ମଧୁମେହ ଓ ମାନସିକ ସ୍ବାସ୍ଥ୍ୟ
ଟାଇପ୍-୨ ମଧୁମେହ ଏବଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟରେ ଏକ ଗଭୀର ସମ୍ପର୍କ ରହିଛି । ଏହି ଦୁଇଟି ପରସ୍ପରକୁ ପ୍ରଭାବିତ କରିଥାନ୍ତି, ଯାହାକୁ ଚିକିତ୍ସା ବିଜ୍ଞାନରେ 'ବାଇ-ଡାଇରେକ୍ସନାଲ୍' ସମ୍ପର୍କ କୁହାଯାଏ। କିଛି ସମ୍ପର୍କ ସିଧାସଳଖ ଥିବାବେଳେ କିଛି ପରୋକ୍ଷରେ ରହିଛି । ଟାଇପ୍-୨ ମଧୁମେହ ହେଉଛି ଏକ ଦୀର୍ଘକାଳୀନ ଶାରୀରିକ ଅବସ୍ଥା ଯେଉଁଠାରେ ଶରୀର ଇନସୁଲିନ୍କୁ ସଠିକ୍ ଭାବରେ ବ୍ୟବହାର କରିପାରେ ନାହିଁ କିମ୍ବା ପର୍ଯ୍ୟାପ୍ତ ପରିମାଣର ଇନସୁଲିନ୍ ତିଆରି କରିପାରେ ନାହିଁ । ଏହା ଫଳରେ ରକ୍ତରେ ଶର୍କରାର ମାତ୍ରା ବଢ଼ିଯାଏ, ଯାହା ଶରୀରର ବିଭିନ୍ନ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ । ସାଧାରଣତଃ ଅତ୍ୟଧିକ ଓଜନ, ଶାରୀରିକ ପରିଶ୍ରମର ଅଭାବ ଏବଂ ବଂଶଗତ କାରଣରୁ ଏହି ରୋଗ ହୋଇଥାଏ ।
ମାନସିକ ସ୍ୱାସ୍ଥ୍ୟ ମଧ୍ୟରେ ସମ୍ପର୍କ
ମଧୁମେହ ଜନିତ ମାନସିକ ଚାପ : ମଧୁମେହ ରୋଗୀଙ୍କୁ ପ୍ରତିଦିନ ରକ୍ତ ଶର୍କରା ଯାଞ୍ଚ କରିବା, ଔଷଧ ଖାଇବା ଏବଂ ଖାଦ୍ୟପେୟ ଉପରେ ନଜର ରଖିବାକୁ ପଡ଼ିଥାଏ । ଏହି କାରଣରୁ ରୋଗୀ ମାନସିକ ଭାବେ କ୍ଲାନ୍ତ ଅନୁଭବ କରନ୍ତି, ଯାହାକୁ 'ଡାଇବେଟିସ୍ ଡିଷ୍ଟ୍ରେସ୍' କୁହାଯାଏ ।
ଅବସାଦ : ରିପୋର୍ଟ ଅନୁଯାୟୀ, ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଅବସାଦ ହେବାର ସମ୍ଭାବନା ସାଧାରଣ ଲୋକଙ୍କ ତୁଳନାରେ ଦୁଇରୁ ତିନି ଗୁଣ ଅଧିକ ଥାଏ । ଅବସାଦ ଯୋଗୁଁ ରୋଗୀ ନିଜର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତି, ଯାହା ମଧୁମେହକୁ ଆହୁରି ଜଟିଳ କରିଦିଏ ।
ଆଙ୍ଗଜାଇଟି: ରକ୍ତରେ ଶର୍କରା କମିଯିବାର ଭୟ ରୋଗୀଙ୍କ ମନରେ ସବୁବେଳେ ଉଦ୍ବେଗ ସୃଷ୍ଟି କରିଥାଏ । ଏହା ଶରୀରରେ ଷ୍ଟ୍ରେସ୍ ହରମୋନ୍ ବୃଦ୍ଧି କରେ, ଯାହା ରକ୍ତ ଶର୍କରା ସ୍ତରକୁ ଅସ୍ଥିର କରିଦିଏ ।
ନିଦ୍ରାହୀନତା : ମଧୁମେହ ଏବଂ ମାନସିକ ଚିନ୍ତା ଉଭୟ ନିଦକୁ ପ୍ରଭାବିତ କରନ୍ତି । ନିଦ ଠିକ୍ରେ ନହେବା ଫଳରେ ଶରୀରର ଇନସୁଲିନ୍ ବ୍ୟବହାର କରିବା କ୍ଷମତା ହ୍ରାସ ପାଏ ।
ଖାଦ୍ୟପେୟର ବ୍ୟତିକ୍ରମ : ମାନସିକ ଅଶାନ୍ତି ଯୋଗୁଁ ଅନେକ ସମୟରେ ରୋଗୀ ଅଧିକ ମିଠା ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଲାଗନ୍ତି , ଯାହା ଟାଇପ୍-୨ ମଧୁମେହକୁ ନିୟନ୍ତ୍ରଣ କରିବାରେ ବାଧା ସୃଷ୍ଟି କରେ। ତେବେ ଏସମସ୍ତ କ୍ଷେତ୍ରରେ ନିଜ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ତାଙ୍କୁ ନିଜର ସମସ୍ତ ଅସୁବିଧା ସମ୍ପର୍କରେ ଜଣାନ୍ତୁ ଏବଂ ତାଙ୍କ ପରାମର୍ଶରେ ଜାବନଶୈଳୀ ବଦଳାନ୍ତୁ ଉପଶମ ମିଳିବ ।
Related Posts



