ଫୁଡ୍ ନଏଜ୍

ଫୁଡ୍ ନଏଜ୍
Ipsita Picture
By: Ipsita

ସମ୍ବନ୍ଧିତ ଖବର ଭିଟାମିନ ସି

ଖାଦ୍ୟ ବିଷୟରେ କ୍ରମାଗତ ଚିନ୍ତାକୁ ଫୁଡ ନଏଜ କୁହାଯାଇଥାଏ । ଫୁଡ୍ ନଏଜ୍ କୌଣସି ଶାରୀରିକ ନୁହେଁ, ବରଂ ଏହା ମନର ଏକ ଅବସ୍ଥା । ଯେତେବେଳେ ଜଣେ ବ୍ୟକ୍ତିର ମନରେ ସବୁବେଳେ ଖାଦ୍ୟକୁ ନେଇ ଚିନ୍ତା ଚାଲିଥାଏ, ତାକୁ ଫୁଡ୍ ନଏଜ୍ କୁହାଯାଏ । ଏହି ବ୍ୟକ୍ତିମାନଙ୍କୁ ସବୁବେଳେ ପରବର୍ତ୍ତୀ ଖାଦ୍ୟର ଅପେକ୍ଷା ଥାଏ । ଆପଣ ଜଳଖିଆ ଖାଉଥିବା ସମୟରେ ମଧ୍ୟ ମନରେ ମଧ୍ୟାହ୍ନ ଭୋଜନରେ କଣ ଖାଇବେ ସେହି ଚିନ୍ତା ରହିବାକୁ ହିଁ ଫୁଡ ନଏଜ କୁହାଯାଇଥାଏ । ଏଥିରେ ଅତ୍ୟଧିକ ଖାଦ୍ୟ ଆଗ୍ରହ ଦେଖିବାକୁ ମିଳିଥାଏ, ଯାହା ସାଧାରଣ ଭୋକଠାରୁ ଭିନ୍ନ । ଏଥିରେ ବ୍ୟକ୍ତି ନିଜକୁ ଖାଇବା ପ୍ରତି ଆକର୍ଷିତ ହେବାରୁ ରୋକିପାରେ ନାହିଁ।

ସମ୍ବନ୍ଧିତ ଖବର ଜିନ୍ସ ପିନ୍ଧୁଥିଲେ ସାବଧାନ

କାରଣ

ସମ୍ବନ୍ଧିତ ଖବର ଲାଲ୍ ଚିନିର ଉପକାରିତା

ହର୍ମୋନ୍ର ଅସନ୍ତୁଳନ

ଶରୀରରେ 'ଘ୍ରେଲିନ୍' (ଭୋକ ବଢ଼ାଉଥିବା ହର୍ମୋନ୍) ଏବଂ 'ଲେପ୍ଟିନ୍' (ପେଟ ଭରିଥିବା ସଙ୍କେତ ଦେଉଥିବା ହର୍ମୋନ୍) ମଧ୍ୟରେ ସନ୍ତୁଳନ ବିଗିଡ଼ିଲେ ଫୁଡ୍ ନଏଜ୍ ସୃଷ୍ଟି ହୁଏ।

ଡୋପାମାଇନ୍ ପ୍ରତିକ୍ରିୟା

ମିଠା କିମ୍ବା ଜଙ୍କ୍ ଫୁଡ୍ ଖାଇଲେ ମସ୍ତିଷ୍କରେ ଡୋପାମାଇନ୍ ନାମକ ଏକ 'ଫିଲ୍ ଗୁଡ୍' କେମିକାଲ୍ ନିର୍ଗତ ହୁଏ। ମସ୍ତିଷ୍କ ସେହି ଖୁସି ପାଇଁ ବାରମ୍ବାର ଖାଇବାକୁ ସଙ୍କେତ ଦେଇଥାଏ, ତେଣୁ ଅଧିକ ଖାଇବାକୁ ଇଚ୍ଛା ହୋଇଥାଏ ।

ମାନସିକ ଚାପ :

ଚିନ୍ତା ବା ଷ୍ଟ୍ରେସ୍ ଯୋଗୁଁ ଶରୀରରେ କୋର୍ଟିସୋଲ୍ ହର୍ମୋନ୍ ବଢ଼ିଥାଏ, ଯାହା ଖାଦ୍ୟ ଖାଇବା ପାଇଁ ତୀବ୍ର ଇଚ୍ଛା ଜାଗ୍ରତ କରେ। ଏହାକୁ ଷ୍ଟ୍ରେସ ଇଟିଂର ନାଁ ଦିଆଯାଇଥାଏ, ଏହା ମେଦବହୁଳତାର ମଧ୍ୟ କାରଣ ସାଜିଥାଏ ।

ନିଦ୍ରା ଅଭାବ:

ଯଦି ଆପଣ ଠିକ୍ ଭାବେ ଶୋଉନାହାନ୍ତି, ତେବେ ମସ୍ତିଷ୍କର ନିୟନ୍ତ୍ରଣ ଶକ୍ତି କମିଯାଏ ଏବଂ ଖାଦ୍ୟ ପ୍ରତି ଅଧିକ ଆଗ୍ରହ ବଢ଼େ। ତେଣୁ ଲୋକମାନେ ଅସମୟରେ ବିଭିନ୍ନ ଖାଦ୍ୟ ଖାଇଥାଆନ୍ତି । ବିଶେଷଭାବେ ଜଙ୍କ ଫୁଡ ଖାଇବା ବଢିଥାଏ ।

ସାବଧାନତା

ପର୍ଯ୍ୟାପ୍ତ ପ୍ରୋଟିନ୍ ଏବଂ ଫାଇବର୍ ଗ୍ରହଣ କରନ୍ତୁ । ନିଜ ଖାଦ୍ୟରେ ପ୍ରୋଟିନ୍ ଏବଂ ଫାଇବର୍ର ପରିମାଣ ବଢ଼ାନ୍ତୁ। ଏହା ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଭର୍ତ୍ତି ରଖିଥାଏ ଏବଂ ବାରମ୍ବାର ଖାଇବା ଚିନ୍ତାକୁ କମ କରିଥାଏ। ସେହିଭଳି ଖାଇବା ସମୟରେ ମୋବାଇଲ୍ କିମ୍ବା ଟିଭି ଦେଖନ୍ତୁ ନାହିଁ। ଖାଦ୍ୟର ସ୍ୱାଦ ଏବଂ ଗନ୍ଧକୁ ଅନୁଭବ କରି ଧୀରେ ଧୀରେ ଖାଆନ୍ତୁ। ଏହା ମସ୍ତିଷ୍କକୁ ସନ୍ତୁଷ୍ଟ କରିଥାଏ। ଅନେକ ସମୟରେ ଶୋଷ ଲାଗିବାକୁ ଆମେ ଭୋକ ବୋଲି ଭାବି ଭୁଲ୍ କରୁ। ନିୟମିତ ପାଣି ପିଇବା ଦ୍ୱାରା ଅନାବଶ୍ୟକ ଖାଦ୍ୟ ଚିନ୍ତା କମିଥାଏ। ସେହିପରି ନିୟମିତ ବ୍ୟାୟାମ କଲେ ଶରୀରରେ ହର୍ମୋନ୍ ସନ୍ତୁଳିତ ରହେ ଏବଂ ମାନସିକ ଚାପ କମିଥାଏ, ଯାହା ଫୁଡ୍ ନଏଜ୍କୁ ନିୟନ୍ତ୍ରଣ କରେ । ପ୍ରତିଦିନ ୭ ରୁ ୮ ଘଣ୍ଟା ଶୋଇବା ଦ୍ୱାରା ଭୋକ ନିୟନ୍ତ୍ରଣ କରୁଥିବା ହର୍ମୋନ୍ ଗୁଡ଼ିକ ଠିକ୍ ଭାବେ କାମ କରନ୍ତି । ତେବେ ଯଦି ଫୁଡ୍ ନଏଜ୍ ଯୋଗୁଁ ଆପଣଙ୍କ ଓଜନ ଅତ୍ୟଧିକ ବଢ଼ିଯାଉଛି କିମ୍ବା ଆପଣଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେଉଛି, ତେବେ ଜଣେ ଡାକ୍ତର କିମ୍ବା ଡାଏଟିସିଆନ୍ଙ୍କ ସହ କଥା ହେବା ଉଚିତ ।

Tags: