ଅଣଦେଖା କରନ୍ତୁ ନି ଲକ୍ଷଣ
ଭାରତରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏନିମିଆ ବା ରକ୍ତହୀନତା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି, ତେଣୁ ଏହାର ଲକ୍ଷଣକୁ କେବେହେଲେ ଅଣଦେଖା କରନ୍ତୁ ନାହିଁ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ, ଦେଶର ପ୍ରାୟ ୫୭-୫୯% ମହିଳା ଏହି ସମସ୍ୟାରେ ପୀଡ଼ିତ । ଏହାର ମୁଖ୍ୟ କାରଣ ହେଉଛି ଶରୀରରେ ଆଇରନ୍ ବା ଲୌହସାରର ଅଭାବ । ଲୌହସାର ଶରୀରରେ ହିମୋଗ୍ଲୋବିନ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ, ଯାହା ଫୁସଫୁସରୁ ଅମ୍ଳଜାନ ନେଇ ସମଗ୍ର ଶରୀରକୁ ପହଞ୍ଚାଏ । ଏହାର ଅଭାବ ହେଲେ ଶରୀରରେ ଅମ୍ଳଜାନସ୍ତର ହ୍ରାସ ପାଏ, ଯାହାଦ୍ୱାରା ଅତ୍ୟଧିକ ଥକ୍କାପଣ, ଦୁର୍ବଳତା, ମୁଣ୍ଡ ବୁଲାଇବା ଏବଂ ନଖ ଫାଟିବା ଭଳି ଲକ୍ଷଣ ଦେଖାଦିଏ । ବିଶେଷଜ୍ଞଙ୍କ ଅନୁଯାୟୀ, ମହିଳାମାନଙ୍କ କ୍ଷେତ୍ରରେ ମାସିକ ଧର୍ମ, ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ କରାଇବା ସମୟରେ ଆଇରନର ଆବଶ୍ୟକତା ଅଧିକ ରହିଥାଏ । ଏହି ଅଭାବକୁ ଦୂର କରିବା ପାଇଁ 'ଲାଲ ଶାଗ' ଏକ ଉତ୍କୃଷ୍ଟ ମାଧ୍ୟମ। ଲାଲ ପାଳଙ୍ଗ, କୋଶଳା ଶାଗ ବା ଲେଉଟିଆ ଶାଗରେ ଭରପୂର ମାତ୍ରାରେ ଆଇରନ୍, ଭିଟାମିନ୍ ସି, ଫୋଲେଟ୍ ଏବଂ ଫାଇବର ଥାଏ । ଏଥିରେ ଥିବା ଆଇରନ୍ ହେଉଛି 'ନନ୍-ହିମ୍ ଆଇରନ୍', ଯାହାକୁ ଶରୀରରେ ଭଲଭାବେ ଅବଶୋଷଣ କରିବା ପାଇଁ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ସହିତ ଖାଇବା ଜରୁରୀ । ଜଣେ ବୟସ୍କା ମହିଳାଙ୍କୁ ଦୈନିକ ୧୫-୧୮ ମିଲିଗ୍ରାମ ଆଇରନ୍ ଆବଶ୍ୟକ ହୋଇଥାଏ, ଯାହା ଲାଲ ଶାଗରୁ ପୂରଣ ହୋଇପାରିବ। ତେଣୁ ରକ୍ତହୀନତାକୁ ଦୂର କରିବା ପାଇଁ ନିଜ ଦୈନିକ ଖାଦ୍ୟ ତାଲିକାରେ ଏହି ରଙ୍ଗୀନ ଶାଗକୁ ସାମିଲ କରିବା ଏକ ସୁସ୍ଥ ପଦକ୍ଷେପ ହୋଇପାରିବ ।



