ଗ୍ରୀଷ୍ମଋତୁରେ ବଢିଥାଏ ରାଗ

ଗ୍ରୀଷ୍ମଋତୁରେ ବଢିଥାଏ ରାଗ
Ipsita Picture
By: Ipsita
Published On

 

ଗ୍ରୀଷ୍ମଋତୁରେ ତାପମାତ୍ରା ବଢ଼ିବା ସହିତ ଅଧିକାଂଶ ଲୋକଙ୍କ ମଧ୍ୟରେ ଥକ୍କାପଣ, ଚିଡ଼ିଚିଡ଼ାପଣ, କମ୍ ନିଦ ହେବା, କାମରେ ଏକାଗ୍ରତା କମିଯିବା, କଥା କଥାରେ ରାଗ ଆସିବା ଏବଂ ବିନା କାରଣରେ ଅସ୍ଥିରତା ବଢ଼ିବା ଭଳି ସମସ୍ୟା ଦେଖାଦେଇଥାଏ । ହିଟ୍ ୱେଭ୍ ବା କ୍ରମାଗତ ଉଚ୍ଚ ତାପମାତ୍ରା ଯୋଗୁଁ ମାନସିକ ଚାପ, ନିଦ୍ରାହୀନତା ଏବଂ ମୁଡ୍ ସ୍ୱିଙ୍ଗ୍  ଜନିତ ମାମଲା ବହୁତ ବଢ଼ିଯାଏ । ଯାହାକୁ ନେଇ ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ଏନଭାୟରମେଣ୍ଟାଲ୍ ରିସର୍ଚ୍ଚ ଆଣ୍ଡ ପବ୍ଲିକ୍ ହେଲ୍ଥରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଗ୍ରୀଷ୍ମ ଦିନେ ମାନସିକ ସ୍ୱାସ୍ଥ୍ୟ ବିଭାଗରେ ମାମଲା ୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ବାସ୍ତବରେ ଶରୀରରେ ଜଳୀୟ ଅଂଶର ଅଭାବ (ଡିହାଇଡ୍ରେସନ), ଖରାପ ଶୋଇବା ଶୈଳୀ ଏବଂ ଦୈନନ୍ଦିନ ଜୀବନଯାତ୍ରାରେ ପରିବର୍ତ୍ତନ ମିଶି ଆମର ମାନସିକ ସନ୍ତୁଳନକୁ ପ୍ରଭାବିତ କରିଥାଏ । ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଅତ୍ୟଧିକ ଗରମ ସମୟରେ ଶରୀରକୁ ଥଣ୍ଡା ରଖିବା ପାଇଁ ଅଧିକ ଶକ୍ତି ଖର୍ଚ୍ଚ ହେଉଥିବାରୁ ଶାରୀରିକ ଥକ୍କାପଣ ସହ ମସ୍ତିଷ୍କରେ ସେରୋଟୋନିନ୍ ଓ ଡୋପାମିନ୍ ଭଳି ଫିଲ୍ ଗୁଡ୍ ହରମୋନ୍ର ସନ୍ତୁଳନ ବିଗିଡ଼ିଯାଏ, ଯାହା ମୁଡ୍ ସ୍ୱିଙ୍ଗ୍ ଏବଂ ରାଗ ବଢ଼ାଇଥାଏ । ଡିହାଇଡ୍ରେସନ ଯୋଗୁଁ ମସ୍ତିଷ୍କ କୋଷ ପର୍ଯ୍ୟନ୍ତ ରକ୍ତ ଓ ଅମ୍ଳଜାନ ସଞ୍ଚାଳନ ବାଧାପ୍ରାପ୍ତ ହୁଏ, ଶରୀରରେ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନ ହେତୁ ମାନସିକ ସୁସ୍ତି ଆସେ ଏବଂ ଚିନ୍ତା କରିବା ଓ ନିଷ୍ପତ୍ତି ନେବାର କ୍ଷମତା ଦୁର୍ବଳ ହୋଇଯାଏ । ଏହି କାରଣରୁ ଲୋକଙ୍କ ମଧ୍ୟରେ ଅତ୍ୟଧିକ ଚିନ୍ତା (ଆଙ୍ଗ୍ଜାଇଟି), ଡିପ୍ରେସନ, ନିଦ୍ରାହୀନତା, ବୁଦ୍ଧିଭ୍ରମ, ଏକାଗ୍ରତାର ଅଭାବ, ସାମାଜିକ ଦୂରତା, ସ୍ମୃତିଶକ୍ତି ଦୁର୍ବଳ ହେବା ଏବଂ ମାନସିକ ଚାପ ଭଳି ସମସ୍ୟା ସୃଷ୍ଟି ହୁଏ । ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ ପ୍ରଖମର କିରଣ ଓ ଦିନ ବଡ଼ ହେବା କାରଣରୁ ଶରୀରର ସର୍କାଡିଆନ୍ ରିଦମ୍  ବିଗିଡ଼ିଯାଏ, ଯାହା ଶୋଇବା ପ୍ରକ୍ରିୟାକୁ ନଷ୍ଟ କରେ। ବିଶେଷ କରି ବୟସ୍କ ବ୍ୟକ୍ତି, ଛୋଟ ପିଲା, ଗର୍ଭବତୀ ମହିଳା, ବାହାରେ କାମ କରୁଥିବା ଶ୍ରମିକ ଏବଂ ପୂର୍ବରୁ ଆଞ୍ଜାଇଟି, ଡିପ୍ରେସନ କିମ୍ବା ମାନସିକ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ଋତୁରେ ବିପଦ ଅଧିକ ଥାଏ ।

Tags: