ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ
ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ, ଯାହା ପ୍ରତିବର୍ଷ ମେ ୩ ତାରିଖରେ ପାଳନ କରାଯାଏ । ଏହା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସମ୍ମାନ ଜଣାଇବା ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଅଟେ । ୧୯୯୧ ମସିହାରେ ଆଫ୍ରିକୀୟ ସାମ୍ବାଦିକମାନଙ୍କ ଦ୍ୱାରା ୟୁନେସ୍କୋର ଏକ ସେମିନାରରେ ଆଗତ 'ୱିଣ୍ଡହୋକ ଘୋଷଣାନାମା'ରୁ ଏହାର ପାଳନ ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ୧୯୯୩ରେ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଥିଲା । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରଙ୍କୁ ସୂଚନା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି ସେମାନଙ୍କର ପ୍ରତିବଦ୍ଧତା ମନେ ପକାଇଦେବା । ଏହାସହ ଯେଉଁ ସାମ୍ବାଦିକମାନେ ସତ୍ୟ ପ୍ରକାଶ କରିବାକୁ ଯାଇ ନିଜର ଜୀବନ ବଳିଦାନ ଦେଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା। ଆଜିର ସମୟରେ ଯେତେବେଳେ ମିଥ୍ୟା ଖବର ଏବଂ ଏଆଇ ଜନିତ ଅପପ୍ରଚାର ବଢ଼ିବାରେ ଲାଗିଛି, ସେତେବେଳେ ଏକ ନିରପେକ୍ଷ ଏବଂ ସ୍ୱାଧୀନ ଗଣମାଧ୍ୟମର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । କାରଣ ଏହା ହିଁ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତା ବଜାୟ ରଖିପାରିବ। ଏହି ଦିବସକୁ ପାଳନ କରିବା ପାଇଁ ବିଭିନ୍ନ ବିଦ୍ୟାଳୟ ଓ କଲେଜରେ ସେମିନାର ଆୟୋଜନ କରାଯାଇଥାଏ । ଏହାସହ ସାମାଜିକ ଗଣମାଧ୍ୟମରେ ସାମ୍ବାଦିକତା ସପକ୍ଷରେ ସଚେତନତା ସୃଷ୍ଟି କରାଯିବାସହ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ସାମ୍ବାଦିକମାନଙ୍କ କାର୍ଯ୍ୟଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥାଏ ।



