ଗ୍ୟାଷ୍ଟ୍ରିକ ପାଇଁ ଖାଦ୍ୟ ତାଲିକା

ଗ୍ୟାଷ୍ଟ୍ରିକ ପାଇଁ ଖାଦ୍ୟ ତାଲିକା
Ipsita Picture
By: Ipsita
Published On

 

ଗ୍ୟାଷ୍ଟ୍ରିକ୍ ସମସ୍ୟା ପାଇଁ ଖାଦ୍ୟପେୟର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ଏହା କେବଳ ପେଟରେ ଜଳାପୋଡ଼ା କମାଏ ନାହିଁ, ବରଂ ହଜମ ପ୍ରକ୍ରିୟାକୁ ମଧ୍ୟ ସଜାଡ଼ିଥାଏ। ତେଣୁ ଏମାନଙ୍କୁ ସବୁବେଳେ ନିଜର ଖାଦ୍ୟ ଉପରେ ଧ୍ୟାନ ଦେବାକୁ ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଖାଦ୍ୟ ସମ୍ପର୍କରେ ।

ଖାଲି ପେଟରେ ପାଣି ପିଅନ୍ତୁ

ସକାଳୁ ଉଠିବା ପରେ ପ୍ରଥମେ ୧ ରୁ ୨ ଗ୍ଲାସ ହାଲୁକା ଉଷୁମ ପାଣି ପିଅନ୍ତୁ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ପେଟର ଏସିଡିଟି ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

ଜଳଖିଆକୁ ଧ୍ୟାନ ଦିଅନ୍ତୁ

କିଛି ଲୋକ ଜଳଖିଆ ଖାଇ ନଥାନ୍ତି ତେବେ ଏହା ଖୁବ ଖରାପ ହୋଇଥାଏ । ଜଳଖିଆରେ ସାଧା ଓଟ୍ସ, ଉପମା, ଇଡଲି କିମ୍ବା ଚୂଡ଼ା ସନ୍ତୁଳା ଭଳି ହାଲୁକା ଖାଦ୍ୟ ନିଅନ୍ତୁ। ଅଧିକ ତେଲ ବା ମସଲାଯୁକ୍ତ ଖାଦ୍ୟ (ଯେପରିକି ବରା, ସିଙ୍ଗଡ଼ା) ସକାଳ ସମୟରେ ଖାଇଲେ ପେଟରେ ଗ୍ୟାସ୍ ହେବାର ସମ୍ଭାବନା ଅଧିକ ଥାଏ।

ମଧ୍ୟାହ୍ନ ଭୋଜନରେ ସାଦା ଖାଦ୍ୟ :

 ଦ୍ୱିପ୍ରହର ସମୟରେ ଅଳ୍ପ ଭାତ ସହିତ ସିଝା ପରିବା ପଡ଼ିଥିବା ଡାଲମା କିମ୍ବା ପରିବା ସନ୍ତୁଳା ଖାଇବା ଉଚିତ। ବାଇଗଣ କିମ୍ବା କଖାରୁ ଭଳି ପରିବା ଯଦି ଆପଣଙ୍କୁ ଅସୁବିଧା କରୁଛି, ତେବେ ତାହାକୁ ବଦଳରେ ଅମୃତଭଣ୍ଡା ବା ପୋଟଳ ଖାଆନ୍ତୁ।

ଖାଦ୍ୟରେ ଦହି ସାମିଲ କରନ୍ତୁ:

ଦହିରେ ପ୍ରୋବାୟୋଟିକ୍ସ (ଭଲ ବ୍ୟାକ୍ଟେରିଆ) ଥାଏ, ଯାହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ। ଦ୍ୱିପ୍ରହର ଖାଇବା ପରେ ଏକ ଗ୍ଲାସ ଘୋଳଦହି ପିଇବା ଦ୍ୱାରା ପେଟ ଥଣ୍ଡା ରହେ ଏବଂ ଗ୍ୟାଷ୍ଟ୍ରିକ୍ ଜଳାପୋଡ଼ାରୁ ମୁକ୍ତି ମିଳେ।

ଅଳ୍ପ ଅଳ୍ପ କରି ବାରମ୍ବାର ଖାଆନ୍ତୁ:

ଏକାଥରକେ ବହୁତ ଜୋରରେ ପେଟ ଭର୍ତ୍ତି କରି ଖାଆନ୍ତୁ ନାହିଁ। ବରଂ ଦିନସାରା ୩ ରୁ ୪ ଥର ଅଳ୍ପ ପରିମାଣର ଖାଦ୍ୟ ଖାଇଲେ ପେଟରେ ଏସିଡ୍ ଜମା ହୁଏନାହିଁ ଏବଂ ହଜମ ସହଜ ହୁଏ। ଏହାସହ ଅଧିକ ଲଙ୍କା ଗୁଣ୍ଡ, ଗରମ ମସଲା ଏବଂ ଛଣାଛଣି ଖାଦ୍ୟ ପେଟର ଭିତର ସ୍ତରକୁ ଉତ୍ତେଜିତ କରିଥାଏ। ଏହାଦ୍ୱାରା ଗ୍ୟାଷ୍ଟ୍ରିକ୍ ଅଲସର୍ ହେବାର ଭୟ ଥାଏ, ତେଣୁ ସାଧା ଖାଇବା ଖାଆନ୍ତୁ।

ରାତି ଭୋଜନ ଶୀଘ୍ର  କରନ୍ତୁ:

ଶୋଇବାର ଅତିକମରେ ୨ ରୁ ୩ ଘଣ୍ଟା ପୂର୍ବରୁ ରାତି ଖାଦ୍ୟ ଖାଇ ନିଅନ୍ତୁ। ରାତିରେ ରୁଟି ଓ ସନ୍ତୁଳା ଭଳି ସହଜରେ ହଜମ ହେଉଥିବା ଖାଦ୍ୟ ଖାଇଲେ ଶୋଇବା ସମୟରେ ଗ୍ୟାସ୍ ସମସ୍ୟା ହୁଏନାହିଁ। ସେହିଭଳି ବିଭିନ୍ନ ମାଦକ ଦ୍ରବ୍ୟ ଠାରୁ ଦୂରରେ ରୁହନ୍ତୁ । ଯଦି ଗ୍ୟାସଟ୍ରିକ ସମସ୍ୟା ଅଛି ତେବେ ଡାକ୍ତରଙ୍କ ପରାମର୍ଶରେ ସବୁବେଳେ ଖାଇବା ଗ୍ରହଣ କରନ୍ତୁ ।

Tags: