ବିଶ୍ୱ ଶାକାହାରୀ ଦିବସ
ପ୍ରତିବର୍ଷ ଅକ୍ଟୋବର ୧ ତାରିଖରେ ସମଗ୍ର ବିଶ୍ୱରେ 'ବିଶ୍ୱ ଶାକାହାରୀ ଦିବସ' ପାଳିତ ହେଉଥିବା ବେଳେ, ଶାକାହାରୀ ଜୀବନଶୈଳୀର ପ୍ରସାର ଏବଂ ଏହାର ସ୍ୱାସ୍ଥ୍ୟଗତ ଓ ପରିବେଶଗତ ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ୧୯୭୭ ମସିହାରେ 'ନର୍ଥ ଆମେରିକାନ୍ ଭେଜିଟେରିଆନ୍ ସୋସାଇଟି' ଦ୍ୱାରା ପ୍ରଥମ କରି ଏହି ଦିବସର ଶୁଭାରମ୍ଭ କରାଯାଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ୧୯୭୮ରେ 'ଇଣ୍ଟରନ୍ୟାସନାଲ୍ ଭେଜିଟେରିଆନ୍ ୟୁନିଅନ୍' ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲା । ଶାକାହାରୀ ଆହାର ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନ କମାଇବା ସହ ଜଳବାୟୁ ପରିବର୍ତ୍ତନ ରୋକିବା ଏବଂ ପ୍ରାଣୀହିଂସା କମାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବିଶ୍ୱବ୍ୟାପୀ ଏହି ଦିବସ ପାଳନ ମାଧ୍ୟମରେ କେବଳ ଶାକାହାରୀ ଖାଦ୍ୟର ଗୁରୁତ୍ୱକୁ ସ୍ୱୀକାର କରାଯାଏ ନାହିଁ, ବରଂ ଏହା ପ୍ରାଣୀ ସୁରକ୍ଷା ଏବଂ ନିରନ୍ତର ପରିବେଶ ସନ୍ତୁଳନ ପାଇଁ ଏକ ଦୟାଳୁ ଓ ସୁସ୍ଥ ବିକଳ୍ପ ଆପଣାଇବାକୁ ଆହ୍ୱାନ ଦେଇଥାଏ ।




