ବଢୁଛି କଳା ରସୁଣର ଚାହିଦା
ସମସ୍ତେ ସବୁବେଳେ ଧଳା ରସୁଣର ବ୍ୟବହାର କରିଥାଆନ୍ତି, ହେଲେ କଳାରଙ୍ଗର ରସୁଣମଧ୍ୟ ରହିଛି ଯାହା ଏହାଠାରୁ ଭିନ୍ନ ହୋଇଥାଏ । ତେବେ ସାଧାରଣ ରସୁଣକୁ କିଛି ସପ୍ତାହ ଧରି ସ୍ୱଳ୍ପ ତାପମାତ୍ରା ଏବଂ ଅଧିକ ଆର୍ଦ୍ରତା ମଧ୍ୟରେ ରଖି 'ମେଲାର୍ଡ ରିଆକ୍ସନ' ପ୍ରକ୍ରିୟା ଜରିଆରେ କଳା ରସୁଣ ପ୍ରସ୍ତୁତ କରାଯାଇଥାଏ। ଯାହା ଫଳରେ ଏହାର ରଙ୍ଗ କଳା ହେବା ସହ ସ୍ୱାଦ ରାଗ ବଦଳରେ ମିଠା ହୋଇଯାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ୧୫ ଗ୍ରାମ କଳା ରସୁଣରେ ପ୍ରାୟ ୨୦ଗ୍ରାମ କ୍ୟାଲୋରୀ ରହିବା ସହ ଏଥିରେ ଭିଟାମିନ୍ ସି, ବି କମ୍ପ୍ଲେକ୍ସ, କ୍ୟାଲସିୟମ୍, ମାଙ୍ଗାନିଜ୍ ଏବଂ ଆଇରନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ଲବଣ ଭରପୂର ମାତ୍ରାରେ ଥାଏ। ଫର୍ମେଣ୍ଟେସନ୍ ପ୍ରକ୍ରିୟା ଯୋଗୁଁ କଳା ରସୁଣରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଅଧିକ ଶକ୍ତିଶାଳୀ ହୋଇଥାଏ । ଏଥିରେ 'ଏସ୍-ଏଲିଲ୍ ସିଷ୍ଟିନ୍' ଭଳି ଉପକାରୀ କମ୍ପାଉଣ୍ଡର ମାତ୍ରା ବୃଦ୍ଧି ପାଏ, ଯାହା ସାଧାରଣ ରସୁଣ ତୁଳନାରେ ଏହାକୁ ସ୍ୱାସ୍ଥ୍ୟ ପାଇଁ ଏକ ପ୍ରଭାବଶାଳୀ ପ୍ରାକୃତିକ ସପ୍ଲିମେଣ୍ଟରେ ପରିଣତ କରିଥାଏ। ଯଦିଓ ସାଧାରଣ ରସୁଣରେ ସଂକ୍ରମଣ ବିରୋଧରେ ଲଢ଼ିବା ପାଇଁ 'ଏଲିସିନ୍' ଅଧିକ ଥାଏ, ତଥାପି କଳା ରସୁଣ ସହଜରେ ହଜମ ହେଉଥିବାରୁ ଏବଂ ଏହାର ଗନ୍ଧ ଖୁବ୍ କମ୍ ଥିବାରୁ ଏହା ଅନେକ କ୍ଷେତ୍ରରେ ଅଧିକ ଲାଭଦାୟକ ବିବେଚିତ ହୁଏ। ଧୀରେଧୀରେ ଏହାର ଚାହିଦା ବଢୁଥିବା ଦେଖିବାକୁ ମିଳୁଛି ।



