ଆପେଣ୍ଡିକ୍ସ
ଆପେଣ୍ଡିକ୍ସ ଆମ ପେଟର ଡାହାଣ ପାର୍ଶ୍ୱର ତଳ ଭାଗରେ ଥିବା ଏକ ଛୋଟ, ପତଳା ନଳୀ ପରି ଅଙ୍ଗ । ଯାହା ବୃହଦନ୍ତ୍ର ସହିତ ଜଡ଼ିତ ଥାଏ । ଯେତେବେଳେ ସଂକ୍ରମଣ କାରଣରୁ ଏହା ଫୁଲିବାକୁ ଲାଗିଥାଏ, ତାହାକୁ 'ଆପେଣ୍ଡିସାଇଟିସ୍' କୁହାଯାଏ। ଏହି ପରିସ୍ଥିତିର ଜରୁରୀ କାଳୀନ ଚିକିତ୍ସାର ଆବଶ୍ୟକତା ପଡିଥାଏ ।
କାରଣ
ଏହା ହେବାର ମୁଖ୍ୟ କାରଣ ହେଉଛି ନଳୀରେ କୌଣସି ପ୍ରକାରର ବାଧା ସୃଷ୍ଟି ହେବା । ଏହାର କିଛି ପ୍ରମୁଖ କାରଣ ରହିଛି ଯେଉଁ କାରଣରୁ ଏହା ହେବାର ସମ୍ଭାବନା ଅଧିକ ବଢିଯାଇଥାଏ । ଶକ୍ତ ମଳ ବା ମଳ ଜମାଟ ବାନ୍ଧି ଆପେଣ୍ଡିକ୍ସର ଦ୍ୱାର ବନ୍ଦ କରିଦେଲେ ସଂକ୍ରମଣ ହୋଇଥାଏ । ଏହାସହ ପେଟରେ ଜୀବାଣୁ , ଭୂତାଣୁ କିମ୍ବା ପରଜୀବୀଙ୍କ ସଂକ୍ରମଣ କାରଣରୁ ଏହା ଫୁଲିଯାଇପାରେ । ସେହିଭଳି ପାଚନ ପ୍ରକ୍ରିୟାରେ ସାହାଯ୍ୟ କରୁଥିବା ଲିମ୍ଫ୍ ଟିସୁ ଫୁଲିଯିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇପାରେ । ଏହାର ଅନ୍ୟାନ କାରଣ ମଧ୍ୟ ରହିଛି ।
ଲକ୍ଷଣ
ନାଭି ପାଖରୁ ଯନ୍ତ୍ରଣା ଆରମ୍ଭ ହୋଇ ପେଟର ଡାହାଣ ପାର୍ଶ୍ୱର ତଳ ଭାଗରେ ଅଧିକ ମାତ୍ରାରେ ଯନ୍ତ୍ରଣା ହେବା ।କାଶିଲେ, ଚାଲିଲେ କିମ୍ବା ଶରୀର ହଲଚଲ କଲେ ଅଧିକ ଯନ୍ତ୍ରଣା ହେବା । ବାନ୍ତି ଲାଗିବା କିମ୍ବା ବାରମ୍ବାର ବାନ୍ତି ହେବା । ଭୋକ ନଲାଗିବା ଏବଂ ସାମାନ୍ୟ ଜ୍ୱର ହେବା । ପେଟ ଫୁଲିବା କିମ୍ବା କୋଷ୍ଠକାଠିନ୍ୟ ଦେଖାଦେବା ।
ସାବଧାନତା
ଯଦିଓ ଆପେଣ୍ଡିସାଇଟିସ୍କୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଉପାୟ ନାହିଁ, ତଥାପି କିଛି ଜୀବନଶୈଳୀ ପରିବର୍ତ୍ତନ ଦ୍ୱାରା ଏହାର ଆଶଙ୍କା କମାଯାଇପାରେ । ଉଚ୍ଚ ଫାଇବର ଯୁକ୍ତ ଖାଦ୍ୟ ଏଥିପାଇଁ ଖୁବ ଲାଭଦାୟକ ହୋଇଥାଏ । ନିଜ ଖାଦ୍ୟରେ ଅଧିକ ପରିମାଣର ଶାଗ, ପନିପରିବା ଏବଂ ଫଳ ସାମିଲ କରନ୍ତୁ । ଦିନକୁ ଅତିକମରେ ୮-୧୦ ଗ୍ଲାସ ପାଣି ପିଅନ୍ତୁ, ଯାହା ପାଚନ ପ୍ରକ୍ରିୟାକୁ ସହଜ କରିଥାଏ । ପେଟ ସଫା ରଖିବାକୁ ଚେଷ୍ଟା କରନ୍ତୁ, ଯାହାଫଳରେ ଆପେଣ୍ଡିକ୍ସ ନଳୀରେ ମଳ ଜମା ହେବ ନାହିଁ ଏବଂ ସଂକ୍ରମଣ ହେବା ନାହିଁ । ଖାଦ୍ୟରେ ଓଟସ୍, ବ୍ରାଉନ୍ ରାଇସ୍ ଏବଂ ଗହମ ଜାତୀୟ ଖାଦ୍ୟ ସାମିଲ କରନ୍ତୁ । ତେବେ ଯଦି ଆପଣଙ୍କର ପେଟର ଡାହାଣ ପାର୍ଶ୍ୱରେ ପ୍ରବଳ ଯନ୍ତ୍ରଣା ହେଉଛି, ତେବେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାକୁ ଅବହେଳା କଲେ ଏହା ଘାତକ ହୋଇପାରେ।



