ନିଦ ନିଖୋଜ
ଆମ ଶରୀର ପ୍ରାକୃତିକ ଉପାୟରେ ସୁସ୍ଥ ହେବା ପ୍ରକ୍ରିୟାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥାଏ ନିଦ । ଛୋଟ ହେଉ କିମ୍ବା ଗମ୍ଭୀର ରୋଗ ସବୁ ପାଇଁ ଡାକ୍ତର ଆଗ ନିଦକୁ ନେଇ ତର୍ଜମା କରିଥାଆନ୍ତି । ତେବେ ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ଭାରତର ସହରାଞ୍ଚଳରେ ନିଦ ଉପରେ ପ୍ରଭାବ ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା ସହରରେ ରହୁଥିବା ଭାରତୀୟମାନେ କେତେ ସମୟ ଶୋଉଛନ୍ତି ।
ମୁମ୍ବାଇ
ମୁମ୍ବାଇକୁ ଏହି ରିପୋର୍ଟରେ ସବୁଠାରୁ ଅଧିକ ନିଦ୍ରାହୀନ ସହରଭାବେ ବିବେଚିତ କରାଯାଇଛି । ମୁମ୍ବାଇ ଭାରତର ସବୁଠାରୁ ଅଧିକ ଶୋଇବା ସମସ୍ୟା ଥିବା ସହର ଭାବେ ଉଭା ହୋଇଛି। ଏଠାରେ ପ୍ରାୟ ୭୬.୫ % ଲୋକ ବିଳମ୍ବିତ ରାତିରେ ଶୋଉଥିବା ବେଳେ ୪୨.୫ % ଲୋକ ଡେରିରେ ଉଠୁଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ପ୍ରାୟ ୬୨.୬ % ଲୋକ ନିଦରୁ ଉଠିବା ପରେ ମଧ୍ୟ ନିଜକୁ କ୍ଳାନ୍ତ ଅନୁଭବ କରୁଛନ୍ତି ଏବଂ ୬୦ % ଲୋକ ଅଫିସ ସମୟରେ ନିଦ୍ରାଭିଭୂତ ରହୁଛନ୍ତି। ସେମାନେ ଦିନସାରା ଥକ୍କା ଅନୁଭବ କରିବା ସହିତ କୌଣସି କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯେଉଁ କାରଣରୁ ଏହାର ନକାରାତ୍ମକ ପ୍ରଭାବ ସେମାନଙ୍କର ଦୈନନ୍ଦିନ କାମ ସହ ଅଫିସ କାମ ଉପରେ ମଧ୍ୟ ପଡୁଛି ।

ଦିଲ୍ଲୀ
ଦେଶର ରାଜଧାନୀ ଦିଲ୍ଲୀରେ ଲୋକେ ସବୁଠାରୁ ଡେରିରେ ଉଠୁଥିବା ରେକର୍ଡ କରାଯାଇଛି । ଏଠିକାର ଲୋକ ଦିନ ସମୟରେ ଖୁବ ଡେରିରେ ଉଠୁଥିବା ନେଇ ତଥ୍ୟ ମିଳିିଛି । ପ୍ରାୟ ୪୫ % ଦିଲ୍ଲୀବାସୀ ସକାଳେ ବିଳମ୍ବରେ ଶଯ୍ୟା ତ୍ୟାଗ କରୁଥିବା ବେଳେ ୩୨ % ଲୋକ ଅନିଦ୍ରା ବା ‘ଇନସୋମନିଆ’ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଏହାର କାରଣ ଭାବେ ବ୍ୟସ୍ତ ବହୂଳ ଜୀବନଶୈଳୀ ଓ ଷ୍ଟ୍ରେସକୁ ବିବେଚନା କରାଯାଉଛି । ଅଫିସରେ କାମର ପ୍ରେସର, ରିଲାକ୍ସ ହେବାକୁ କମ ସମୟ ମିଳିବା, ଖାଦ୍ୟ ପେୟ ଆଦି କାରଣ ଏହାକୁ ବେଶି ବଢାଉଛି ବୋଲି ଆଲୋଚନା ହେଉଛି ।
ଚେନ୍ନାଇ
