୧୯ବର୍ଷରେ ଅଲ୍ଜାଇମର
ଅଲଜାଇମର ରୋଗ ସାଧାରଣତଃ ବୃଦ୍ଧାବସ୍ଥାରେ ଦେଖିବାକୁ ମିଳିଥାଏ, ହେଲେ ଏକ ଘଟଣା ବର୍ତ୍ତମାନ ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଚୀନରେ ଜଣେ ୧୯ ବର୍ଷୀୟ କିଶୋରଙ୍କ ଶରୀରରେ 'ଆଲଜାଇମର' ବା ସ୍ମୃତିହ୍ରାସ ଜନିତ ରୋଗ ଚିହ୍ନଟ ହୋଇଛି, ଯାହା ଚିକିତ୍ସା ବିଜ୍ଞାନ ଇତିହାସରେ ସବୁଠାରୁ କମ୍ ବୟସରେ ଏହି ରୋଗ ହେବାର ପ୍ରଥମ ମାମଲା । ସାଧାରଣତଃ ବୃଦ୍ଧାବସ୍ଥାରେ ଦେଖାଯାଉଥିବା ଏହି ମାରାତ୍ମକ ରୋଗର ଲକ୍ଷଣ ଉକ୍ତ ଯୁବକଙ୍କଠାରେ ମାତ୍ର ୧୭ ବର୍ଷ ବୟସରୁ ପ୍ରକାଶ ପାଇବାକୁ ଲାଗିଥିଲା । ଯେଉଁଥିପାଇଁ ସେ ପାଠପଢ଼ାରେ ମନୋନିବେଶ କରିପାରିନଥିଲେ ଏବଂ ପରଦିନର ଘଟଣା ବା ନିଜ ଜିନିଷପତ୍ର କେଉଁଠି ରଖିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲିଯାଉଥିଲେ । ପରିସ୍ଥିତି ଏଭଳି ଜଟିଳ ହେଲା ଯେ ତାଙ୍କୁ ନିଜର ମାଧ୍ୟମିକ ଶିକ୍ଷା ଅଧାରୁ ଛାଡ଼ିବାକୁ ପଡ଼ିଥିଲା । ମେମୋରି ଟେଷ୍ଟରେ ତାଙ୍କର ସ୍ମରଣ ଶକ୍ତି ସାଥୀମାନଙ୍କ ତୁଳନାରେ ପ୍ରାୟ ୮୨ ରୁ ୮୭ ପ୍ରତିଶତ କମ୍ ଥିବା ଜଣାପଡ଼ିଥିଲା । ବ୍ରେନ୍ ସ୍କାନରୁ ମସ୍ତିଷ୍କର ସ୍ମୃତି ନିୟନ୍ତ୍ରଣ କରୁଥିବା ଅଂଶ 'ହିପୋକାମ୍ପସ' ସଙ୍କୁଚିତ ହୋଇଯାଇଥିବା ଏବଂ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଟେଷ୍ଟରୁ ଆଲଜାଇମରର ବାୟୋମାର୍କର ମିଳିଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପୂର୍ବରୁ ଚିହ୍ନଟ ହୋଇଥିବା ୨୧ ବର୍ଷୀୟ ସର୍ବକନିଷ୍ଠ ରୋଗୀଙ୍କ ଶରୀରରେ ' ପିଏସଇଏନ୧' ନାମକ ଜେନେଟିକ୍ ମ୍ୟୁଟେସନ୍ ଦେଖାଯାଇଥାଏ । ଏହି ଚୀନ ଯୁବକଙ୍କ କ୍ଷେତ୍ରରେ କୌଣସି ବଂଶଗତ ଇତିହାସ କିମ୍ବା ଜେନେଟିକ୍ ମ୍ୟୁଟେସନ୍ ମିଳିନାହିଁ । ତେବେଭବିଷ୍ୟତରେ ଯୁବପିଢ଼ିଙ୍କଠାରେ ଏଭଳି ରୋଗର ରହସ୍ୟ ଖୋଜିବା ବିଜ୍ଞାନ ପାଇଁ ଏକ ବଡ଼ ଆହ୍ୱାନ ସାଜିବବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।



