ବିଶ୍ବ ଜଳ ଦିବସ
ପୃଥିବୀର ପ୍ରତ୍ୟେକ ଜୀବନ୍ତ ସତ୍ତା ପାଇଁ ଜଳ ଏକ ଅପରିହାର୍ଯ୍ୟ ଉପାଦାନ । ହେଲେ ବର୍ତ୍ତମାନର ବଢୁଥିବା ଜନସଂଖ୍ୟା ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱରେ ଜଳ ସଙ୍କଟ ଏକ ଭୟଙ୍କର ରୂପ ଧାରଣ କରିଛି। ଏହି ଗୁରୁତର ସମସ୍ୟା ପ୍ରତି ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ 'ବିଶ୍ୱ ଜଳ ଦିବସ' ଭାବେ ପାଳନ କରାଯାଉଛି। ୧୯୯୨ ମସିହାରେ ବ୍ରାଜିଲର ରିଓ-ଡି-ଜେନେରିଓଠାରେ ଅନୁଷ୍ଠିତ ମିଳିତ ଜାତିସଂଘ ପରିବେଶ ଓ ବିକାଶ ସମ୍ମିଳନୀରେ ପ୍ରଥମ କରି ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଆସିଥିଲା । ଏହାପରେ ୧୯୯୩ ମସିହା ମାର୍ଚ୍ଚ ୨୨ରୁ ଏହା ବିଧିବଦ୍ଧ ଭାବେ ସାରା ବିଶ୍ୱରେ ପାଳିତ ହୋଇଆସୁଛି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛ ଜଳର ମହତ୍ତ୍ୱ ସମ୍ପର୍କରେ ଲୋକଙ୍କୁ ବୁଝାଇବା । ଏହାସହିତ ବିଶ୍ୱର ପ୍ରାୟ ୨୦୦ କୋଟିରୁ ଅଧିକ ଲୋକ ଯେଉଁମାନେ ନିରାପଦ ପାନୀୟ ଜଳରୁ ବଞ୍ଚିତ ଅଛନ୍ତି, ସେମାନଙ୍କ ପାଖରେ ସୁବିଧାରେ ଜଳ ପହଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରିବା। ଚଳିତ ବର୍ଷର ଥିମ ଜଳକୁ ନେଇ ସୃଷ୍ଟି ହେଉଥିବା ବିବାଦର ସମାଧାନ ଏବଂ ଶାନ୍ତି ପ୍ରତିଷ୍ଠା ଉପରେ ଆଧାରିତ। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜଳ ଦିବସ ସମ୍ପର୍କରେ ଲୋକଙ୍କୁ ସଚେତନତା କରାଯାଇଥାଏ ।



