ମମି ପେଟରୁ ଇଷ୍ଟ ଆବିଷ୍କାର

ମମି ପେଟରୁ ଇଷ୍ଟ ଆବିଷ୍କାର
Ipsita Picture
By: Ipsita
Published On

 

ବୈଜ୍ଞାନିକମାନେ ଏକ ୫,୩୦୦ ବର୍ଷ ପୁରୁଣା ବରଫାବୃତ ମମିର ଶରୀରରୁ ମିଳିଥିବା ଇଷ୍ଟ୍ ସାହାଯ୍ୟରେ ସଫଳତାର ସହ 'ସରଡୋ ବ୍ରେଡ୍' ପ୍ରସ୍ତୁତ କରିଛନ୍ତି। ଅଷ୍ଟ୍ରିଆ-ଇଟାଲୀ ସୀମାରେ ଆଲ୍ପସ ପର୍ବତମାଳାରୁ ମିଳିଥିବା ଏହି 'ଓଟ୍‌ଜୀ'  ନାମକ ମମିର ମୃତ୍ୟୁ ପିଠିରେ ତୀର ବାଜିବା କାରଣରୁ ହୋଇଥିଲା । ୧୯୯୧ ମସିହାରେ ପର୍ବତାରୋହୀମାନଙ୍କ ଦ୍ୱାରା ଉଦ୍ଧାର କରାଯିବା ପରଠାରୁ ଏହି ବରଫ ଜମାଟ ବାନ୍ଧିଥିବା ଶରୀରକୁ -୬ଡିଗ୍ରୀ ତାପମାତ୍ରାରେ ସଂରକ୍ଷିତ କରି ରଖାଯାଛି । ଗବେଷକମାନେ ମମିର ଅନ୍ତ୍ରପୁଟ, ଚର୍ମ ଏବଂ ତରଳିଥିବା ବାଦାମୀ ରଙ୍ଗର ପାଣିରୁ ଶୀତଳ ପରିବେଶରେ ବଢ଼ିପାରୁଥିବା ୪ ପ୍ରକାରର ଇଷ୍ଟ୍ ଆବିଷ୍କାର କରିଛନ୍ତି । ଯାହା ମୃତ୍ୟୁର ତୁରନ୍ତ ପରେ ଶରୀର ମଧ୍ୟକୁ ପ୍ରବେଶ କରି ହଜାର ହଜାର ବର୍ଷ ଧରି ସେଠାରେ ରହିଥିଲା ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଲାବୋରେଟୋରୀରେ ଏହି ଇଷ୍ଟ୍‌କୁ ପୁନର୍ବାର ବିକଶିତ କରିବା ପାଇଁ ପ୍ରାରମ୍ଭିକ ପ୍ରୟାସ ବିଫଳ ହୋଇଥିଲେ ମଧ୍ୟ ପ୍ରାୟ ୩ ମାସର କଠିନ ପରିଶ୍ରମ ପରେ ବୈଜ୍ଞାନିକମାନେ ଏକ ଉତ୍କୃଷ୍ଟ ମାନର ସରଡୋ ବ୍ରେଡ୍ ପ୍ରସ୍ତୁତ କରିବାରେ ସଫଳତା ପାଇଛନ୍ତି । ଏହା ବ୍ୟତୀତ ମମିର ପେଟରୁ ଏଭଳି କେତେକ ଅନ୍ତ୍ର ବ୍ୟାକ୍ଟେରିଆ ମଧ୍ୟ ମିଳିଛି, ଯାହା ଆଜିକାଲିର ବିକଶିତ ଦେଶର ଲୋକଙ୍କ ଶରୀରରୁ ପ୍ରାୟ ଗାୟବ ହୋଇଯାଇଛି । ଏହି ବ୍ୟାକ୍ଟେରିଆ ବର୍ତ୍ତମାନ ଆଫ୍ରିକା ଓ ଦକ୍ଷିଣ ଆମେରିକାର କେତେକ ଜନଜାତିଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ତେବେ ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ଆଧୁନିକ ମାନବ ତୁଳନାରେ ପ୍ରାଚୀନ ମଣିଷମାନଙ୍କର ଖାଦ୍ୟପେୟ ଅଧିକ ଫାଇବର ଏବଂ ଗୋଟା ଶସ୍ୟ  ଆଧାରିତ ଥିଲା । ଆଗକୁ ଏହାକୁନେଇ ଆହୁରି ଅନେକ ପରୀକ୍ଷଣ ହେବାର ବାକିଥିବା ବୈଜ୍ଞାନିକ ପ୍ରକାଶ କରିଛନ୍ତି ।

Tags: