ଚିତ୍କାର କରି ବିଶ୍ବ ରେକର୍ଡ
ଇଂଲଣ୍ଡର ଜଣେ ମହିଳା ବିଶ୍ୱର ସବୁଠାରୁ ଉଚ୍ଚ ସ୍ୱରରେ ଚିତ୍କାର କରୁଥିବା ମହିଳା ଭାବେ ବିଶ୍ୱ ରେକର୍ଡ ସୃଷ୍ଟି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ତାଙ୍କର ଏହି ଚିତ୍କାର ପ୍ରାୟ ୧.୫ ମାଇଲ୍ ବା ୨.୪ କିଲୋମିଟର ଦୂର ପର୍ଯ୍ୟନ୍ତ ସ୍ପଷ୍ଟ ଶୁଣାଯାଇଥିଲା । ଏହାସହ ତାଙ୍କ ସ୍ୱରର ତୀବ୍ରତା ୧୦୫.୯ ଡେସିବେଲ୍ ରେକର୍ଡ କରାଯାଇଛି, ଯାହା ଗୋଟିଏ ଗାଡ଼ିର ଉଚ୍ଚ ଶବ୍ଦପୂର୍ଣ୍ଣ ହର୍ଣ୍ଣ ସହ ସମାନ । ପ୍ରକାଶଯୋଗ୍ୟ ଯେ, ବ୍ରେଣ୍ଡା ନାମ୍ନୀ ଏହି ମହିଳାଜଣକ ୧୯୮୭ ମସିହାରୁ ଦୀର୍ଘ ୪୦ ବର୍ଷ ଧରି 'ଟାଉନ୍ କ୍ରାୟର୍' ଭାବେ କାର୍ଯ୍ୟ କରିଆସୁଛନ୍ତି ଏବଂ ୨୦୧୩ରୁ ଇଂଲଣ୍ଡର ନିୟୁମାର୍କେଟ୍ରେ ଏହି ଦାୟିତ୍ୱ ତୁଲାଉଛନ୍ତି । ୧୯୯୩ ମସିହାରେ କାନାଡାରେ ଅନୁଷ୍ଠିତ 'ୱାର୍ଲ୍ଡ ଟାଉନ୍ କ୍ରାୟର୍ ଚାମ୍ପିୟନ୍ସିପ୍' ଜିତିଥିବା ବ୍ରେଣ୍ଡା କହିଛନ୍ତି ଯେ, ଏହି ବିଶ୍ୱ ରେକର୍ଡ ସ୍ଥାପନ କରିବା ସମୟରେ ତାଙ୍କୁ ପ୍ରବଳ ଥଣ୍ଡା ହୋଇଥିବାରୁ ସେ ନିଜର ସମ୍ପୂର୍ଣ୍ଣ କ୍ଷମତାରେ ଚିତ୍କାର କରିପାରିନଥିଲେ । ନିଜ ସ୍ୱରକୁ ସ୍ପଷ୍ଟ ଓ ଶାଣିତ ରଖିବା ପାଇଁ ସେ ନିୟମିତ ଅଭ୍ୟାସ କରିବା ସହ ଥ୍ରୋଟ୍ ଲୋଜେଞ୍ଜେସ୍, ମହୁ ଓ ଲେମ୍ବୁ ପାଣିର ବ୍ୟବହାର କରିଥାନ୍ତି । ଉଲ୍ଲେଖଯୋଗ୍ୟ ଯେ, ସାରା ୟୁକେରେ ଏହି ପେଷାରେ ମାତ୍ର ୧୦ ପ୍ରତିଶତ ମହିଳା ରହିଛନ୍ତି ।




