ଫ୍ଲୁ

ଫ୍ଲୁ
Ipsita Picture
By: Ipsita
Published On

 

ଆଜିକାଲି ସମସ୍ତଙ୍କୁ ଥଣ୍ଡା ହେଉଥିବାବେଳେ ଛିଙ୍କ କାଶ ଲାଗି ରହୁଛି, ତେବେ ଏହାକୁ ଫ୍ଲୁ ବୋଲି କୁହାଯାଇଥାଏ । ଏହି ଫ୍ଲୁ ବା ଇନ୍ଫ୍ଲୁଏଞ୍ଜା ହେଉଛି ଏକ ଅତି ସାଧାରଣ ତଥା ସଂକ୍ରାମକ ଶ୍ୱାସକ୍ରିୟା ଜନିତ ରୋଗ, ଯାହା ପ୍ରତିବର୍ଷ ବିଶେଷ କରି ଋତୁ ପରିବର୍ତ୍ତନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ। ଏହା ଏକ ବିଶେଷ ପ୍ରକାରର ଭାଇରସ୍ ଦ୍ୱାରା ବ୍ୟାପିଥାଏ ଏବଂ ଏହାର ଲକ୍ଷଣଗୁଡ଼ିକ ସାଧାରଣ ଥଣ୍ଡା-କାଶ ପରି । ସଠିକ୍ ସମୟରେ ସତର୍କତା ଅବଲମ୍ବନ କଲେ ଏବଂ ଏହାର କାରଣଗୁଡ଼ିକୁ ବୁଝିଲେ ଆମେ ନିଜକୁ ଏବଂ ନିଜ ପରିବାରକୁ ଏହି ସଂକ୍ରମଣରୁ ସୁରକ୍ଷିତ ରଖିପାରିବା।

ଲକ୍ଷଣ

_ ଅଧିକ ଜ୍ୱର : ହଠାତ୍ ପ୍ରବଳ ଜ୍ୱର ହେବା ଏବଂ ଶରୀର ଥରିବା ବା କମ୍ପ ଆସିବା।

_ କାଶ ଏବଂ ଗଳା ବ୍ୟଥା : ଶୁଖିଲା କାଶ ହେବା ସହ ଗଳା କୁଣ୍ଡେଇ ହେବା ବା ଦରଜ ହେବା।

_ ମୁଣ୍ଡବିନ୍ଧା : ପ୍ରବଳମାତ୍ରା ମୁଣ୍ଡବିନ୍ଧା  ହେବା।

_ ମାଂସପେଶୀ ଜ୍ୱାଳା : ଶରୀରର ବିଭିନ୍ନ ଗଣ୍ଠି ଏବଂ ମାଂସପେଶୀରେ ଯନ୍ତ୍ରଣା ହେବା।

_ ଥକ୍କାପଣ : ସାମାନ୍ୟ କାମ କଲେ ମଧ୍ୟ ବହୁତ ଶୀଘ୍ର ଥକିଯିବା।

କାରଣ

_ ଏହା ମୁଖ୍ୟତଃ ଇନ୍ଫ୍ଲୁଏଞ୍ଜା 'ଏ' ଏବଂ 'ବି' ଟାଇପ୍ ଭାଇରସ୍ ଯୋଗୁଁ ହୋଇଥାଏ।

_ ସଂକ୍ରମିତ ବ୍ୟକ୍ତି କାଶିଲେ କିମ୍ବା ଛିଙ୍କିଲେ ବାୟୁ ମାଧ୍ୟମରେ ଏହି ଭାଇରସ୍ ଅନ୍ୟକୁ ବ୍ୟାପିଥାଏ।

_ ଭାଇରସ୍ ଥିବା କୌଣସି ବସ୍ତୁକୁ ଛୁଇଁବା ପରେ ସେହି ହାତକୁ ନାକ, ପାଟି କିମ୍ବା ଆଖିରେ ଲଗାଇଲେ ସଂକ୍ରମଣ ହୋଇଥାଏ।

_ ପାଣିପାଗ ବଦଳିବା ସମୟରେ ବାୟୁମଣ୍ଡଳରେ ଭାଇରସ୍ ଅଧିକ ସକ୍ରିୟ ହୋଇଥାନ୍ତି। ତେଣୁ ଏହି ସମୟରେ ବିଶେଷଭାବେ ଏହା ଦେଖିବାକୁ ମିଳେ ।

ସାବଧାନତା

_ ପ୍ରତିବର୍ଷ ଫ୍ଲୁ ସଟ୍ ବା ଇନ୍ଫ୍ଲୁଏଞ୍ଜା ଟୀକା ନେବା ସବୁଠାରୁ ଭଲ ଉପାୟ।

_ ନିୟମିତ ବ୍ୟବଧାନରେ ସାବୁନ୍ କିମ୍ବା ସାନିଟାଇଜର ବ୍ୟବହାର କରି ହାତ ପରିଷ୍କାର ରଖନ୍ତୁ।

_ ଜ୍ୱର ବା କାଶ ହେଉଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ।

_ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ।

_ପୁଷ୍ଟିକର ଖାଦ୍ୟ ଖାଆନ୍ତୁ, ପ୍ରଚୁର ପାଣି ପିଅନ୍ତୁ ଏବଂ ୭ ରୁ ୮ଘଣ୍ଟା ଶୁଅନ୍ତୁ।

_ ନିଜ ଚାରିପାଖର ପରିବେଶକୁ ପରିଷ୍କାର ରଖନ୍ତୁ ଏବଂ ଅପରିଷ୍କାର ହାତରେ ଆଖି ବା ନାକ ଛୁଅନ୍ତୁ ନାହିଁ ।

Tags: