ମାନସିକ ସମସ୍ୟାର କାରଣ 'ତୁଳନା'
ଆଜି କାଲିର ଯୁଗ ହେଲା ସୋସିଆଲ ମିଡିଆର ଯୁଗ । ସମସ୍ତେ ନିଜ ଜୀବନର ଛୋଟବଡ ଅନୁଭୂତିକୁ ସୋସିଆଲ ମିଡିଆରେ ଅପଲୋଡ କରି ମଜା ନେଉଛନ୍ତି । ତେବେ ଏଭଳି କିଛି ବ୍ୟକ୍ତିତ୍ବ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ସବୁବେଳେ ସୋସିଆଲ ମିଡିଆ ସହିତ ତୁଳନା କରିଥାଆନ୍ତି । ସୋସିଆଲ ମିଡିଆରେ ଅନ୍ୟର ସଫଳତା, ଛୁଟି କଟାଇବା କିମ୍ବା ସୁନ୍ଦର ଫଟୋ ଦେଖି ନିଜ ଜୀବନ ସହ ତୁଳନା କରିବା ଏକ ସାଧାରଣ ମାନସିକ ସମସ୍ୟାର ରୂପ ନେଇଛି । ଯାହାକୁ ମନୋବିଜ୍ଞାନ ଭାଷାରେ 'ସୋସିଆଲ କମ୍ପାରିଜନ ଥିଓରୀ' ବୋଲି କୁହାଯାଏ। ବିଶେଷଜ୍ଞ ମତରେ ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ସବୁବେଳେ ସେଲିବ୍ରିଟି କିମ୍ବା ସଫଳ ଲୋକଙ୍କ ସହ ତୁଳନା କରି 'ଅପୱାର୍ଡ କମ୍ପାରିଜନ' କରେ, ସେତେବେଳେ ତା’ର ଆତ୍ମବିଶ୍ୱାସ କମିଯାଏ । ସୋସିଆଲ ମିଡିଆରେ ଲୋକେ କେବଳ ସେମାନଙ୍କର ଶ୍ରେଷ୍ଠ ମୁହୂର୍ତ୍ତଗୁଡ଼ିକୁ ହିଁ ପୋଷ୍ଟ କରନ୍ତି, ଯାହା ବାସ୍ତବ ଜୀବନଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଏହି ପ୍ରକ୍ରିୟା ଜଣକୁ 'ଡୋପାମିନ ଲୁପ୍'ରେ ଛନ୍ଦି ଦେଇଥାଏ, ଯାହାଫଳରେ ବ୍ୟକ୍ତି ବାରମ୍ବାର ଅନ୍ୟର ପ୍ରୋଫାଇଲ ଷ୍ଟକ୍ କରେ ଏବଂ ଶେଷରେ ମାନସିକ ଅବସାଦ ଓ ଅନିଦ୍ରା ଭଳି ସମସ୍ୟାର ସମ୍ମୁଖୀନ ହୁଏ । ଏଥିରୁ ବର୍ତ୍ତିବା ପାଇଁ ବିଶେଷଜ୍ଞମାନେ ନିଜସ୍ୱ ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦେଇଛନ୍ତି। ସୋସିଆଲ ମିଡିଆର କୁପ୍ରଭାବକୁ ବୁଝି ନିଜ ଉପରେ ଗର୍ବ କରିବା ଓ ବାସ୍ତବ ଦୁନିଆରେ ବଞ୍ଚିବା ହିଁ ଏହି ସମସ୍ୟାର ସମାଧାନ । ତେବେ ଯଦି ଏହି ଲକ୍ଷଣ ଅଧିକ ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ ।



