ସୁନ୍ଦରତା ସାଜିପାରେ କାଳ
ବର୍ତ୍ତମାନ ବିବାହରେ ସୁନ୍ଦର ଦିଶିବାର ପ୍ରତିଯୋଗିତା ଟ୍ରେଣ୍ଡ ପାଲଟିଛି । ଏଥିପାଇଁ ଯୁବପିଢି ଅନେକ ପ୍ରକାରର ଉପାୟ ଆପଣାଉଛନ୍ତି । ତେବେ ଏହାରି ଭିତରେ ଯୁବପିଢ଼ିଙ୍କ ମଧ୍ୟରେ ଓଜନ କମାଇବା ପାଇଁ ଶର୍ଟକଟ୍ ଆପଣାଇବାର ପ୍ରବୃତ୍ତି ବଢ଼ିବାରେ ଲାଗିଛି। ଆଇମାର୍କ ଗ୍ରୁପର ରିପୋର୍ଟ ଅନୁଯାୟୀ, ଦେଶରେ ୱେଟ୍ ଲସ୍ କ୍ଲିନିକ୍ ଏବଂ ମ୍ୟାନେଜମେଣ୍ଟ ବଜାର ୨୦୩୪ ସୁଦ୍ଧା ୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରେ । ଯାହାର ମୁଖ୍ୟ କାରଣ ହେଉଛି ବ୍ୟାୟାମ ବଦଳରେ ଲୋକେ ଏବେ 'ସେମାଗ୍ଲୁଟାଇଡ୍' ଭଳି ଶସ୍ତା ଓଜନ ହ୍ରାସକାରୀ ଇଞ୍ଜେକ୍ସନ ପ୍ରତି ଆକର୍ଷିତ ହେଉଛନ୍ତି । ବିଶେଷଜ୍ଞଙ୍କ ମତରେ, ଆଜିକାଲି ଯୁବତୀମାନେ ବିବାହ ପୋଷାକରେ ସୁନ୍ଦର ଦିଶିବା ପାଇଁ 'ୱେଟ୍ ଲସ୍' ଅପେକ୍ଷା 'ଇଞ୍ଚ୍ ଲସ୍' ବା ଶରୀରର ଗଠନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ସେମାନେ ୧୫ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଛାଉ ନାହାଁନ୍ତି। ପ୍ରି-ୱେଡିଂ ଟ୍ରାନ୍ସଫର୍ମେସନ ପ୍ୟାକେଜ୍ ଜରିଆରେ ୩ ମାସ ମଧ୍ୟରେ ଅଣ୍ଟାର ଚର୍ବି କମାଇବା ଏବେ ଏକ ନୂଆ ଟ୍ରେଣ୍ଡ ପାଲଟିଛି । ମାତ୍ର ଓବେସିଟି ମେଡିସିନ ଆସୋସିଏସନ ଏବଂ ଫିଟନେସ ବିଶେଷଜ୍ଞମାନେ ଏହାକୁ ନେଇ ସତର୍କ କରାଇଛନ୍ତି । ଏହି ଇଞ୍ଜେକ୍ସନ ବନ୍ଦ କରିବା ମାତ୍ରେ ଓଜନ ପୁଣି ବଢ଼ିବା ସହ ବାନ୍ତି ଓ ଗ୍ୟାଷ୍ଟ୍ରୋ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ତେଣୁ ବିବାହ ପୂର୍ବରୁ ସୁନ୍ଦର ଦିଶିବା ପାଇଁ ସ୍ୱାସ୍ଥ୍ୟ ସହ ବାଜି ଲଗାଇ ଏଭଳି ଶର୍ଟକଟ୍ ଆପଣାଇବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଯଦି ଆପଣ ପତଳା ହେବାକୁ ଇଚ୍ଛା କରୁଛନ୍ତି ତେବେ ପରିଶ୍ରମ କରି ବ୍ୟାୟାମ କରି ନିଜର ଓଜନ କମାନ୍ତୁ ।



