କ୍ୟୁଡେଙ୍ଗା
ଡେଙ୍ଗୁ ରୋଗରେ ଭାରତରେ ପ୍ରତିବର୍ଷ ଅନେକ ରୋଗୀଙ୍କର ଜୀବନ ଯାଉଥିବାବେଳେ ଶତାଧୀକ ଏଥିରେ ପିଡିତ ହୋଇଥାଆନ୍ତି । ତେବେ ନିକଟରେ ପ୍ରସ୍ତୁତ ହୋଇଛି ଦେଶର ପ୍ରଥମ ଡେଙ୍ଗୁ ଟିକା କ୍ୟୁଡେଙ୍ଗା, ଯାହା ଆଗକୁ ଏହି ରୋଗକୁ ସମାଜରୁ ଦୂରେଇବାରେ ବଡ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଇଛି ।
ଭାରତରେ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ( ସିଡିଏସସିଓ ) ଦେଶର ପ୍ରଥମ ଡେଙ୍ଗୁ ଟିକା 'ଡେଙ୍ଗୁ ଟେଟ୍ରାଭାଲେଣ୍ଟ ଭାକସିନ ବା କ୍ୟୁଡେଙ୍ଗାର ବଜାର ପ୍ରବେଶ ପାଇଁ ଅନୁମୋଦନ ଦେଇଛି । ଜର୍ମାନୀର ଟାକେଡା ଜିଏମବିଏଚ ଦ୍ୱାରା ନିର୍ମିତ ଏବଂ ମେସର୍ସ ଟାକେଡା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆମଦାନୀ ହେବାକୁ ଥିବା ଏହି ଟିକାକୁ ଔଷଧ ଓ ପ୍ରସାଧନ ଆଇନ୍, ୧୯୪୦ ଏବଂ ଔଷଧ ନିୟମାବଳୀ, ୧୯୪୫ ଅନୁଯାୟୀ ଏହାର ଗୁଣବତ୍ତା, ସୁରକ୍ଷା ଓ କାର୍ଯ୍ୟକାରିତାର ବ୍ୟାପକ ବୈଜ୍ଞାନିକ ମୂଲ୍ୟାୟନ ପରେ ଅନୁମୋଦିତ କରାଯାଇଛି । କ୍ୟୁଡେଙ୍ଗା ହେଉଛି ରିକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜି ମାଧ୍ୟମରେ ପ୍ରସ୍ତୁତ ଏକ ଜେନେଟିକାଲି ମୋଡିଫାଇଡ୍ ଜୀବ (GMOs) ଆଧାରିତ ଲାଇଭ୍ ଆଟେନୁଏଟେଡ୍ ଟେଟ୍ରାଭାଲେଣ୍ଟ ଟିକା । ଯାହା ଭେରୋ ସେଲରେ ଡେଙ୍ଗୁ ଭାଇରସ ଟାଇପ୍-୨ ବ୍ୟାକବୋନ୍ ବ୍ୟବହାର କରି ନିର୍ମାଣ କରାଯାଇଛି । ଏହା ଶୁଖିଲା ଗୁଣ୍ଡ (ଫ୍ରିଜ୍-ଡ୍ରାଇଡ୍ ପାଉଡର) ଆକାରରେ ଉପଲବ୍ଧ ହେବ, ଯାହାକୁ ମିଶ୍ରଣ କରି ଚର୍ମ ତଳେ (ସବକୁଟାନିଅସ) ଇଞ୍ଜେକ୍ସନ ଆକାରରେ ଦିଆଯିବ। ୪ ରୁ ୬୦ ବର୍ଷ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ନିର୍ଦ୍ଦିଷ୍ଟ ଏହି ଟିକାର ୦.୫ ମିଲିଲିଟରର ଦୁଇଟି ଡୋଜ୍ ୩ ମାସର ବ୍ୟବଧାନରେ (୦ ଏବଂ ୩ ମାସ) ଗ୍ରହଣ କରିବାକୁ ସୁପାରିଶ କରାଯାଇଛି । ବ୍ରାଜିଲ, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ଭାରତର ୪ ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଫେଜ୍-୩ କ୍ଲିନିକାଲ ଟ୍ରାଏଲ୍ ସହ ବ୍ୟାପକ ବିଶ୍ୱସ୍ତରୀୟ ଗବେଷଣାରୁ ଏହାର ସୁରକ୍ଷା ଓ ପ୍ରତିରୋଧକ କ୍ଷମତା ସ୍ପଷ୍ଟ ହୋଇଛି । ୟୁରୋପୀୟ ୟୁନିଅନ, ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲ୍ୟାଣ୍ଡ ସମେତ ବିଶ୍ୱର ୪୨ଟି ଦେଶରେ ଅନୁମୋଦନ ପାଇସାରିଥିବା ଏହି ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ପ୍ରି-କ୍ୱାଲିଫିକେସନ ହାସଲ କରିସାରିଛି । ବିଶ୍ୱସ୍ତରରେ ଏପର୍ଯ୍ୟନ୍ତ ୨.୪ କୋଟିରୁ ଅଧିକ ଡୋଜ୍ ବଣ୍ଟନ କରାଯାଇସାରିଥିବା ବେଳେ ପୋଷ୍ଟ-ମାର୍କେଟିଂ ତଥ୍ୟ ଅନୁଯାୟୀ ଏହାର ସୁରକ୍ଷା ରେକର୍ଡ ଅତ୍ୟନ୍ତ ସନ୍ତୋଷଜନକ ରହିଛି । ଜାତୀୟ ଭେକ୍ଟର ବୋର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ ପ୍ରୋଗ୍ରାମ ଅଧୀନରେ ଚାଲିଥିବା ମଶା ନିୟନ୍ତ୍ରଣ, ପ୍ରାରମ୍ଭିକ ରୋଗ ନିରୂପଣ ଓ ଚିକିତ୍ସା ବ୍ୟବସ୍ଥା ସହ ଏହି ପ୍ରଥମ ଡେଙ୍ଗୁ ଟିକା ସାମିଲ ହେବା ଦ୍ୱାରା ଭାରତର ଜନସ୍ୱାସ୍ଥ୍ୟ କ୍ଷେତ୍ରକୁ ଆହୁରି ମଜବୁତ କରାଯାଇପାରିବ ବୋଲି ଆଶାପ୍ରକାଶ ପାଇଛି ।




