଓ ଧୂଳି ଜମିବା ଫଳରେ ଆଲର୍ଜି ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟା ହୋଇପାରେ । ସେଥିପାଇଁ ମେମୋରୀ ଫୋମ୍ କିମ୍ବା ସୂତା ତକିଆ ବ୍ୟବହାର କରିବା ସହ ନିଜର ଶୋଇବା ଶୈଳୀ ଅନୁଯାୟୀ ସଠିକ୍ ତକିଆ ଚୟନ କରିବା ଆବଶ୍ୟକ। ଯାହା ଦ୍ୱାରା ମାଂସପେଶୀ ଉପରେ ଚାପ ପଡ଼ିବ ନାହିଁ ଏବଂ ଆପଣ ଏକ ଗଭୀର ତଥା ଆରାମଦାୟକ ନିଦ ପାଇପାରିବେ । ଆବଶ୍ୟକତା ଠାରୁ ଅଧିକ ତକିଆ ବ୍ୟବହାର କରିବା କିମ୍ବା ତକିଆ ଉପରେ କାନ୍ଧ ରଖି ଶୋଇବା ଭଳି ସାଧାରଣ ଭୁଲ୍ରୁ ଦୂରେଇ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Tags: