ସତର୍କର ୯ ଦିନ
ଭାରତରେ ନୌତପାର ୯ ଦିନରେ ଗ୍ରୀଷ୍ମ ପ୍ରବାହ ଏବେ ଚରମ ସୀମାରେ ପହଞ୍ଚିଛି । ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ତାପମାତ୍ରା ୪୫ ଡିଗ୍ରୀ ଟପୁଛି । ଏହି କାରଣରୁ ପ୍ରବଳ ଗୁଳଗୁଳି ଶରୀରକୁ ଅସ୍ତବ୍ୟସ୍ତ କରି ପକାଉଛି । ଏହି ଭୀଷଣ ଗରମରେ ଶରୀରରୁ ପାଣି ଓ ଇଲେକ୍ଟ୍ରୋଲାଇଟ୍ସ କମିବା ଯୋଗୁଁ ଡିହାଇଡ୍ରେସନ, କ୍ଲାନ୍ତି ଓ ହୀଟ୍ ଷ୍ଟ୍ରୋକର ଭୟ ବହୁତ ବଢ଼ିଯାଇଥାଏ । ବିଶେଷ କରି ଛୋଟ ପିଲା, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଏବଂ ଡାଇବେଟିସ୍ ବା ହୃଦରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି । ତେବେ ଏହି ସମୟରେ ଖାଦ୍ୟପେୟରେ ଛୋଟ ଛୋଟ ପରିବର୍ତ୍ତନ କରି ଆମେ ଶରୀରକୁ ଭିତରୁ ଥଣ୍ଡା ଏବଂ ସୁସ୍ଥ ରଖିପାରିବା। ନୌତପାରେ ସଞ୍ଜୀବନୀ ସଦୃଶ 'ୱାଟର ରିଚ୍' ଫଳଏହି ଦିନଗୁଡ଼ିକରେ ପ୍ରାକୃତିକ ଭାବେ ଶରୀରକୁ ହାଇଡ୍ରେଟ୍ ରଖୁଥିବା ଫଳ ଖାଇବା ନିହାତି ଜରୁରୀ । ଏହି ତାଲିକାରେ ତରଭୁଜ, ଖରଭୁଜ ,କାକୁଡ଼ି, କମଳା, ମୌସୁମୀ ,ଅଙ୍ଗୁର, କଦଳୀ ,ସପୁରୀ, ଆମ୍ବ ଆଦି ସାମିଲ କରନ୍ତୁ । ଏହି ଫଳଗୁଡିକ ଶରୀରକୁ ଭିତରୁ ଥଣ୍ଡା କରିବା ସହିତ ଅନେକ ପୋଷଣ ପ୍ରଦାନ କରିଥାଏ । ସେହିଭଳି ସବୁବେଳେ ଫଳକୁ ସକାଳ ଜଳଖିଆରେ କିମ୍ବା ମଧ୍ୟାହ୍ନ ଭୋଜନ ପୂର୍ବରୁ ଖାଆନ୍ତୁ । ଖରାରୁ ଆସିବା ମାତ୍ରେ, ଫ୍ରିଜରୁ ତୁରନ୍ତ ବାହାର କରି କିମ୍ବା ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା ଅନୁଚିତ । ସେହିଭଳି ବଜାରର କୋଲ୍ଡ ଡ୍ରିଙ୍କସ୍ ବଦଳରେ ଘରୋଇ ପାନୀୟକୁ ଆପଣାନ୍ତୁ । ଘରେ ଘୋଳଦହି, ପଇଡ,ଲେମ୍ବୁ ପଣା, ମିଶିରି, ବେଲ ଆଦି ପଣା ପ୍ରସ୍ତୁତ କରି ପିଇ ପାରିବେ । ଏହି ସମୟରେ ଅଧିକ ଚା’ ଏବଂ କଫି ସେବନ କରନ୍ତୁ ନାହିଁ, କାରଣ ଏଥିରେ ଥିବା କ୍ୟାଫିନ୍ ଶରୀରକୁ ଡିହାଇଡ୍ରେଟ୍ କରିଥାଏ । ଏହା ସହ ଭଜାପୋଡ଼ା, ବାସି ଖାଦ୍ୟ ଏବଂ ଅଧିକ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, ଯାହା ଶରୀରର ତାପମାତ୍ରା ବଢ଼ାଇବା ସହ ଫୁଡ୍ ପଏଜନିଂର ଭୟ ସୃଷ୍ଟି କରେ । ସେହିଭଳି କିଛି ସ୍ବାସ୍ଥ୍ୟ ସମସ୍ୟା ପ୍ରତି ମଧ୍ୟ ସତର୍କ ରୁହନ୍ତୁ । ଅଚାନକ ବହୁତ ଅଧିକ ଝାଳ ବାହାରିବା କିମ୍ବା ଝାଳ ବାହାରିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା, ବାରମ୍ବାର ମୁଣ୍ଡ ବୁଲାଇବା, ପ୍ରବଳ ମୁଣ୍ଡବିନ୍ଧା, ବାନ୍ତି ହେବା କିମ୍ବା ଚେତାଶୂନ୍ୟ ହେବା ଆଦି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।



