ବିଶ୍ୱ ଓଜୋନ ଦିବସ
ସାରା ବିଶ୍ୱରେ ପ୍ରତିବର୍ଷ ୧୬ ସେପ୍ଟେମ୍ବରକୁ ବିଶ୍ବ ଓଜୋନ ଦିବସ ପାଳିତ କରାଯାଇଥାଏ । ୧୯୯୪ ମସିହାରୁ ପାଳିତ ହୋଇ ଆସୁଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଲା ବାୟୁ ମଣ୍ଡଳକୁ ଘେରି ରହିଥିବା ଓଜୋନ ସ୍ତରର ସଂରକ୍ଷଣ କରିବା ସହ ଓଜନ ସ୍ତର କ୍ଷୀଣ ହେବା ଜନିତ ସୃଷ୍ଟ ଭୟାବହତା ସଂପର୍କରେ ବିଶ୍ୱବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା । ବାୟୁ ମଣ୍ଡଳରେ ଓଜୋନର ପରିମାଣ କମ ହେଲେ ସୁଦ୍ଧା ବାୟୁମଣ୍ଡଳରେ ଏହାର ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ବିଭିନ୍ନ କାରଣ ମଧ୍ୟରେ ସୌର-ପବନ ଅନେକ ସମୟରେ ପୃଥିବୀ ଉପରିସ୍ଥ ଓଜୋନ ସ୍ତରର କ୍ଷତି କରିଥାନ୍ତି । ଯାହାଦ୍ୱାରା ଓଜୋନ ସ୍ତର ଦେଇ କ୍ଷତିକାରକ ଅତି ବାଇଗଣୀ ବିକୀରଣ ଭୁପୃଷ୍ଠକୁ ପ୍ରବେଶ କରିଥାଏ । ୧୯୮୭ ମସିହାର ଏହି ଦିନରେ ମଣ୍ଟ୍ରିଲ ପ୍ରୋଟୋକଲ ନାମକ ଏକ ଅନ୍ତରାଷ୍ଟ୍ରୀୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ସନ୍ଧିର ମୂଳ ଲକ୍ଷ୍ୟ ଥିଲା ବାୟୁମଣ୍ଡଳରେ ଓଜୋନ ସ୍ତରକୁ ହ୍ରାସ କରୁଥିବା କିଛି ପଦାର୍ଥର ଉତ୍ପାଦନ ବନ୍ଦ କରିବା ଯଦ୍ୱାରା ଓଜୋନ ସ୍ତରକୁ ସଂରକ୍ଷଣ କରାଯାଇପାରିବ । ଏହି ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା ୧୬ ସେପ୍ଟେମ୍ବର ୧୯୮୭ ମସିହାରେ । ଏହି ଐତିହାସିକ ଦିନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ୧୯ ଡିସେମ୍ବର ୨୦୦୦ ଦିନ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ୧୬ ସେପ୍ଟେମ୍ବରକୁ ଅନ୍ତଃରାଷ୍ଟ୍ରୀୟ ଓଜୋନ ସ୍ତର ସଂରକ୍ଷଣ ଦିବସ ରୂପେ ପାଳିବାକୁ ଏକ ଘୋଷଣାନାମା ଗୃହୀତ ହେଲା ।




