ବ୍ଲୋଟିଂ
ପେଟ ଫୁଲିବା ବା ବ୍ଲୋଟିଂ ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଏକ ସାଧାରଣ ସମସ୍ୟା ପାଲଟିଛି । ଏହା ଶାରିରୀକ କଷ୍ଟ ସହିତ ଦୈନନ୍ଦିନ କାମରେ ମଧ୍ୟ ବାଧା ସୃଷ୍ଟି କରେ। ତେବେ ଆସନ୍ତୁ ଜାଣିବା ଏହାର କାରଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ।
ମୁଖ୍ୟ କାରଣ
ପେଟରେ ଗ୍ୟାସ୍ ଜମିବା କିମ୍ବା ହଜମ ପ୍ରକ୍ରିୟାରେ ସମସ୍ୟା ହେଲେ ପେଟ ଫୁଲିଥାଏ, ଯାହାକୁ ବ୍ଲୋଟିଂ କୁହାଯାଇଥାଏ । ଏହାର କିଛି ପ୍ରମୁଖ କାରଣ ରହିଛି ଯେପରି ଶୀଘ୍ର ଖାଇବା। ଯଦି ଆପଣ ଖାଦ୍ୟକୁ ଭଲ ଭାବେ ନ ଚୋବାଇ ଶୀଘ୍ର ଖାଉଛନ୍ତି, ତେବେ ଖାଦ୍ୟ ସହିତ ଅଧିକ ବାୟୁ ପେଟକୁ ଯାଇଥାଏ, ଯାହା ଫଳରେ ପେଟ ଫୁଲିବାର ଆଶଙ୍କା ରହିଥାଏ । ଆଉ ଏକ କାରଣ ହେଲା ଅତ୍ୟଧିକ ଗ୍ୟାସ୍ ସୃଷ୍ଟିକାରୀ ଖାଦ୍ୟ ଯଥା କୋବି, ବିରି ଡାଲି, ବୁଟ, ଏବଂ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ସୃଷ୍ଟି ହୁଏ । ସେହିଭଳି ଯଦି କୋଷ୍ଠକାଠିନ୍ୟ ଥାଏ ତେବେ ପେଟ ସଫା ହୋଇନଥାଏ ଯାହା ବ୍ଲୋଟିଂର କାରଣ ସାଜିଥାଏ । କିଛି ଲୋକଙ୍କର କ୍ଷୀର ହଜମ ହୁଏ ନାହିଁ । ତେଣୁ କ୍ଷୀର କିମ୍ବା କ୍ଷୀରଜାତୀୟ ଖାଦ୍ୟ ଖାଇବା ଦ୍ବାରା ଏହି ସମସ୍ୟା ହେବାର ସମ୍ଭାବନା ରହିଥାଏ ।
ପ୍ରତିରୋଧ
କିଛି ସାଧାରଣ ଅଭ୍ୟାସରେ ପରିବର୍ତ୍ତନ ଆଣି ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଇଲେ ହଜମ ପ୍ରକ୍ରିୟା ସହଜ ହୁଏ ଏବଂ ପେଟକୁ ବାୟୁ କମ୍ ଯାଏ । ଦିନସାରା ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରହେ ଏବଂ କୋଷ୍ଠକାଠିନ୍ୟ ଦୂର ହୁଏ । ଖାଦ୍ୟରେ ପ୍ରୋବାୟୋଟିକ୍ସ ଯେପରି ଦହି ବା ଘୋଳଦହି ସାମିଲ କରନ୍ତୁ । ଏଥିରେ ଥିବା ଭଲ ବ୍ୟାକ୍ଟେରିଆ ହଜମ ଶକ୍ତି ବଢାଇଥାଏ । ସେହିଭଳି ଖାଦ୍ୟ ଖାଇବା ପରେ ଜୁଆଣୀ, ପାନମଧୁରୀ ଆଦି ଖାଇପାରିବେ ଯାହା ଆମର ହଜମ ଶକ୍ତି ବଢାଇବା ସହିତ ବ୍ଲୋଟିଂ ସମସ୍ୟାରୁ ମୁକ୍ତି ଦେଇଥାଏ । ତେବେ ଯଦି ଏହି ସମସ୍ୟା ରହିଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି ।
ନିଆରା ପରମ୍ପରା
ଚୀନର ଗ୍ରାମୀଣ ଅଞ୍ଚଳରେ ଏବେବି ଏଭଳି ଅନେକ ପରମ୍ପରା ବଞ୍ଚି ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ବାହାଘର ସମୟରେ କନ୍ୟାମାନଙ୍କୁ ନିଜ ସହିତ ଟଏଲଟ ପଟ ସାଙ୍ଗରେ ଆଣିବାକୁ ହୋଇଥାଏ । ଏହି ଟଏଲଟ ପଟ ଭିତରେ କନ୍ୟା ଲାଲ ରଙ୍ଗର ଅଣ୍ଡା ସହିତ ବିଭିନ୍ନ ଡ୍ରାଏ ଫ୍ରୁଟ୍ସ ଭରି କରି ଆଣିଥାଏ । ଏହି ପରମ୍ପରାକୁ ଫଟିଲିଟି ସହିତ ଏକ ଖୁସି ସମୃଦ୍ଧ ପାରିବାରିକ ବଂଶର ସିମ୍ବଲ ଭାବେ ପରିଗଣିତ କରାଯାଇଥାଏ । ଏହା ଆଗାମୀ ପିଢିର ଏକ ଶାନ୍ତ ସମୃଦ୍ଧି ଜୀବନର ସଙ୍କେତ ହୋଇଥାଏ ବୋଲି ସେଠାରେ ବିଶ୍ବାସ ରହିଛି । ତେବେ ଏହି ପରମ୍ପରା ବର୍ତ୍ତମାନ କିଛି ସ୍ଥାନରେ ବନ୍ଦ ହୋଇଥିବାବେଳେ କିଛି ସ୍ଥାନରେ କିନ୍ତୁ ଏହାକୁ ପାଳନ କରାଯାଉଛି ।