ଶୋଇବା କ୍ଷେତ୍ରରେ ସବୁଠାରୁ ଶୃଙ୍ଖଳିତ ସହର ଭାବେ ଚେନ୍ନାଇ ବିବେଚିତ ହୋଇଛି । ଶୋଇବା ଶୈଳୀରେ ଚେନ୍ନାଇ ଭାରତର ସବୁଠାରୁ ଶୃଙ୍ଖଳିତ ସହର ଭାବେ ପରିଗଣିତ ହୋଇଛି । ଏଠାରେ ବିଳମ୍ବରେ ଶୋଉଥିବା ଲୋକଙ୍କ ସଂଖ୍ୟା ମାତ୍ର ୪୮.୮ % ଏବଂ ଡେରିରେ ଉଠୁଥିବା ଲୋକଙ୍କ ସଂଖ୍ୟା ମାତ୍ର ୨୩.୮ %। ତେବେ ଏଠିକାର ଲୋକଙ୍କ ଭିତରେ ଆଉ ଏକ ସମସ୍ୟା ରହିଛି । ଏଠାରେ ଲୋକମାନେ ଭରପୂର ନିଦରେ ଶୋଇଲେ ମଧ୍ୟ ଉଠିବାପରେ ୬୧.୯ % ଲୋକ ନିଜକୁ ସତେଜ ଅନୁଭବ କରୁନଥିବା ଜଣାପଡ଼ିଛି । ଦିନସାରା ସେମାନଙ୍କୁ ଥକ୍କା ଲାଗୁଥିବା ଜଣା ପଡିଛି ।

ହାଇଦ୍ରାବାଦ
ହାଇଦ୍ରାବାଦରେ ଏକ ସନ୍ତୁଳିତ ଶୋଇବା ଶୈଳୀ ଦେଖିବାକୁ ମିଳିଛି । ଏଠାରେ ରହୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୪୨ % ଲୋକ ବିଳମ୍ବରେ ଶୋଉଥିବା ବେଳେ ୩୧ % ଲୋକଙ୍କ ପାଖରେ ଅନିଦ୍ରା ଜନିତ ସମସ୍ୟା ରହିଛି । ଏହି ଅଙ୍କ ଯାହା ଅନ୍ୟ ମେଟ୍ରୋ ସହର ତୁଳନାରେ କମ । ତେଣୁ ଏଠାରେ ସ୍ଥିତି ସନ୍ତୋଷଜନକ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଏଠିକାର ଲୋକମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଉଛନ୍ତି ଏବଂ ଦିନ ସାରା ସତେଜ ରହୁଛନ୍ତି ବୋଲି ଜଣା ପଡିଛି ।
ବେଙ୍ଗାଲୁରୁ
ଆଇଟି ସହର ବେଙ୍ଗାଲୁରୁରେ ଏକ ଅଜବ ସ୍ଥିତି ଦେଖିବାକୁ ମିଳିଛି । ଏଠାରେ ୩୬.୩ % ଲୋକ ମଧ୍ୟରାତ୍ରି ପରେ ଶୋଉଛନ୍ତି, ଯାହା ଚିନ୍ତାଜନକ ସ୍ଥିତି । ଏଠାରେ ରହୁଥିବା ଲୋକମାନଙ୍କର ଅଫିସ କାର୍ଯ୍ୟ ଶୈଳୀ କାରଣରୁ ଏଭଳି ସ୍ଥିତି ଉପୁଜୁଥିବା ସନ୍ଦେହ କରାଯାଉଛି । ଅଧିକାଂଶ ଲୋକ ରାତିରେ କାମ କରୁଥିବାରୁ ଏପରି ପରିସ୍ଥିତି ଉତ୍ପନ୍ନ ହେଉଛି । ସେହିଭଳି ୫୪ % ଲୋକ ଅଭିଯୋଗ କରିଛନ୍ତି ଯେ, ନିଦରୁ ଉଠିବା ପରେ ମଧ୍ୟ ସେମାନଙ୍କ ଶରୀରରୁ କ୍ଲାନ୍ତି ଦୂର ହେଉନାହିଁ। ଦିନସାରା ସେମାନେ ଥକ୍କାପଣର ଅନୁଭବ କରୁଛନ୍ତି ।
କୋଲକାତା ଓ ଗୁରୁଗ୍ରାମ
କୋଲକାତା ଏକ ‘ବିଳମ୍ବିତ ରାତିର ସହର’ ଭାବେ ପରିଚିତ ହୋଇଛି, ଯେଉଁଠାରେ ୭୫.୫ % ଲୋକ ଡେରିରେ ଶୋଉଛନ୍ତି । ଏହା ବର୍ତ୍ତମାନ କୋଲକାତାଙ୍କ ବାସୀଙ୍କ ପାଇଁ ଖୁବ ଚିନ୍ତାଜନକ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ, ଗୁରୁଗ୍ରାମକୁ ‘ରେଜିଲିଏଣ୍ଟ ସ୍ଲିପର୍ ସିଟି’ କୁହାଯାଉଛି, କାରଣ ଏଠାରେ ଯୁବକମାନେ କାମର ଚାପ ସତ୍ତ୍ୱେ ନିଜ ଶୋଇବା ଧାରାକୁ କିଛି ମାତ୍ରାରେ ସ୍ୱାଭାବିକ ରଖିବାକୁ ଚେଷ୍ଟା କରୁଛନ୍ତି । ଏଠାରେ ଖୁବ କମ ଲୋକ ନିଦ୍ରାହିନତାର ରୋଗର ଶିକାର ହେଉଥିବା ଦେଖିବାକୁ ମିଳିଛି । ସମସ୍ତଙ୍କ ପାଇଁ ଏଠାରେ ନିଦ ପ୍ରଥମ ପ୍ରାୟୋରିଟି ପାଲଟିଛି ।



