ଟାଣ ଖରାର ପ୍ରଭାବ
ର୍ଯ୍ୟଙ୍କ ଅତିବାଇଗଣୀ ବିକିରଣ ସଂସ୍ପର୍ଶରେ ଆମ ଚର୍ମ ଅଧିକ ସମୟ ରହିଲେ ଯେଉଁ ଯନ୍ତ୍ରଣାଦାୟକ ପ୍ରତିକ୍ରିୟା ପ୍ରକାଶ ପାଏ, ତାହାକୁ ‘ସନ୍ ବର୍ଣ୍ଣ’ ବୋଲି କୁହାଯାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଚର୍ମର ବାହ୍ୟ ସ୍ତରରେ ହେଉଥିବା ଏକ ପ୍ରକାର ‘ରେଡିଏସନ୍ ବର୍ଣ୍ଣ’। ଯାହା ମୁଖ୍ୟତଃ ସୂର୍ଯ୍ୟକିରଣରେ ଥିବା କ୍ଷତିକାରକ ରଶ୍ମି ଦ୍ୱାରା ଚର୍ମର ଡିଏନ୍ଏ କ୍ଷତିଗ୍ରସ୍ତ ହେବା ଯୋଗୁଁ ଘଟିଥାଏ। ସନ୍ ବର୍ଣ୍ଣ ହେଲେ ଚର୍ମ ଲାଲ୍ ପଡ଼ିଯାଏ, ଗରମ ଅନୁଭବ ହୁଏ ଏବଂ ପ୍ରବଳ ପୋଡ଼ାଜଳା ସହ ଯନ୍ତ୍ରଣା ହୋଇଥାଏ । ଗୁରୁତର ସ୍ଥିତିରେ ଚର୍ମରେ ଫୋଟକା ହୋଇପାରେ ଏବଂ କିଛି ଦିନ ପରେ ମୃତ ଚର୍ମ ଛାଡ଼ିବାକୁ ଲାଗେ। ଏହାର ଦୀର୍ଘକାଳୀନ ପ୍ରଭାବ ବେଶ୍ ଭୟଙ୍କର ହୋଇପାରେ, କାରଣ ବାରମ୍ବାର ସନ୍ ବର୍ଣ୍ଣ ହେବା ଦ୍ୱାରା ଚର୍ମରେ ଅକାଳ ବାର୍ଦ୍ଧକ୍ୟ, କଳା ଦାଗ ଏବଂ ଚର୍ମ କର୍କଟ ଭଳି ମାରାତ୍ମକ ରୋଗର ଆଶଙ୍କା ବଢ଼ିଯାଏ । ଏଥିରୁ ରକ୍ଷା ପାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା । ଯେପରିକି ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାରେ ବାହାରକୁ ଯିବାରୁ ଦୂରେଇ ରହିବା। ବାହାରକୁ ବାହାରିବା ସମୟରେ ଅତି କମରେ ୩୦ ଏସପିଏଫ୍ ଥିବା ସନସ୍କ୍ରିନ୍ ବ୍ୟବହାର କରିବା । ସୂର୍ଯ୍ୟକିରଣରୁ ବଞ୍ଚିବା ପାଇଁ ଛତା, ଚଷମା ଓ ଶରୀରକୁ ସମ୍ପୂର୍ଣ୍ଣ ଢାଙ୍କିଲା ଭଳି ସୁତି ପୋଷାକ ପିନ୍ଧିବା ଏବଂ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଅତ୍ୟନ୍ତ ଜରୁରୀ । ଯଦି କାହାର ସନ୍ ବର୍ଣ୍ଣ ହୋଇଯାଏ, ତେବେ ତୁରନ୍ତ ସେହି ସ୍ଥାନରେ ଥଣ୍ଡା ପାଣିରେ ପଟି ଦେବା, ଆଲୋଭେରା ଜେଲ୍ କିମ୍ବା ମଏଶ୍ଚରାଇଜର୍ ଲଗାଇବା ଦ୍ୱାରା ଉପଶମ ମିଳିଥାଏ। ମନେରଖନ୍ତୁ, ଯଦି ସନ୍ ବର୍ଣ୍ଣ ସହିତ ପ୍ରବଳ ଜ୍ୱର, ମୁଣ୍ଡ ବୁଲାଇବା କିମ୍ବା ଶରୀରର ବହୁ ଅଂଶରେ ଫୋଟକା ଦେଖାଯାଏ, ତେବେ ଏହାକୁ ସାମାନ୍ୟ ନଭାବି ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ ।



