ଡିମେନସିଆ
ଡିମେନ୍ସିଆ କୌଣସି ଏକ ନିର୍ଦ୍ଦିଷ୍ଟ ରୋଗ ନୁହେଁ, ବରଂ ଏହା ମାନସିକ ସାମର୍ଥ୍ୟ ହ୍ରାସ ପାଇବାର ଏକ ସମୂହ ଅବସ୍ଥାକୁ ବୁଝାଏ । ଏହା ବ୍ୟକ୍ତିର ଦୈନନ୍ଦିନ ଜୀବନଶୈଳୀ, ସ୍ମୃତିଶକ୍ତି ଏବଂ ଚିନ୍ତାଧାରାକୁ ଗଭୀର ଭାବେ ପ୍ରଭାବିତ କରିଥାଏ । ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ ।
ଲକ୍ଷଣ
ଡିମେନ୍ସିଆର ଲକ୍ଷଣ ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଭିନ୍ନ ହୋଇପାରେ, କିନ୍ତୁ କିଛି ସାଧାରଣ ଲକ୍ଷଣ ରହିଛି ଯାହା ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ । ପ୍ରଥମରେ ରହିବ ସ୍ମୃତିହ୍ରାସ, ଯେଉଁଥିରେ ନିକଟରେ ଘଟିଥିବା ଘଟଣା ସମ୍ପର୍କରେ ଲୋକମାନେ ଭୁଲିଯାଇଥାଆନ୍ତି । ଆଉ ଏକ ହେଲା ଭାଷାରେ ଅସୁବିଧା । କଥାବାର୍ତ୍ତା ବେଳେ ସଠିକ୍ ଶବ୍ଦ ଖୋଜି ପାଇବାରେ ରୋଗୀମାନେ କଷ୍ଟ ଅନୁଭବ କରିଥାଆନ୍ତି । ଏପରିକି ସେମାନଙ୍କୁ ଛୋଟ ଛୋଟ କାମ ପାଇଁ ନିଷ୍ପତ୍ତି ନେବାରେ ସମସ୍ୟା ହୋଇଥାଏ । ଅଯଥାରେ ଚିଡିଚିଡା ହେବା, ଅବସାଦରେ ରହିବା କିମ୍ବା ବ୍ୟକ୍ତିତ୍ୱରେ ହଠାତ୍ ପରିବର୍ତ୍ତନ ଆସିବା ।
କାରଣ
ମସ୍ତିଷ୍କର କୋଷଗୁଡ଼ିକ ନଷ୍ଟ ହେବା କାରଣରୁ ଡିମେନ୍ସିଆ ହୋଇଥାଏ। ଏହାର କିଛି ପ୍ରମୁଖ କାରଣ ରହିଛି ଯାହା ଏହି ରୋଗ ହେବାର ଆଶଙ୍କାକୁ ବଢାଇଥାଏ । ଆଲଜାଇମର ରୋଗ , ଏହା ଡିମେନ୍ସିଆର ସବୁଠାରୁ ବଡ ସାଧାରଣ କାରଣ । ଏହାସହ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ମଧ୍ୟ ସ୍ମୃତିହ୍ରାସ ହୋଇପାରେ। ଅନ୍ୟକାରଣ ଭିତରେ ଭିଟାମିନ୍ର ଅଭାବ କିମ୍ବା ଥାଇରଏଡ୍ ଜନିତ ସମସ୍ୟା ମଧ୍ୟ ରହିଛି । ତେବେ ଏହି ରୋଗର ଲକ୍ଷଣ ଚିହ୍ନି ତୁରନ୍ତ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି । ସେହିଭଳି ଜୀବନଶୈଳୀରେ କିଛି ପରିବର୍ତ୍ତନ କରିପାରିଲେ ମଧ୍ୟ ଏହି ରୋଗ ହେବାର ଆଶଙ୍କା କମା ଯାଇପାରିବ । ଖୁସି ରହିବା, ବ୍ୟାୟାମ କରିବା, ସୁଷମ ଖାଦ୍ୟ ଖାଇବା, ଅନ୍ୟ ମାନଙ୍କ ସହିତ ମନକଥା ବାଣ୍ଟିବା ଭଳି କିଛି କଥାକୁ ଧ୍ୟାନରେ ରଖିଲେ ଏହି ରୋଗଠୁ ଆମେ ଦୂରରେ ରହି ପାରିବା । ହେଲେ ଆଖପାଖରେ ଏହି ରୋଗୀ ଦେଖିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।



