ବିଶ୍ୱ ଦୂରସଞ୍ଚାର ଦିବସ

ବିଶ୍ୱ ଦୂରସଞ୍ଚାର ଦିବସ
Ipsita Picture
By: Ipsita
Published On

 

ସାମ୍ପ୍ରତିକ ବିଶ୍ୱକୁ ଏକ ଗ୍ଲୋବାଲ୍ ଭିଲେଜ୍ ବା ବସୁଧୈବ କୁଟୁମ୍ବକମ୍ରେ ପରିଣତ କରିବାରେ ଦୂରସଞ୍ଚାର ବ୍ୟବସ୍ଥାର ଭୂମିକା ଅତୁଳନୀୟ ହୋଇଥାଏ । ତେବେ ଏହାର ଗୁରୁତ୍ବତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରତିବର୍ଷ ମେ୧୭ ତାରିଖକୁ ସମଗ୍ର ବିଶ୍ୱରେ 'ବିଶ୍ୱ ଦୂରସଞ୍ଚାର ଦିବସ' ଭାବେ ପାଳନ କରାଯାଇଥାଏ । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଧୁନିକ ସମାଜ ତଥା ଅର୍ଥନୀତିରେ ଇଣ୍ଟରନେଟ୍ ଏବଂ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା। ୧୮୬୫ ମସିହା ମେ୧୭ ତାରିଖରେ ପ୍ୟାରିସ୍ଠାରେ ପ୍ରଥମ ଆନ୍ତର୍ଜାତୀୟ ଟେଲିଗ୍ରାଫ୍ ସମ୍ମିଳନୀ ସ୍ୱାକ୍ଷରିତ ହେବା ସହ ଆନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ( ଆଇ ଟି ୟୁ ) ପ୍ରତିଷ୍ଠା ହୋଇଥିଲା । ଯାହାକୁ ସ୍ମରଣୀୟ କରିବା ପାଇଁ ୧୯୬୯ ମସିହାରୁ ଏହି ବିଶେଷ ଦିବସ ପାଳନର ଶୁଭାରମ୍ଭ ହୋଇଥିଲା । ବର୍ତ୍ତମାନର ୫ଜି  ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁଗରେ ଏହି ଦିବସର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି । କାରଣ ଏହା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଡିଜିଟାଲ୍ ବିଭାଜନ ବା 'ଡିଜିଟାଲ୍ ଡିଭାଇଡ୍'କୁ ଦୂର କରି ଶେଷ ସୀମାରେ ଥିବା ବ୍ୟକ୍ତିଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାଣିଜ୍ୟ ଭଳି ସେବା ପହଞ୍ଚାଇବାକୁ ପ୍ରେରଣା ଦେଇଥାଏ । ପ୍ରତିବର୍ଷ ଜାତିସଂଘ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ବା ଥିମ୍ ଆଧାରରେ ଏହି ଦିବସ ପାଳନ କରାଯାଇଥାଏ । ଏହି ଅବସରରେ ସମଗ୍ର ବିଶ୍ୱ ସମେତ ଭାରତରେ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ସେମିନାର, ପ୍ରଦର୍ଶନୀ, ୱେବିନାର ଏବଂ କର୍ମଶାଳାର ଆୟୋଜନ କରାଯାଇଥାଏ । ଏଥିସହ ଦୂରସଞ୍ଚାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ, ଇଞ୍ଜିନିୟର ଓ ଅଭିନବ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବା ସହ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଡିଜିଟାଲ୍ ସାକ୍ଷରତା ବଢ଼ାଇବା ପାଇଁ କାର୍ଯ୍ୟ କରାଯାଇଥାଏ ।

Tags: