ଜଙ୍କଫୁଡ ବିଜ୍ଞାପନକୁ ନା !

ଜଙ୍କଫୁଡ ବିଜ୍ଞାପନକୁ ନା !
Ipsita Picture
By: Ipsita
Published On

 

ଶିଶୁମାନଙ୍କ ମଧ୍ୟରେ ମେଦବହୁଳତା ବଢ଼ୁଥିବା ଯୋଗୁଁ ଅନେକ ଦେଶ ଏବେ ସ୍ୱେଚ୍ଛାକୃତ ନିର୍ଦ୍ଦେଶାବଳୀ ପରିବର୍ତ୍ତେ କଠୋର ଆଇନଗତ ନିୟମ ପ୍ରଣୟନ କରୁଛନ୍ତି। ଏପରି କି ଜଙ୍କ ଫୁଡର ବିଜ୍ଞାପନ ପ୍ରସାରଣ ପାଇଁ ମଧ୍ୟ ବିଭିନ୍ନ ନିୟମ କରାଯାଉଛି । ଏହାସହ ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ଛାତ୍ରଙ୍କ ଖାଦ୍ୟପେୟ ଉପରେ କଟକଣା ଦେଖିବାକୁ ମିଳିଥାଏ ।

 ବ୍ରିଟେନର ବିଜ୍ଞାପନ ନିଷେଧାଦେଶ

ପିଲାମାନଙ୍କୁ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଭାବରୁ ରକ୍ଷା କରିବା ପାଇଁ ବ୍ରିଟେନ ବିଶ୍ୱର ସବୁଠାରୁ କଠୋର ନିୟମ ଲାଗୁ କରିଛି । ୫ ଜାନୁୟାରୀ ୨୦୨୬ ରୁ ପ୍ରଭାବୀ ହୋଇଥିବା ଏହି ନିୟମ ଅନୁସାରେ, ରାତି ୯ଟା ପୂର୍ବରୁ ଟିଭିରେ ଜଙ୍କ୍ ଫୁଡ୍ ବିଜ୍ଞାପନ ପ୍ରସାରଣ ଉପରେ ରୋକ୍ ଲଗାଯାଇଛି । ଏଥିସହିତ ସୋସିଆଲ ମିଡିଆ ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମରେ ମଧ୍ୟ ଏହିପରି ଖାଦ୍ୟର ଅନଲାଇନ୍ ବିଜ୍ଞାପନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ପିଲାଙ୍କ ଖାଦ୍ୟରୁ ବାର୍ଷିକ କୋଟି କୋଟି କ୍ୟାଲୋରୀ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଡିଜିଟାଲ ମାର୍କେଟିଂ ଏବଂ ଖରାପ ଖାଦ୍ୟ ଅଭ୍ୟାସ ମଧ୍ୟରେ ଥିବା ସମ୍ପର୍କକୁ ଭାଙ୍ଗିବା ପାଇଁ ବ୍ରିଟେନ ଏହି ବଡ଼ ନିଷ୍ପତ୍ତି ନେଇଛି।

ମେକ୍ସିକୋର ସ୍କୁଲ୍ ପରିବେଶ ସଂସ୍କାର

ମେକ୍ସିକୋ ସିଧାସଳଖ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଲଟ୍ରା-ପ୍ରୋସେସଡ୍ ଖାଦ୍ୟର ବିକ୍ରି ଏବଂ ବିଜ୍ଞାପନକୁ ନିଷେଧ କରିଛି । ମାର୍ଚ୍ଚ ୨୦୨୫ରୁ କାର୍ଯ୍ୟକାରୀ ହୋଇଥିବା ଏହି ଆଇନ ଅନୁଯାୟୀ, ସ୍କୁଲରେ ଚିପ୍ସ, କୋଲ୍ଡ ଡ୍ରିଙ୍କ୍ସ ଏବଂ ମିଠା ବିସ୍କୁଟ୍ ବିକ୍ରି କରିବା ଅପରାଧ ଅଟେ । ଏହାର ପରିବର୍ତ୍ତେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଫଳ ଓ ଘରୋଇ ଖାଦ୍ୟକୁ ପ୍ରୋତ୍ସାହନ ଦିଆଯାଉଛି। ଯେଉଁ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ପାଳନ କରିବେ ନାହିଁ, ସେମାନଙ୍କ ଉପରେ ଭାରି ଜରିମାନା ଲଗାଯିବାର ବ୍ୟବସ୍ଥା ରହିଛି।

child_fast_food_web

 ନରୱେ ଏବଂ ସ୍କାଣ୍ଡିନେଭିଆନ୍ ଦେଶଗୁଡ଼ିକର କଟକଣା

ନରୱେରେ ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ପାନୀୟର ମାର୍କେଟିଂକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ କରି ଏକ ଉଦାହରଣ ସୃଷ୍ଟି କରିଛି। ଏଥିରେ ଚକୋଲେଟ୍, ଏନର୍ଜି ଡ୍ରିଙ୍କ୍ସ ଏବଂ ଆଇସକ୍ରିମ ଭଳି ସମସ୍ତ ଖାଦ୍ୟ ପଦାର୍ଥ ଅନ୍ତର୍ଭୁକ୍ତ । ଡେନମାର୍କ ମଧ୍ୟ ୧୫ ବର୍ଷରୁ କମ୍ ପିଲାଙ୍କ ପାଇଁ ସମାନ ନିୟମ ପ୍ରସ୍ତୁତ କରିଛନ୍ତି । ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ଏକ ମୌଳିକ ମାନବିକ ଅଧିକାର ଭାବେ ଗ୍ରହଣ କରି ଏହି ଦେଶଗୁଡ଼ିକ ଏପରି ପଦକ୍ଷେପ ନେଉଛନ୍ତି ।

 

ପ୍ରତିରୋଧ ଉପରେ ଗୁରୁତ୍ୱ

ଏହି ସମସ୍ତ ନିୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରୋଗ ହେବା ପୂର୍ବରୁ ଏହାକୁ ରୋକିବା ।  ଭବିଷ୍ୟତରେ ମଧୁମେହ  ଏବଂ ହୃଦରୋଗ ଭଳି ସମସ୍ୟା ବଢିବାର ଆଶଙ୍କା ଥିବାରୁ ଏବେଠାରୁ ଜଙ୍କ୍ଫୁଡ୍ ଖାଇବାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ଏହି ନିୟମାବଳୀ କେବଳ ଖାଦ୍ୟ ବ୍ୟାନ କରିବା ପାଇଁ ନୁହେଁ, ବରଂ ଏକ ସୁସ୍ଥ ସମାଜ ଗଠନ ପାଇଁ ଉଦ୍ଦିଷ୍ଟ । ଯେତେବେଳେ ସୁସ୍ଥ ଖାଦ୍ୟ ସହଜରେ ଉପଲବ୍ଧ ହେବ, ସେତେବେଳେ ହିଁ ସମାଜରେ ସୁଧାର ଆସିବ । ସେହିଭଳି ବିଶ୍ୱର ବଡ଼ ବଡ଼ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକଙ୍କ ପାଇଁ ମଧ୍ୟ ବିଭିନ୍ନ ନିୟମ ପ୍ରସ୍ତୁତ କରାଯାଉଛି ।

Tags: